ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ତୃତୀୟ ଇନିଂସ ଆରମ୍ଭ
16/02/2020 at 9:56 PM

ନୂଆଦିଲ୍ଲୀ ୧୬।୦୨ – ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲଙ୍କ ତୃତୀୟ ଇନିଂସ ଆରମ୍ଭ। ରାମଲୀଲା ମୈଦାନରେ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି କେଜ୍ରିୱାଲ। ଦିଲ୍ଲୀ ଉପରାଜ୍ୟପାଳ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥପାଠ କରାଇଛନ୍ତି। କେଜ୍ରିୱାଲଙ୍କ ସମେତ ୬ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । ଦିଲ୍ଲୀର ବିକାଶ ପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରୁଛି ବୋଲି କେଜ୍ରିୱାଲ ଶପଥ ଗ୍ରହଣ ପରେ ତାଙ୍କ ଅଭିଭାଷଣରେ କହିଛନ୍ତି।
ଦିଲ୍ଲୀରେ କେଜ୍ରିୱାଲଙ୍କ ତୃତୀୟ ଇନିଂସ ଆରମ୍ଭ। ରାମଲୀଲା ମୈଦାନରେ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ଅରବିନ୍ଦ କେଜ୍ରିୱାଲ। ଉପରାଜ୍ୟପାଳ ଅନୀଲ ବୈଜଲ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥପାଠ କରାଇଥିଲେ। ତାଙ୍କ ସହ ୬ ଜଣ ମନ୍ତ୍ରୀ ମନୀଷ ସିଶୋଦିଆ, ସତ୍ୟେନ୍ଦ୍ର ଜୈନ, ଗୋପାଳ ରାୟ, ରାଜେନ୍ଦ୍ର ପାଲ ଗୌତମ, ଇମ୍ରାନ ହୁସେନ ଓ କୈଳାସ ଗେହଲଟ ଶପଥ ନେଇଛନ୍ତି। ଗତ ସରକାରରେ ଏମାନେ ସମସ୍ତେ ମନ୍ତ୍ରୀ ଥିଲେ ।ଦିଲ୍ଲୀର ବିକାଶ ପାଇଁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିଥିବା ସଫେଇ କର୍ମଚାରୀ, ଡାକ୍ତର, ଶିକ୍ଷକ, ଇଞ୍ଜିନିୟର, ଆମ୍ବୁଲାନ୍ସ ଚାଳକଙ୍କ ସମେତ ବିଭିନ୍ନ ବିଭାଗର ୫୦ରୁ ଅଧିକ କର୍ମଚାରୀ ସାମିଲ ହୋଇଥିଲେ।
ରାମଲୀଳା ମୈଦାନରେ ଆୟୋଜିତ ଶପଥ ସମାରୋହରେ କେଜ୍ରିୱାଲ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ହମ ହୋଙ୍ଗେ କାମୟାବ ଗୀତ ଗାଇଥିଲେ। ଆଉ ଥିବା ସାଧାରଣ ଲୋକେ ଏବଂ ପ୍ରଶଂସକ ମଧ୍ୟ କେଜ୍ରିୱାଲଙ୍କ ସହ ତାଳ ଦେଇ ଝୁମିଥିଲେ ।
ଦିଲ୍ଲୀରେ ଆଜି ଦେଖିବାକୁ ମିଳିଛି କେଜ୍ରିୱାଲ କ୍ରେଜ୍। ରାମଲୀଳା ମଇଦାନ ଲୋକାରଣ୍ୟ ହୋଇଥିବା ବେଳେ ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଜୋସ୍ ଭରିଯାଇଥିଲା। ଜଣେ ଆପ୍ ସମର୍ଥକ ପିଠିରେ ମୟୂର ପୂଚ୍ଛ ଲଗାଇ ନାଚୁଥିବା ଦେଖିବାକୁ ମିଳିଛି । ଭୋଟ ଗଣତି ଦିନ ଚର୍ଚ୍ଚାରେ ଥିବା ବେବି ମଫଲର୍ ମ୍ୟାନ୍ଙ୍କୁ ଆଜି ପୁଣି ରାମଲୀଳା ମୈଦାନକୁ ଦେଖିବାକୁ ମିଳିଥିଲା। ବିଭିନ୍ନ ଫିଲ୍ମ ପୋଷ୍ଟରରେ ହିରୋ ମାନଙ୍କ ସ୍ଥାନରେ କେଜ୍ରିୱାଲଙ୍କ ଫଟୋ ଦେଖିବାକୁ ମିଳିଥିଲା । ପଞ୍ଜାବ ଲୁଧିଆନାସ୍ଥିତରେ ଏକ ମ୍ୟୁଜିୟମରେ କେଜ୍ରିୱାଲଙ୍କ ପ୍ରତିମୂର୍ତ୍ତି ସ୍ଥାନ ପାଇଛି।
ଶପଥ ଗ୍ରହଣ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ସେ ଆସିନଥିଲେ । କିନ୍ତୁ ଦିଲ୍ଲୀର ବିକାଶ ପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରୁଛି ବୋଲି କେଜ୍ରିୱାଲ କହିଛନ୍ତି।