ଦିନକ ପରେ ନିଖୋଜ କାଉଡିଆଙ୍କ ମୃତଦେହ ଠାବ, ପାଣି ଉଠାଇବାବେଳେ ଭାସିଯାଇଥିଲେ

Published By : Prameya-News7 Bureau | August 02, 2022 IST

ଢେଙ୍କାନାଳ ୦୨/୦୮: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୂଆଳୋ ନିକଟସ୍ଥ ରେଙ୍ଗାଳି ବାମ ପାର୍ଶ୍ୱ କେନାଲରେ ଉଦ୍ଧାର ହେଲା ନିଖୋଜ କାଉଡିଆଙ୍କ ମୃତଦେହ । ଗତକାଲି ଶ୍ରାବଣ ମାସର ତୃତୀୟ ସୋମବାରରେ ଅଷ୍ଟଶମ୍ଭୁ ମନ୍ଦିରରେ ଜଳାଭିଷେକ ପାଇଁ ପାଣି ଉଠାଉଥିବା ବେଳେ ଅସାବଧାନତା ଯୋଗୁ ବୁଡିଯାଇ ନିଖୋଜ ଥିଲେ କାଉଡିଆ ।

ନିଖୋଜ କାଉଡିଆ ଜଣକ ହେଲେ ତାଳଚେର ଅଂଚଳର ମହେଶ୍ୱର ବାରିକ । ତେବେ ଗତକାଲି ଦିନ ତମାମ ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କେନାଲର ଜଳସ୍ତର ଅଧିକ ଥିବା କାରଣରୁ କୌଣସି ସନ୍ଧାନ ପାଇନଥିଲେ । ତେବେ ଏନେଇ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଓଡ୍ରାଫ ଟିମ ଗତକାଲି ସନ୍ଧ୍ୟାରୁ ଘଟଣା ସ୍ଥଳରେ ପହଞ୍ଚିଥିଲା ।

କିନ୍ତୁ ଆଜି ସକାଳେ ନିଖୋଜ ଥିବା କାଉଡିଆଙ୍କ ମୃତଦେହ ଘଟଣାସ୍ଥଳ ଠାରୁ ପାଞ୍ଚ ଶହ ମିଟର ତଳକୁ ଭାସୁଥିବାର ସ୍ଥାନୀୟ ଲୋକ ଦେଖି ଓଡ୍ରାଫ ଟିମକୁ ଖବର ଦେଇଥିଲେ । ଖବର ପାଇ ଉଡ୍ରାଫ ଟିମ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ । ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.