କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ କେଜରିୱାଲଙ୍କୁ ମିଳିଲା ମମତାଙ୍କ ସମର୍ଥନ, ମୁହଁ ବୁଲେଇଦେଲା କଂଗ୍ରେସ

Published By : Prameya-News7 Bureau | May 23, 2023 IST

କୋଲକାତା ୨୩।୫: ଦିଲ୍ଲୀରେ ସରକାରୀ ଅଧିକାରୀମାନଙ୍କ ଟ୍ରାନ୍ସଫର ପୋଷ୍ଟିଂକୁ ନେଇ ଜୋର ଧରିଲା ରାଜନୀତି। ଏ ନେଇ କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ଦିଲ୍ଲୀର ଆମ ଆଦମୀ ପାର୍ଟି (ଆପ) ସାରା ଦେଶରୁ ସମର୍ଥନ ସଂଗ୍ରହରେ ଲାଗିପଡିଛି। ଏହି କ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ମଙ୍ଗଳବାର କୋଲକାତା ଗସ୍ତ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ଆଲୋଚନାରେ  କେଜରିୱାଲଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ, ରାଘବ ଚଡ୍ଡା ଓ ମନ୍ତ୍ରୀ ଆତିଶୀ ସିଂହ ମଧ୍ୟ ସାଙ୍ଗରେ ଥିଲେ। ତେବେ ପୁରା ଘଟଣା କ୍ରମରୁ କଂଗ୍ରେସ ନିଜକୁ ଦୂରେଇ ନେଇଛି।

ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସରକାର ‘ଜାତୀୟ ରାଜଧାନୀ ସିଭିଲ ସେବା ପ୍ରାଧିକରଣ’ ଗଠନ ଲାଗି ଅଧ୍ୟାଦେଶ ଆଣିଛନ୍ତି। ଏହି ଅଧ୍ୟାଦେଶକୁ ଆଇନର ଜାମା ପିନ୍ଧାଇବା ପାଇଁ ୬ ମାସ ମଧ୍ୟରେ ସଂସଦରେ ଗୃହୀତ କରିବା ଜରୁରୀ। ଯଦି ୬ ମାସ ମଧ୍ୟରେ ବିଧେୟକ ଗୃହୀତ ନ ହୋଇ ପାରିଲା ତେବେ ଏହା ସ୍ୱତଃ ସମାପ୍ତ ହୋଇଯିବ। ତେବେ ଦିଲ୍ଲୀରେ କେଜରୀୱାଲ ସରକାର ବନାମ ଏଲଜି ମାମଲାରେ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଦେଇଥିଲେ। ଏଥିରେ ନିର୍ବାଚିତ ସରକାରଙ୍କୁ ଅଧିକାରୀଙ୍କ ଟ୍ରାନ୍ସଫର ପୋଷ୍ଟିଂ ଅଧିକାର ଦିଆଯାଇଥିଲା।

{"id":791234,"width":835,"height":470,"sizeSlug":"full","linkDestination":"none"}

ତେବେ ମମତା ବାନାର୍ଜୀ ସୁପ୍ରିମକୋର୍ଟଙ୍କ ରାୟ ବାଦ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ଆମେ ବିରୋଧ କରିବୁ ବୋଲି କହିଛନ୍ତି। ଏହା ଛଡା ପ୍ରସଙ୍ଗରେ ସବୁ ପାର୍ଟିମାନଙ୍କୁ ସାଙ୍ଗରେ ଆସନ୍ତୁ ଏଥିଲାଗି ସେ ଆଗ୍ରହ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଆମେ ସବୁ ମିଶି ବିଜେପିକୁ ରାଜ୍ୟ ସଭାରେ ହରାଇ ପାରିବା ବୋଲି ମମତା କହିଛନ୍ତି। ସେ କହିଛନ୍ତି ଯେ ଇଗୋର ମଧ୍ୟ ଏକ ସୀମା ଅଛି ତେବେ ଆମ ଲାଗି ଯାହା ଚିନ୍ତାର ବିଷୟ ସେମାନେ ସମ୍ବିଧାନ ନ ବଦଳାଇ ଦିଅନ୍ତୁ କି ଦେଶର ନାମ ନ ବଦଳାନ୍ତୁ। ସେମାନେ ଦେଶର ନାମକୁ ତାଙ୍କ ପାର୍ଟି ନାମରେ କରିଦେଇ ପାରନ୍ତି। ମମତା ଏପରି ହୋଇ ପାରିବନି ବୋଲି କହିଛନ୍ତି। ଯଦି ଆମେ ଏଥି ପାଇଁ ଏବେଠୁ କାମ ନ କରିବା ଦେଶରେ ଲୋକେ ଆମକୁ କ୍ଷମା କରିବେନି ବୋଲି ମମତା କହିଛନ୍ତି।

ମମତା କହିଛନ୍ତି ଯେ ଆଜି ମଣିପୁରରେ ସବୁଦିନ ରକ୍ତ ବହୁଛି। ହେଲେ ସେ ପାର୍ଟିର ଲୋକଙ୍କୁ ଫୁରସତ ନାହିଁ ସେଠାକୁ ଯାଇ ଲୋକଙ୍କୁ ଭେଟିବାକୁ। ମଣିପୁରରେ ଲୋକେ ଏବେ ଘରୁ ପଦାକୁ ବାହାରିପାରୁ ନାହାନ୍ତି। ବିଜେପିର ଲୋକେ ରାସ୍ତାରେ ଛିଡା ହୋଇ କହୁଛନ୍ତି କାଲି ତା ଘରକୁ ଇଡି ଯିବ। ତା ଘରେ ଏନଆଇଏ ରେଡ ପଡିବ,ବିଜେପିର ଛୋଟମୋଟ କାର୍ଯ୍ୟକର୍ତ୍ତାଙ୍କୁ ବି ଏହି ଖବର ମିଳୁଛି। ତେବେ ଏହା କିପରି ସରକାର ବୋଲି ମମତା ପ୍ରଶ୍ନ କରିଛନ୍ତି। ଏହି ସରକାର ଏଜେନ୍ସୀର, ଏଜେନ୍ସୀ ଦ୍ୱାରା  ଓ ଏଜେନ୍ସୀ ଲାଗି ହୋଇଛି ବୋଲି ମମତା କହିଛନ୍ତି।

{"id":791236,"width":843,"height":519,"sizeSlug":"full","linkDestination":"none"}

ମମତା କହିଛନ୍ତି ଯେ ଆମେ ସୁପ୍ରିମକୋର୍ଟଙ୍କୁ ସମ୍ମାନ କରୁଛେ ଓ ସୁପ୍ରିମକୋର୍ଟ ହିଁ କେବଳ ଦେଶକୁ ବଞ୍ଚାଇ ପାରିବେ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ବି କେନ୍ଦ୍ର ଅଧ୍ୟାଦେଶ ଆଣିପାରୁଛି। ଏଣୁ ସେ ସବୁ ପାର୍ଟିଙ୍କୁ ଅପିଲ କରିଛନ୍ତି ଯେ ଦେଶରେ ବିଜେପିକୁ ହରାଇବା ପାଇଁ ସମସ୍ତେ ଏକାଠି ହୁଅନ୍ତୁ। ଏହା ଏକ ବଡ଼ ଅବସର ବୋଲି ମମତା କହିଛନ୍ତି। ଏହି ଅବସରରେ କେଜରିୱାଲ କହିଛନ୍ତି ଯେ ଦିଲ୍ଲୀରେ ଆମର ସରକାର ହେବାମାତ୍ରେ କେନ୍ଦ୍ର ଆମର ସମସ୍ତ କ୍ଷମତା ଛଡେଇ ନେଇଥିଲା। ଆମେ ୮ ବର୍ଷ ଧରି ଲଢେଇ ଲଢିଲୁ ଓ ଶେଷରେ ଜିତିଲୁ ମଧ୍ୟ। ହେଲେ ଏବେ ସେମାନେ ଅଧ୍ୟାଦେଶ ନେଇ ଆସିଛନ୍ତି।

ସେମାନେ ଗଣତନ୍ତ୍ରକୁ ତାମସା କରିଦେଇଛନ୍ତି। ଯେଉଁଠି ସେମାନଙ୍କର ସରକାର ନାହିଁ ସେମାନେ ସେଠାରେ ବିଧାୟକ କ୍ରୟ କରୁଛନ୍ତି ନଚେତ ଡରାଇବାକୁ ଏଜେନ୍ସୀମାନଙ୍କର ବ୍ୟବହାର କରୁଛନ୍ତି। ସେମାନେ ସରକାରଙ୍କୁ ହରାଇବା ପାଇଁ ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ବ୍ୟବହାର କରୁଛନ୍ତି। ଯଦି ଆମେ ସେମାନଙ୍କୁ ରାଜ୍ୟସଭାରେ ହରାଇ ଦେଉଛେ ଏହା ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ସେମିଫାଇନାଲ ହେବ ବୋଲି କେଜରୀୱାଲ କହିଛନ୍ତି। ତେବେ ପ୍ରସଙ୍ଗରୁ କଂଗ୍ରେସ ମୁହଁ ବୁଲାଇ ନେଇଛି। ଦିଲ୍ଲୀ କଂଗ୍ରେସ ପାର୍ଟି ନେତା ସନ୍ଦୀପ ଦୀକ୍ଷିତ ଆପକୁ ଭ୍ରଷ୍ଟ ପାର୍ଟି ବୋଲି କହିଛନ୍ତି। ତାଙ୍କ ସହ ଛିଡା ହେଲେ ଦିଲ୍ଲୀର ଜନତା ସହ ଧୋକା ହେବ ବୋଲି କହିଛନ୍ତି। ସେହିପରି କଂଗ୍ରେସ ନେତା ଅଜୟ ମାକନ ଦଳ ତାଙ୍କୁ ସମର୍ଥନ କରିବନି ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.