ଡଲାର ତୁଳନାରେ ମୁଦ୍ରା ମୂଲ୍ୟ ହ୍ରାସର ସମାଧାନ କହିଲେ କେଜରିୱାଲ୍: ଭାରତୀୟ ମୁଦ୍ରାରେ ଲଗାଯାଉ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ

Published By : Prameya-News7 Bureau | October 26, 2022 IST

ନୂଆଦିଲ୍ଲୀ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଏନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି ବିରୋଧୀ। ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀ କହୁଛନ୍ତି, ଭାରତୀୟ ମୁଦ୍ରା ଦୂର୍ବଳ ହେଉନି, ବରଂ ଡଲାର ମଜଭୁତ ହେଉଛି। ନିକଟରେ କେନ୍ଦ୍ରମନ୍ତ୍ରୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଏଭଳି ବୟାନକୁ ସମାଲୋଚନା କରିଥିଲେ ଅର୍ଥନୀତିଜ୍ଞ ଓ ବୁଦ୍ଧିଜୀବୀ।

ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ମଧ୍ୟ ମୁଦ୍ରା ମୂଲ୍ୟ ହ୍ରାସ ନେଇ ପ୍ରଧାନମନ୍ତ୍ରୀଙ୍କୁ ଏମିତି ପରାମର୍ଶ ଦେଇଛନ୍ତି ଯାହାକୁ ନେଇ ସମାଲୋଚନା ଆରମ୍ଭ ହୋଇଗଲାଣି। କେଜରିୱାଲ୍ କହିଛନ୍ତି ଯେ ଭାରତୀୟ ମୁଦ୍ରା ଉପରେ ଶ୍ରୀ ଗଣେଶ ଜୀ ଓ ଶ୍ରୀ ଲକ୍ଷ୍ମୀଜୀଙ୍କ ଫଟୋ ଲଗାଯାଉ। କାରଣ ଦେବୀ ଦେବତାଙ୍କର ଆଶୀର୍ବାଦ ରହିବା ନିହାତି ଦରକାର ବୋଲି କେଜରିୱାଲ୍ କହିଛନ୍ତି। ଏନେଇ ସେ ଇଣ୍ଡୋନେସିଆ କରେନ୍ସିର ଉଦାହରଣ ବି ଦେଇଛନ୍ତି।

ଭାରତୀୟ ମୁଦ୍ରା ମୂଲ୍ୟ ହ୍ରାସ ଉପରେ ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି କେଜରିୱାଲ୍। ସେ କହିଛନ୍ତି “ ଆମେ ଦେଶର ସ୍ଥିତି ସୁଧାରିବାକୁ ପ୍ରୟାଶ କରିବା ଦରକାର।। ହେଲେ ପ୍ରୟାଶ ସଫଳ ହେବାକୁ ଦେବୀ ଦେବତାଙ୍କ ଆଶୀର୍ବାଦ ରହିବା ନିହାତି ଦରକାର। ସମସ୍ତ ବ୍ୟବସାୟୀ ନିଜ ଘରେ ଲକ୍ଷ୍ମୀ ଓ ଗଣେଶଙ୍କର ଫଟୋ ଲଗାଉଛନ୍ତି। ଆଉ କାମ ଆରମ୍ଭ କରିବା ପୂର୍ବରୁ ସେମାନଙ୍କୁ ପୂଜା କରୁଛନ୍ତି। ତେଣୁ ଆଜି ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଯେ ଭାରତୀୟ ମୁଦ୍ରା ଉପରେ ଗୋଟିଏ ପଟେ ଗାନ୍ଧୀଜୀଙ୍କ ଫଟୋ ରହିଛି। ତାହା ସେମିତି ରହିବା ଦରକାର। ହେଲେ ଅନ୍ୟପଟେ ଲକ୍ଷ୍ମୀ ଜୀ ଓ ଗଣେଶ ଜୀଙ୍କ ଫଟୋ ଲଗାଯିବା ଉଚିତ୍। ଏଥିରେ ପୂରା ଦେଶକୁ ଆଶୀର୍ବାଦ ମିଳିବ।”

wp:html /wp:html


ଲକ୍ଷ୍ମୀଙ୍କୁ ସମୃଦ୍ଧିର ଦେବୀ ବୋଲି କୁହାଯାଏ ଓ ଗଣେଶଙ୍କୁ ବିଘ୍ନନାଶକ ବୋଲି କୁହାଯାଏ। ତେଣୁ ଏହି ଦୁଇ ଦେବତାଙ୍କ ଫଟୋ ନୋଟ ଉପରେ ଲାଗିବା ଦରକାର ବୋଲି କେଜରିୱାଲ୍ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ମୁଁ କହୁନି ସବୁ ଟଙ୍କା ପରିବର୍ତ୍ତନ କର। ହେଲେ ପ୍ରତି ମାସରେ ଛପାଯାଉଥିବା ନୂଆ ନୋଟ୍ ଉପରେ ଏହା ଲାଗୁ କରାଯାଇ। ଧୀରେ ଧୀରେ ନୂଆ ନୋଟର ପ୍ରଚଳନ କରାଯାଇପାରେ ବୋଲି କେଜରିୱାଲ୍ କହିଛନ୍ତି।

ଇଣ୍ଡୋନେସିଆର ଉଦାହରଣ ଦେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଦେଶ ଏକ ମୁସଲିମ ଦେଶ। ଏଠାରେ ୮୦ ପ୍ରତିଶତ ମୁସ୍ଲିମ ଓ ୨ପ୍ରତିଶତ ହିନ୍ଦୁ ଥିବା ବେଳେ ଇଣ୍ଡୋନେସିଆର କରେନ୍ସିରେ ଗଣେଶ ଜୀଙ୍କ ମୂର୍ତ୍ତି ରହିଛି। ତେଣୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛି ଯେ ଭାରତୀୟ ମୁଦ୍ରା ଉପରେ ଲକ୍ଷ୍ମୀ ଓ ଗଣେଶ ଜୀଙ୍କ ଫଟୋ ଛପାଯାଉ। ଏଥିରେ କାହାର ବିରୋଧରେ କୁହାଯାଉ ନାହିଁ। ଯଦି ଇଣ୍ଡୋନେସିଆ କରିପାରୁଛି ତେବେ ଆମେ କାହିଁକି କରିପାରିବା ନାହିଁ ବୋଲି କେଜରିୱାଲ କହିଛନ୍ତି।

ତେବେ ଟଙ୍କାରେ ଠାକୁରଙ୍କ ଛବି ଛାପିଦେଲେ ଯେ ଟଙ୍କା ମଜଭୁତ ହେବ ତାହା ନୁହେଁ, ଏଥିପାଇଁ ସବୁ ଦିଗରେ କାମ କରିବାକୁ ପଡ଼ିବ। ବହୁତ ପଦକ୍ଷେପ ନେବାକୁ ପଡ଼ିବ। ଆମକୁ ବହୁ ସଂଖ୍ୟାରେ ସ୍କୁଲ୍ ଓ ମେଡିକାଲ ଖୋଲିବା ଦରକାର, ବିଜୁଳି, ସଡ଼କ ଓ ନିର୍ମାଣ କ୍ଷେତ୍ରରେ ଗୁରୁତ୍ୱ ଦେବା ଦରକାର ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.