କେଜରିଓ୍ବାଲଙ୍କୁ ଡାଇବେଟିସ୍‌, ତଥାପି ଜାଣିଶୁଣି ଖାଉଛନ୍ତି ଘର ଖାଦ୍ୟ ସହ ମିଠା: କୋର୍ଟରେ ଇଡି ରଖିଲା ଯୁକ୍ତି

Published By : Prameya-News7 Bureau | April 18, 2024 IST

ନୂଆଦିଲ୍ଲୀ: ‘‘ଜେଲରେ ଅରବିନ୍ଦ କେଜରିଓ୍ବାଲ ପୁରୀ-ଆଳୁ, ଆମ୍ବ ଏବଂ ମିଠା ଖାଉଛନ୍ତି। ଯେମିତି ତାଙ୍କର ରକ୍ତ ସର୍କରା ମାତ୍ରା ବଢ଼ିଯିବ ଏବଂ ତାଙ୍କୁ ଜାମିନ୍‌ ମିଳିପାରିବ।’’ ଗୁରୁବାର, ତିହାର ଜେଲରେ ବନ୍ଦୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏକ ଯାଚିକାର ଶୁଣାଣି ସମୟରେ ଏହି ଯୁକ୍ତି ରଖିଛି ଇଡି। ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟରେ ଶୁଣାଣି ସମୟରେ ଇଡି କହିଛି, ଅରବିନ୍ଦ କେଜରିଓ୍ବାଲ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନ୍‌ ନେବାକୁ ଚେଷ୍ଟା କରୁଛନ୍ତି।

ସୂଚନାଥାଉକି, ଅରବିନ୍ଦ କେଜରିଓ୍ବାଲ ନିକଟରେ ଏକ ଆବେଦନ କରିଥିଲେ। ଯେଉଁଥିରେ ସେ ଅନୁରୋଧ କରିଥିଲେ ଯେ, ଭିଡିଓ କନଫରେନ୍ସିଂ ଦ୍ବାରା ଡାକ୍ତରଙ୍କ ସହ ଯୋଗାଯୋଗରେ ରହିବାକୁ ଚାହୁଛନ୍ତି। ଅବଶ୍ୟ ଏହି ଆବେଦନକୁ ସେ ପ୍ରତ୍ୟାହାର କରିଛନ୍ତି। ତାଙ୍କ ଓକିଲ ଯୁକ୍ତି ରଖିଛନ୍ତି ଯେ, ଏହାଠାରୁ ଭଲ ଯାଚିକା କରାଯିବ।

ଆଉ ଏହି ମାମଲାରେ ଶୁଣାଣି ସମୟରେ ଇଡି ତରଫରୁ ଓକିଲ ଜୁହୈବ ହୁସୈନ ଯୁକ୍ତି ରଖିଥିଲେ। ସେ କହିଥିଲେ ‘‘ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ରକ୍ତ ସର୍କରା ବଢ଼ିବା କାରଣ ହେଉଛି ତାଙ୍କର ଘର ଖାଦ୍ୟ। ଅରବିନ୍ଦ କେଜରିଓ୍ବାଲଙ୍କୁ ତାଙ୍କ ଘରୁ ଆଳୁ-ପୁରୀ, ଆମ୍ବ ମିଠା ଏବଂ ମିଠାଜାତୀୟ ଖାଦ୍ୟ ଖାଇବାକୁ ଦିଆଯାଉଛି।’’

ସେହିଭଳି ଅରବିନ୍ଦ କେଜରିଓ୍ବାଲଙ୍କ ଓକିଲ ବିବେକ ଜୈନ କହିଛନ୍ତି ‘ଇଡି ଏଥିପାଇଁ ଏହାକୁ ପ୍ରସଙ୍ଗ କରିଛି, ଯାହାଦ୍ବାରା କେଜରିଓ୍ବାଲଙ୍କୁ ଘର ଖାଦ୍ୟ ମଧ୍ୟ ଦିଆଯିବାରୁ ରୋକିପାରିବ। ଏହା ତାଙ୍କ ସ୍ବାସ୍ଥ୍ୟ ସହ ଜଡ଼ିତ। ସେ ଯାହାବି ଖାଉଛନ୍ତି ତାହା ଚିକିତ୍ସିକଙ୍କ ଦ୍ବାରା ଦିଆଯାଇଥିବା ଡାଏଟ।’’

ଇଡି ଆହୁରି କହିଛି, କୋର୍ଟ ପୂର୍ବରୁ ହିଁ ଅରବିନ୍ଦ କେଜରିଓ୍ବାଲଙ୍କୁ ଘର ଖାଦ୍ୟ ଖାଇବାକୁ ମଞ୍ଜୁରୀ ଦେଇଛନ୍ତି। ତାଙ୍କର ରକ୍ତଚାପ ମଧ୍ୟ ରହିଛି। ଅରବିନ୍ଦ କେଜରିଓ୍ବାଲ ଟାଇପ୍‌-୨ ଡାଇବେଟିସ୍‌। ଇଡି ଦାବି କରିଛି ଯେ, କେଜରିଓ୍ବାଲ ଏସବୁ ଜାଣିଶୁଣି ଖାଉଛନ୍ତି ଯେମିତି ତାଙ୍କୁ ଜାମିନ ମିଳିବ। ଏବେ ଏହି ମାମଲାରେ ଶୁକ୍ରବାର ଶୁଣାଣି ହେବ। ଅଦାଲତ କେଜରିଓ୍ବାଲଙ୍କ ଡାଏଟ ଚାର୍ଟ ଏବଂ ମେଡିକାଲ ରିପୋର୍ଟ ଜେଲ ପ୍ରଶାସନକୁ ମାଗିଛନ୍ତି।

ଉଲ୍ଲେଖଯୋଗ୍ୟ, ଅରବିନ୍ଦ କେଜରିଓ୍ବାଲ ଦିଲ୍ଲୀର କଥିତ ଅବକାରୀ ଘୋଟାଲା ମାମଲାରେ ଜେଲରେ ବନ୍ଦୀ ଅଛନ୍ତି। ଆଉ ଇଡି ହେପାଜତ ସମୟରେ ତାଙ୍କ ରକ୍ତ ସର୍କରା ବଢ଼ିଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.