ନୂଆଦିଲ୍ଲୀ ୯।୫: କଥିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସମସ୍ୟା ବଢିପାରେ। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କେଜରିୱାଲଙ୍କ ବିରୋଧରେ ଶୁକ୍ରବାର ଟ୍ରାୟଲ କୋର୍ଟରେ ଚାର୍ଜସିଟ୍ ଦାଖଲ କରିପାରେ। ଏହି ମାମଲାର ସୂଚନା ରଖୁଥିବା ଜନୈକ ଅଧିକାରୀଙ୍କ ଅନୁସାରେ ପ୍ରଥମ ଥର ଇଡି କେଜରିୱାଲଙ୍କୁ ମାମଲାରେ ଅଭିଯୁକ୍ତ କରିବ।
କେଜରିୱାଲଙ୍କ ବିରୋଧରେ ରୁଜୁ ହେବାକୁ ଯାଉଥିବା ଚାର୍ଜସିଟ୍ର ଟାଇମିଂ ହିଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଇଡି ଏପରି ଏକ ସମୟରେ କେଜରିୱାଲଙ୍କୁ ଅଭିଯୁକ୍ତ କରିବାକୁ ଯାଉଛି ଯେତେବେଳେ ଶୁକ୍ରବାର ସୁପ୍ରିମକୋର୍ଟରେ ତାଙ୍କ ଅନ୍ତରୀଣ ଜାମିନ ଉପରେ ନିଷ୍ପତ୍ତି ହେବାକୁ ଯାଉଛି। ଶୀର୍ଷ ନ୍ୟାୟାଳୟ ଗିରଫକୁ ଚ୍ୟାଲେଞ୍ଜ କରି ରୁଜୁ ଆବେଦନ ଉପରେ ମଧ୍ୟ ଶୁଣାଣି କରିବେ। ତେବେ ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟ କେଜରିୱାଲଙ୍କ ଗିରଫକୁ ଉଚିତ ବୋଲି କହିଥିଲେ।
ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୨୧ ତାରିଖରୁ ଗିରଫ କେଜରିୱାଲଙ୍କୁ ଇଡି ଏପର୍ଯ୍ୟନ୍ତ ମାମଲାରେ ଅଭିଯୁକ୍ତ କରି ନଥିଲା। ତେବେ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଇଡି ତାଙ୍କ ତାଜା ଚାର୍ଜସିଟ୍ରେ କେଜରିୱାଲଙ୍କ ସମେତ କିଛି ଅନ୍ୟ ଲୋକଙ୍କୁ ଅଭିଯୁକ୍ତ କରିପାରେ। ଏହା ମଧ୍ୟ କୁହାଯାଉଛି ଯେ କେଜରିୱାଲଙ୍କୁ ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ରୂପେ ମଧ୍ୟ ଉପସ୍ଥାପନ କରାଯାଇପାରେ। ଏହା ପୂର୍ବରୁ ମଧ୍ୟ କୋର୍ଟରେ ଇଡି ଓକିଲ କେଜରିୱାଲଙ୍କୁ ମୌଖିକ ରୂପେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଓ ଗ୍ୟାଙ୍ଗ ଲିଡର ବୋଲି କହିଛନ୍ତି।
ଏହି ମାମଲାର ସୂଚନା ରଖୁଥିବା ବିଶେଷଜ୍ଞଙ୍କ କହିବା କଥା ହେଉଛି ଯଦି କେଜରିୱାଲଙ୍କୁ ଅଭିଯୁକ୍ତ କରାଯାଏ ତେବେ ଖୁବ୍ ଶୀଘ୍ର ମାମଲାରେ ଆମ ଆଦମୀ ପାର୍ଟି (ଆପ)କୁ ମଧ୍ୟ ଅଭିଯୁକ୍ତ କରାଯାଇପାରେ, ଯାହାର କେଜରିୱାଲ ମୁଖିଆ। ଯଦି ଏପରି ହୁଏ ଏହା ଆପ ପାଇଁ ଏହା ଏକ ମସ୍ତବଡ଼ ଝଟକା ହୋଇପାରେ। କଥିତ ଦୁର୍ନୀତି ସମ୍ପର୍କିତ ମାମଲାରେ ଅରବିନ୍ଦ କେଜରିୱାଲଙ୍କ ବ୍ୟତୀତ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ମଧ୍ୟ ଜେଲରେ ଅଛନ୍ତି। ମାମଲାରେ ଆପର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ୪ ମାସ ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡିଥିଲା।
ସୁପ୍ରିମକୋର୍ଟ ମଙ୍ଗଳବାର ଶୁଣାଣି କାଳରେ କହିଥିଲେ କେଜରିୱାଲ ଦିଲ୍ଲୀର ନିର୍ବାଚିତ ମୁଖ୍ୟମନ୍ତ୍ରୀ, ଅଭ୍ୟାସଗତ ଅପରାଧୀ ନୁହନ୍ତି। ଲୋକସଭା ନିର୍ବାଚନ ୫ ବର୍ଷରେ ହୋଇଥାଏ, ଏଣୁ ପ୍ରଚାର ନିମନ୍ତେ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ ନିମନ୍ତେ ବିଚାର କରାଯାଇପାରେ। ତେବେ କୋର୍ଟରେ ଇଡି ଏହାକୁ ବିରୋଧ କରିଥିଲା। ସୁପ୍ରିମକୋର୍ଟ ମେ ୧୦ ତାରିଖରେ ଏହି ମାମଲାର ଶୁଣାଣି ପରେ ରାୟ ଶୁଣାଇ ପାରନ୍ତି। ଏଣୁ ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି ପୂର୍ବରୁ ଇଡି ଟ୍ରାୟଲ କୋର୍ଟରେ ଚାର୍ଜସିଟ୍ ଦାଖଲ କରିପାରେ ଓ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀ ସୁପ୍ରିମକୋର୍ଟରେ ଏହି ତଥ୍ୟ ରଖି କି କେଜରିୱାଲଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇସାରିଛି କହି ନିଜର ପକ୍ଷ ମଜଭୁତ କରିପାରେ।