ED ହାତରୁ ଝିଅକୁ ବଞ୍ଚାଇବା ପାଇଁ କେସିଆର କରିଥିଲେ ଷଡ଼ଯନ୍ତ୍ର, ବିଜେପିର ବଡ଼ ନେତାଙ୍କୁ ଗିରଫ କରିବା ଥିଲା ଯୋଜନା

Published By : Prameya-News7 Bureau | May 28, 2024 IST

ନୂଆଦିଲ୍ଲୀ: ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବିଆରଏସ୍ ଅଧ୍ୟକ୍ଷ କେ.ଚନ୍ଦ୍ରଶେଖର ରାଓ ନିଜ ଝିଅ କେ.କବିତାଙ୍କୁ ଇଡି ମାମଲାରେ ବଞ୍ଚାଇବା ପାଇଁ ବିଜେପି ସହ ବୁଝାମଣା କରିବାକୁ ଚାହୁଁଥିଲେ । ଫୋନ୍ ଟ୍ୟାପିଂ ମାମଲାରେ ଗିରଫ ଜଣେ ପୂର୍ବତନ ପୋଲିସ ଅଧିକାରୀ ନିଜ ସ୍ୱୀକାରୋକ୍ତି ବୟାନରେ ଖୁଲାସା କରିଛନ୍ତି ।

ପୂର୍ବତନ ଡିସିପି ପି.ରାଧା କିଷନ ରାଓଙ୍କ ସ୍ୱୀକାରୋକ୍ତି ବୟାନ ଅନୁସାରେ, ‘ପେଡ୍ଡାୟାନା’ (ଚନ୍ଦ୍ରଶେଖର ରାଓ) ନିଜ ପାର୍ଟିର ବିଧାୟକଙ୍କୁ କଥିତ ରୂପେ କିଣିବା ପ୍ରୟାସ ମାମଲାରେ ବିଜେପି ରାଷ୍ଟ୍ରୀୟ ମହାସଚିବ (ସଂଗଠନ) ବିଏଲ୍ ସନ୍ତୋଷଙ୍କ ଗିରଫଦାରୀ ଚାହୁଁଥିଲେ । ରାଓ ବୟାନରେ କହିଛନ୍ତି, 'ଏକ ସ୍ୱତନ୍ତ୍ର ଯାଞ୍ଚ ଟିମ୍ (ଏସଆଇଟି) ଗଠନ କରାଯାଇଥିଲା ଏବଂ ସେକିଆର ମାମଲାକୁ ମଜଭୁତ କରିବା ପାଇଁ ବରିଷ୍ଠ ବିଜେପି ନେତା ସନ୍ତୋଷଙ୍କ ଗିରଫଦାରୀ ଚାହୁଁଥିଲେ । ଯାହାଦ୍ୱାରା ସେ ବିଜେପି ସହ ବୁଝାମଣା କରିପାରିବେ । ଏହାକୁ ଢାଲ କରି ତାଙ୍କ ଝିଅ ଏମଏଲସି କେ.କବିତାଙ୍କୁ ଇଡି ମାମଲାରୁ ମୁକ୍ତ କରିଥାନ୍ତେ ।' 

ବୟାନ ଅନୁସାରେ, 'ତେବେ କିଛି ପୋଲିସ ଅଧିକାରୀଙ୍କ ଅକ୍ଷମତା କାରଣରୁ ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ପୋଲିସ ହାତରୁ ବଞ୍ଚିଗଲେ ଏବଂ ପରେ ମାମଲା ହାଇକୋର୍ଟରେ ପହଞ୍ଚିଥିଲା । ଯେଉଁଥି ଗିରଫ ନକରିବା ପାଇଁ ଆଦେଶ ଜାରି କରାଯାଇଥିଲା ଏବଂ ପରେ ଏସଆଇଟି ହାତରୁ ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା ।'

ରାଧା କିଶନ ରାଓଙ୍କ ବୟାନ ଅନୁସାରେ ଯୋଜନା ଅନୁସାରେ କାମ ପୂରା ହୋଇ ନଥିବାରୁ କେସିଆର ଅଧିକ ରାଗି ଯାଇଥିଲେ । ପୂର୍ବତନ ଡିଏସପି କହିଛନ୍ତି ଯେ ସେ ମାମଲା ଉପରେ ଅଧିକ ଖୁଲାସା କରିପାରିବେ ନାହିଁ କାରଣ ତାଙ୍କ ଉପରେ ପେଡ୍ଡାୟାନାଙ୍କ ଅନେକ ଉପକାର ରହିଛି । ପୂର୍ବତନ ଡିସିପିଙ୍କୁ ଫୋନ୍ ଟ୍ୟାପିଂ ଏବଂ ଅନ୍ୟ କମ୍ପ୍ୟୁଟର ସିଷ୍ଟମ ଏବଂ ଅଫିସିଆଲ୍ ଡାଟା ନଷ୍ଟ କରିବା ମାମଲାରେ ଚଳିତ ବର୍ଷ ମାର୍ଚ୍ଚରେ ଗିରଫ କରାଯାଇଥିଲା । କବିତାଙ୍କୁ ଇଡି ମାର୍ଚ୍ଚରେ ଦିଲ୍ଲୀ ମଦ ନୀତି ମାମଲାରେ ଗିରଫ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.