କାଶ୍ମୀରରେ ପାଣି ପାଲଟୁଛି ବରଫ, ବର୍ଷରୁ ସବୁଠୁ ଅଧିକ ଥଣ୍ଡା ସମୟ
3/01/2023 at 8:30 PM

ଶ୍ରୀନଗର ୩।୧୦: କାଶ୍ମୀର ଉପତ୍ୟାକାରେ ରାତିର ତାପମାତ୍ରା ସାମାନ୍ୟ ସୁଧୁରିଛି। ହେଲେ ହାଡଥରା ଥଣ୍ଡାରୁ ଲୋକଙ୍କୁ ଆଶ୍ୱସ୍ତି ମିଳୁନି। ସ୍ଥାନୀୟ ପାଣିପାଗ ବିଭାଗ ଆଗାମୀ ୨୪ ଘଣ୍ଟା ପାଗ ଶୁଷ୍କ ରହିବ ବୋଲି ପୂର୍ବାନୁମାନ କରିଛନ୍ତି। ପାଣିପାଗ ବିଭାଗ ସୂଚନା ଅନୁସାରେ ଉତ୍ତର କାଶ୍ମୀରର ଗୁଲମର୍ଗ ସବୁଠୁ ଥଣ୍ଡା ସ୍ଥାନରେ ପରିଣତ ହୋଇଛି। ଏଠାରେ ଦିନର ସର୍ବନିମ୍ନ ତାପମାତ୍ରା ଶୁନ୍ୟରୁ ୯ ଡିଗ୍ରି ତଳେ ରେକର୍ଡ ହୋଇଛି। କିଛି ସମୟ ପୂର୍ବରୁ ଏଠାକାର ତାପମାତ୍ରା ବିଯୁକ୍ତ ୧୦ ଡିଗ୍ରି ସେଲସିୟସ ଥିଲା।

ଜମ୍ମୁ-କାଶ୍ମୀରର ଗ୍ରୀଷ୍ମକାଳୀନ ରାଜଧାନୀ ଶ୍ରୀନଗରରେ ସର୍ବନିମ୍ନ ତାପମାତ୍ରା ଶୁନରୁ ୪.୪ ଡିଗ୍ରି ସେଲସିୟସ୍ ତଳେ ରେକର୍ଡ ହୋଇଛି। ତେବେ ଏହା ପୂର୍ବ ରାତ୍ରିରେ ଏହି ତାପମାତ୍ର ବିଯୁକ୍ତ ୫.୪ ଡିଗ୍ରିସେଲସିୟସ୍ ରେକର୍ଡ ହୋଇଥିଲା। ଯାହା ସାଧାରଣରୁ ୨.୩ ଡିଗ୍ରି ସେଲସିୟସ୍ କମ ବୋଲି ପାଣିପାଗ ବିଭାଗ ସୂଚିତ କରିଛନ୍ତି। ସେହିପରି ଦକ୍ଷିଣ କାଶ୍ମୀରର ପର୍ଯ୍ୟଟନ ସ୍ଥଳ ପହଲଗାଓଁରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୭.୨ ଡିଗ୍ରି ସେଲସିୟସ୍ ରେକର୍ଡ ହୋଇଛି।

ଦକ୍ଷିଣ କାଶ୍ମୀରର ଶ୍ରୀନଗର-ଜମ୍ମୁ ଜାତୀୟ ରାଜମାର୍ଗର କାଜିଗୁଣ୍ଡରେ ମଙ୍ଗଳବାର ନ୍ୟୁନତମ ତାପମାତ୍ରା ବିଯୁକ୍ତ ୫.୦ ଡିଗ୍ରି ସେଲସିୟସ ରେକର୍ଡ ହୋଇଛି। ସେହିପରି କୁକୁରନାଗରେ ନ୍ୟୁନତମ ତାପମାତ୍ରା ବିଯୁକ୍ତ ୪.୧ ଡିଗ୍ରି ସେଲସିୟସ ରେକର୍ଡ ହୋଇଛି। ସେହିପରି କୁପୱାର୍ଡାରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୫.୭ ଡିଗ୍ରି ସେଲସିୟସ ରହିଛି। ଯାହା ସାଧାରଣରୁ ୨.୮ ଡିଗ୍ରି ସେଲସିୟସ କମ୍ । ଏଥିରୁ ସାରା ଉପତ୍ୟାକାର ପରିସ୍ଥିତି ସହଜରେ ଅନୁମାନ କରି ହେଉଥିବା ବେଳେ ଲୋକେ ଏବେ ଥଣ୍ଡାରେ ଥରୁଛନ୍ତି।