ବହୁଚର୍ଚ୍ଚିତ କାଠୁଆ ଗଣଦୁଷ୍କର୍ମ ମାମଲା : ଗଣଦୁଷ୍କର୍ମ ପରେ ଶିଶୁର ହତ୍ୟା, ୬ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ,ପଠାନକୋଟ କୋର୍ଟ ଶୁଣାଇଲେ ରାୟ
10/06/2019 at 1:09 PM

ଚଣ୍ଡିଗଡ଼ ୧୦/୬: ଜାମ୍ମୁ-କାଶ୍ମୀରର କାଠୁଆରେ ୮ବର୍ଷର ଝିଅ ସହ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ପଠାନକୋଟ କୋର୍ଟ ଗାଁର ମୁଖ୍ୟ ସାଞ୍ଝି ରାମ ସମେତ ୬ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ବିକାଶକୁ ନିର୍ଦେ୍ାଷ ସାବ୍ୟସ୍ତ ହୋଇ ଖଲାସ ହୋଇଛି। କୋର୍ଟ ସୋମବାର ୬ଜଣ ଅଭିଯୁକ୍ତଙ୍କ ବିରୋଧରେ ଶୁଣାଣି ଦେଇଛି। ଦ୍ବିପ୍ରହର ୨ଟାବେଳେ ଦୋଷୀଙ୍କୁ ଦଣ୍ଡ ଶୁଣାଯାଇପାରେ। କ୍ରାଇମ ବ୍ରାଞ୍ଚ ଗତ ବର୍ଷ ଅପ୍ରେଲରେ ସମସ୍ତ ୭ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଶିଟ ଦାଖଲ କରିଥିଲେ। ଏମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ନାବାଳକ। ନିଷ୍ପତ୍ତି ଆଧାରରେ କାଠୁଆରେ ସୁରକ୍ଷା ବଢ଼ାଇ ଦିଆଯାଇଛି।

ଚାର୍ଜଶିଟ ଅନୁସାରେ,ସାଞ୍ଝି ରାମ ପୂରା ଘଟଣାକ୍ରମର ମାଷ୍ଟରମାଇଣ୍ଡ ଥିଲା। ଅପହରଣ ପରେ ପୀଡ଼ିତାଙ୍କୁ ଦେଖାଶୁଣା କରିବା ପାଇଁ ତାକୁ ମନ୍ଦିରରେ ରଖାଯାଇଥିଲା। କୋର୍ଟରେ ୩ଜଣ ପୋଲିସ ଅଫିସର ଦୀପକ ଖଜୁରିଆ,ସୁରେନ୍ଦ୍ର ବର୍ମା ଏବଂ ଅରବିନ୍ଦ ଦତ୍ତା,ହେଡ କନଷ୍ଟେବଲ୍ ତିଳକ ରାଜ ଏବଂ ପ୍ରବେଶ କୁମାର ଓରଫ ମନ୍ନୁକୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। କିନ୍ତୁ ସାଞ୍ଝି ରାମଙ୍କ ପୁଅ ବିଶାଲକୁ ଦୋଷମୁକ୍ତ କରାଯାଇଛି।

ସୁପ୍ରିମ କୋର୍ଟରେ ଗତ ବର୍ଷ କାଠୁଆ କେସକୁ ଜାମ୍ମୁ କାଶ୍ମୀରର ବାହାରେ ପଠାନକୋଟର ଫାଷ୍ଟ ଟ୍ରେକ୍ କୋର୍ଟ ଟ୍ରାନ୍ସଫର କରିଥିଲା। କାଠୁଆରେ ଗତ ବର୍ଷ ଜାନୁୟାରୀ ୧୦ତାରିଖରେ ୮ବର୍ଷର ପୀଡ଼ିତା ନିଖୋଜ ହୋଇଯାଇଥିଲେ,ପରେ ତାଙ୍କର କ୍ଷତ ବିକ୍ଷତ ଶବ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା। ଅଭିଯୋଗ ଥିଲା ଯେ ତାଙ୍କୁ ଏଠାକାର ଏକ ମନ୍ଦିରରେ ବନ୍ଧକ ରଖାଯାଇଥିଲା ଏବଂ ଦୀର୍ଘ ଦିନ ଧରି ତାଙ୍କୁ ଦୁଷ୍କର୍ମ କରାଯାଉଥିଲା।