ହିନ୍ଦୁଙ୍କୁ ପ୍ରଜ୍ଞା ସିଂ ଠାକୁରଙ୍କ ଉପଦେଶ, ନିଜ ଛୁରି ଧାର କରି ରଖନ୍ତୁ

Published By : Prameya-News7 Bureau | December 26, 2022 IST

ନୂଆଦିଲ୍ଲୀ: ଯେଉଁମାନେ ଆମ ଉପରେ ଆକ୍ରମଣ କରୁଛନ୍ତି ଏବଂ ସମ୍ମାନକୁ ହାନୀ ପହଞ୍ଚାଉଛନ୍ତି ସେମାନଙ୍କୁ ଜବାବ ଦେବାର ଅଧିକାର ହିନ୍ଦୁମାନଙ୍କ ରହିଛି। ସୋମବାର ଏମିତି ବୟାନ ଦେଇଛନ୍ତି ବିଜେପି ନେତା ତଥା ଭୋପାଳ ସାଂସଦ ପ୍ରଜ୍ଞା ସିଂହ ଠାକୁର। ସର୍ବଦା ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ପ୍ରଜ୍ଞା ଠାକୁର କହିଛନ୍ତି, ଅତି କମରେ ହିନ୍ଦୁମାନଙ୍କୁ ନିଜ ଘରେ ଧାରୁଆ ଛୁରି ରଖିବା ଦରକାର। ପ୍ରତ୍ୟେକ ହିନ୍ଦୁଙ୍କୁ ନିଜ ସୁରକ୍ଷାର ଅଧିକାର ରହିଛି ବୋଲି ବିଜେପିର ଏହି ସାଂସଦ କହିଛନ୍ତି।

ଘରେ ଅସ୍ତ୍ର ଶସ୍ତ୍ର ରଖନ୍ତୁ। ଯଦି ସେତିକି ନୁହେଁ ଅତି କମରେ ପରିବା କାଟୁଥିବା ଛୁରିକୁ ଧାର କରି ରଖନ୍ତୁ। ଜଣା ନାହିଁ କେତେବେଳେ କଣ ସ୍ଥିତି ଉପୁଜିବ। ତେଣୁ ପ୍ରତ୍ୟେକଙ୍କୁ ନିଜକୁ ସୁରକ୍ଷିତ ରଖିବାର ଅଧିକାର ରହିଛି। ଯଦି କେହି ଆମ ଘର ଉପରେ  ଆକ୍ରମଣ କରେ  ତେବେ ସେମାନଙ୍କୁ ଉଚିତ୍ ଜବାବ ଦେବାର ଅଧିକାର ଆମର ରହିଛି। ହିନ୍ଦୁ କର୍ମକର୍ତ୍ତାଙ୍କ ହତ୍ୟା ଉପରେ ଉପରୋକ୍ତ ଟିପ୍ପଣୀ କରିଛନ୍ତି ପ୍ରଜ୍ଞା ଠାକୁର।

ଲଭ ଜିହାଦ ହେଉଛି ସେମାନଙ୍କର ଏକ ପରମ୍ପରା। କିଛି କରିନପାରିଲେ ସେମାନେ ଲଭ ଜିହାଦ କରୁଛନ୍ତି। ଯଦି ବି ସେମାନେ ଭଲ ପାଉଛନ୍ତି, ସେଥିରେ ବି ଲଭ ଜିହାଦ କରୁଛନ୍ତି। ଆମେ ହିନ୍ଦୁ ବି ଭଲ ପାଉ, ଭଗବାନଙ୍କୁ ଭଲ ପାଇଥାଉ। ଜଣେ ସନ୍ନ୍ୟାସୀ ନିଜ ଭଗବାନଙ୍କୁ ଭଲ ପାଏ। କର୍ଣ୍ଣାଟକର ଶିବମୋଗାରେ ହିନ୍ଦୁ ଜାଗରଣ ବୈଦିକ ଦକ୍ଷିଣ କ୍ଷେତ୍ର ବାର୍ଷିକ ସମ୍ମିଳନୀକୁ ସମ୍ବୋଧିତ କରି ଏହା କହିଛନ୍ତି ପ୍ରଜ୍ଞା ଠାକୁର।

ସନ୍ନ୍ୟାସୀ କୁହନ୍ତି ଭଗବାନଙ୍କ ଦ୍ଵାରା ରଚିତ ଏହି ଦୁନିଆରେ ସମସ୍ତ ଅତ୍ୟାଚାରୀ ଏବଂ ପାପୀଙ୍କ ବିନାଶ କରାଯାଉ। ଏମିତି ନହେଲେ ପ୍ରେମର ସତ୍ୟ ପରିଭାଷା ବଞ୍ଚିବ ନାହିଁ। ଏଥିପାଇଁ ଲଭ ଜିହାଦରେ ସାମିଲ୍ ଲୋକଙ୍କୁ ତାରି ଭାଷାରେ ଜବାବ ଦେବା ଉଚିତ୍। ନିଜ ଘରର ଝିଅଙ୍କୁ ରକ୍ଷା କରନ୍ତୁ। ସେମାନଙ୍କୁ ସଠିକ୍ ମୂଲ୍ୟବୋଧ ଶିଖାନ୍ତୁ ବୋଲି ପ୍ରଜ୍ଞା ଠାକୁର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.