କଂଗ୍ରେସକୁ ଛାଡି ୨୦୨୪ର ପ୍ରସ୍ତୁତିରେ ଜୁଟିଲେ କେସିଆର, ଏମିତି ରହିଛି ଯୋଜନା  

Published By : Prameya-News7 Bureau | May 22, 2022 IST

ନୂଆଦିଲ୍ଲୀ: କିଛି ଦିନ ପୂର୍ବେ କଂଗ୍ରେସର ରାଜସ୍ଥାନର ଉଦୟପୁରରେ ତିନି ଦିନିଆ ଚିନ୍ତନ ଶିବିର ଆୟୋଜନ କରିଥିଲା। ଏଥିରେ ପାର୍ଟିର ବଡ ବଡ ନେତା ସାମିଲ୍ ହୋଇଥିଲେ ଏବଂ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯାଇଥିଲା। ଚିନ୍ତିନ ଶିବିରର ଶେଷ ଦିନରେ ରାହୁଲ ଗାନ୍ଧୀ ଆଞ୍ଚଳିକ ଦଳକୁ ନେଇ କହିଥିଲେ ଯେ, ବିଜେପିକୁ ହରାଇବା ଆଞ୍ଚଳିକ ଦଳଗୁଡିକ ଦ୍ଵାରା ସମ୍ଭବ  ନୁହେଁ। ଏବେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କଂଗ୍ରେସକୁ ଛାଡି ଆଞ୍ଚଳିକ ଦଳ ସହିତ ମିଶି ଅଲଗା ମୋର୍ଚ୍ଚା ଗଠନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି।

କେସିଆ ଶନିବାର ଦିଲ୍ଲୀ ପହଞ୍ଚିଥିଲେ। ସେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଭେଟିବା ସହ ଦିଲ୍ଲୀ ଶିକ୍ଷା ବ୍ୟବସ୍ଥାର ପ୍ରଶଂସା କରିଛନ୍ତି। ସେ ଏବେ ପଞ୍ଜାବ ଗସ୍ତ କରି କୃଷକ ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା ଚାଷୀଙ୍କ ପରିଜନଙ୍କୁ ଭେଟିବେ। ଏପରିକି ମୃତ କୃଷକଙ୍କ ପରିବାର ଲୋକଙ୍କୁ ୩ ଲକ୍ଷ ଟଙ୍କାର ସହାୟତା ରାଶି ମଧ୍ୟ ଦେବେ। ତାଙ୍କ ସହିତ ଏହି ସମୟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ଵନତ ମାନ ମଧ୍ୟ ରହିବେ।
ଏହା ପୂର୍ବରୁ କେସିଆର ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସପା ମୁଖ୍ୟ ଅଖିଳେଶ ଯାଦବଙ୍କୁ ମଧ୍ୟ ଭେଟିଛନ୍ତି। ଏହା ମଧ୍ୟରେ ତେଲଙ୍ଗାନା କଂଗ୍ରେସ କେସିଆରଙ୍କ ଉପରେ ଦୋମୁହାଁ ନୀତି ଆପଣଉଥିବା ଅଭିଯୋଗ କରିଛନ୍ତି। କଂଗ୍ରେସ ମୁଖପାତ୍ର ଦାସୋଜୁ ଶ୍ରବଣ କହିଛନ୍ତି, ମୁଖ୍ୟମନ୍ତ୍ରୀ ତେଲଙ୍ଗାନାରେ ଆତ୍ମହତ୍ୟା କରିଥିବା ୮ ହଜାର କୃଷକ ପରିବାର ପ୍ରତି ଆଖି ବୁଜି ନେଇଛନ୍ତି। ସେପଟେ ଅନ୍ୟ ରାଜ୍ୟର ଚାଷୀଙ୍କ ପ୍ରତି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।

ଏହି କ୍ରମରେ ମେ ୨୬ରେ କେସିଆର ବେଙ୍ଗାଲୁରୁରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି ଦେବଗୌଡାଙ୍କୁ ମଧ୍ୟ ଭେଟିବେ। ଏହାପରେ ମହାରାଷ୍ଟ୍ର ଗସ୍ତ କରି ରାଲେଗଣ ସିଦ୍ଧିରେ ସାମାଜିକ କାର୍ଯ୍ୟକର୍ତ୍ତା ଅନ୍ନା ହଜାରେଙ୍କୁ ଭେଟିବେ। ପୁଣି ଆଗାମୀ ସପ୍ତାହରେ ପଶ୍ଚିମବଙ୍ଗ ଏବଂ ବିହାର ଗସ୍ତ କରିବେ। ଏହି ଗସ୍ତରେ ସେ ସେହି ଯବାନଙ୍କ ପରିବାରକୁ ଭେଟିବେ ଯେଉଁମାନେ ଗଲଓ୍ଵାନ ସଂଘର୍ଷରେ ସହିଦ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.