ମହିଳା କଂଗ୍ରେସ ନେତାଙ୍କ ପ୍ରକୋଷ୍ଠର ପୋଲିସ ତଲାସୀକୁ ନେଇ କେ.ସି. ବେଣୁଗୋପାଲ ଅସନ୍ତୁଷ୍ଟ, ଜାଣନ୍ତୁ କହିଲେ କ’ଣ?

Published By : Prameya-News7 Bureau | November 06, 2024 IST

ୱାୟନାଡ ୬।୧୧: କଂଗ୍ରେସ ସାଧାରଣ ସମ୍ପାଦକ କେ.ସି.ବେଣୁଗୋପାଲ ବୁଧବାର କେରଳ ପଲକ୍କଡରେ ମହିଳା କଂଗ୍ରେସ ନେତାଙ୍କ ପ୍ରକୋଷ୍ଠର କଥିତ ପୋଲିସ ଯାଞ୍ଚକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ଏହି ପୋଲିସ ତଦନ୍ତକୁ ‘ନାଟକ’ ବୋଲି କହିଥିବା ବେଳେ ଆଇନଗତ କାର୍ଯ୍ୟାନୁଷ୍ଠାନ ଲାଗି ମଧ୍ୟ ଧମକ ଦେଇଛନ୍ତି। କଂଗ୍ରେସ ସାଧାରଣ ସମ୍ପାଦକ ଗଣମାଧ୍ୟମ ସହ ଆଲୋଚନାରେ କହିଛନ୍ତି ଯେ ଏହା ବିଜେପି ନେତୃତ୍ୱ ଦ୍ୱାରା ଲିଖିତ ଓ ମୁଖ୍ୟମନ୍ତ୍ରୀ ପି.ବିଜୟନଙ୍କ ନିର୍ଦ୍ଦେଶିତ ଏକ ନାଟକ। 

ବେଣୁଗୋପାଲ କହିଛନ୍ତି ଯେ ଆମର ଦୁଇ ଗୁରୁତ୍ୱପୂର୍ଣ୍ଣ ମହିଳା ନେତ୍ରୀଙ୍କ ଶୟନ କକ୍ଷର ତଲାସୀ ନିଆଯାଇଥିଲା। ସେମାନେ କେରଳ ସମାଜର ଜଣାଶୁଣା ମହିଳା ନେତ୍ରୀ ହୋଇଥିବା ବେଳେ ସେମାନଙ୍କ ପ୍ରକୋଷ୍ଠର ତଲାସୀ ଆଦେଶ କିଏ ଦେଇଥିଲା ସେ ନେଇ ବେଣୁଗୋପାଲ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଆମେ ଆମର ମହିଳା ନେତ୍ରୀଙ୍କ ସୁରକ୍ଷା ନିମନ୍ତେ ସବୁ ପ୍ରକାର ଆଇନଗତ କାର୍ଯ୍ୟାନୁଷ୍ଠାନ କରିବୁ। ଏହି ଅଭିଯୋଗ କଂଗ୍ରେସର ସେହି ଅଭିଯୋଗ ପରେ ଆସିଛି ଯେଉଁଥିରେ ପୋଲିସ ଅଧିକାରୀ ସୋମବାର ରାତିରେ ପଲକ୍କଡରେ ତଲାସୀ ପାଇଁ ପାର୍ଟିର ମହିଳା ନେତାଙ୍କ ପ୍ରକୋଷ୍ଠକୁ ପଶିଥିଲେ। 

କଂଗ୍ରେସ ନେତା ବିନ୍ଦୁ କୃଷ୍ଣାଙ୍କ ଅନୁସାରେ ମଙ୍ଗଳବାର ପ୍ରାୟ ଅଧରାତିରେ ପୋଲିସ ତାଙ୍କ ଦ୍ୱାର ବାଡେଇଥିଲା ଓ ଘରର ଯାଞ୍ଚ କରିବ ବୋଲି କହିଥିଲା। ତାଙ୍କ ସ୍ୱାମୀ ତଥା କଂଗ୍ରେସ ନେତା କୃଷ୍ଣ କୁମାର ମଧ୍ୟ ତାଙ୍କ ସାଙ୍ଗରେ ଥିଲେ ଓ ସେ ଘରର ତଲାସୀ ନେବାକୁ ଅନୁମତି ଦେଇଥିଲେ। ଏହି ଯାଞ୍ଚ ବେଳେ ପୋଲିସ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଶନିମୋଲ ଉଷ୍ମାନଙ୍କ ପ୍ରକୋଷ୍ଠକୁ ଯାଇଥିଲା ତେବେ ସେ ତାଙ୍କ ରୁମର ତଲାସୀ ପାଇଁ ଜଣେ ମହିଳା ପୋଲିସ ଅଧିକାରୀଙ୍କ ଉପସ୍ଥିତି ଦାବି କରିଥିଲେ। 

କଂଗ୍ରେସ ଅଭିଯୋଗ କରିଛି ଯେ ଏହି ଘଟଣା ସିପିଆଇଏମ ଓ ବିଜେପି ମଧ୍ୟରେ ସମ୍ପର୍କକୁ ଦର୍ଶାଉଛି। ସେ କହିଛନ୍ତି ଯେ ପୋଲିସ ଘଟଣାସ୍ଥଳକୁ ପହଞ୍ଚିବା ପରେ ପରେ ସିପିଆଇଏମ ଓ ବିଜେପି କାର୍ଯ୍ୟକର୍ତ୍ତା ହୋଟେଲକୁ ପହଞ୍ଚି ଯାଇଥିଲେ। ଜବାବରେ ସିପିଆଇଏମ ଅଭିଯୋଗ କରିଛି ଯେ କଂଗ୍ରେସ ନିର୍ବାଚନ ପାଇଁ ପଇସା ନେଇ ଆସିଥିଲା। କେରଳ ବିଧାନସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ନେତା ଭି.ଡି.ସତୀସନ କହିଛନ୍ତି ଯେ ମହିଳା କଂଗ୍ରେସ ନେତାଙ୍କ ପ୍ରକୋଷ୍ଠର ପୋଲିସ ତଲାସୀ ସିପିଆଇ ଓ ବିଜେପି ଷଡ଼ଯନ୍ତ୍ରର ଅଂଶବିଶେଷ ଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.