ମୁମ୍ଵାଇ ୦୨।୦୯: ଦକ୍ଷିଣ ଭାରତୀୟ ଅଭିନେତ୍ରୀ କୀର୍ତ୍ତି ସୁରେଶ ଆଗକୁ ‘ବେବି ଜନ୍’ ମାଧ୍ୟମରେ ବଲିଉଡ୍ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହା ଥାଲାପତି ବିଜୟଙ୍କ ଅଭିନୀତ ତାମିଲ ବ୍ଲକ୍ବ୍ଲଷ୍ଟର ‘ଥେରି’ର ରିମେକ୍ । ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନେତା ବରୁଣ ଧୱନଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମ ଜରିଆରେ କୀର୍ତ୍ତି ହିନ୍ଦୀ ଭାଷୀ ଦର୍ଶକଙ୍କ ପ୍ରଶଂସା ସାଉଣ୍ଟିବାକୁ ଲକ୍ଷ୍ୟ ରଖିଛନ୍ତି । କୀର୍ତ୍ତି କହିଛନ୍ତି, ମୋତେ ଏଥିରେ ଏକ ପ୍ରଭାବଶାଳୀ ଭୂମିକାରେ ଦେଖିବାକୁ ମିଳିବ । ଏହି ଆକ୍ସନ୍ ଥ୍ରିଲର ଫିଲ୍ମଟି ମୋର କ୍ୟାରିୟରକୁ ଏକ ନୂଆ ମୋଡ଼ ଦେବ ବୋଲି ଆଶା ରଖିଛି ।
‘ବେବି ଜନ୍’କୁ କାଲିସ୍ ନିର୍ଦ୍ଦେଶନା ଦେଉଥିବାବେଳେ ଅଟ୍ଲି, ମୁରାଦ୍ ଖେତାନି ଓ ଜ୍ୟୋତି ଦେଶପାଣ୍ଡେ ପ୍ରଯୋଜନାରେ ଅଛନ୍ତି । ଚଳିତବର୍ଷ ଡିସେମ୍ବର ୨୫ ତାରିଖରେ ଏହା ରିଲିଜ୍ ହେବ । କୀର୍ତ୍ତି ଓ ବରୁଣଙ୍କ ସହିତ ସେଥିରେ ୱାମିକା ଗବି, ଜ୍ୟାକି ଶ୍ରଫ୍ଙ୍କୁ ମଧ୍ୟ ଦେଖିବାକୁ ମିଳିବ । ୨୦୧୬ରେ ରିଲିଜ୍ ହୋଇଥିବା ‘ଥେରି’ରେ ଥାଲାପତି ବିଜୟଙ୍କ ବିପକ୍ଷରେ ସାମନ୍ଥା ରୁଥ୍ ପ୍ରଭୁଙ୍କୁ ଦେଖିବାକୁ ମିଳିଥିଲା । ସେପଟେ ‘ବେବି ଜନ୍’କୁ ବାଦ୍ ଦେଲେ କୀର୍ତ୍ତିଙ୍କ ହାତରେ ୩ଟି ତାମିଲ ପ୍ରୋଜେକ୍ଟ ରହିଛି ।