ବିରୋଧୀଙ୍କ ପ୍ରତିଟି ଆକ୍ଷେପ ଓ ହୀନ ବୟାନର ଜବାବ ଦେବେ ଭୋଟର

Published By : Prameya-News7 Bureau | May 10, 2024 IST

ଭୁବନେଶ୍ବର: ନିର୍ବାଚନୀ ମୈଦାନରେ ଘନଘନ ଆକ୍ରମଣ ପ୍ରତି-ଆକ୍ରମଣ । ବିରୋଧୀଙ୍କ ସମାଲୋଚନା ଓ ଆକ୍ଷେପକୁ ନେଇ ସେମାନଙ୍କୁ ଗୁଡ଼େଇ ତୁଡ଼େଇ ଟାର୍ଗେଟ୍ କରିଛନ୍ତି ବିଜେଡି ହେଭିଓ୍ବେଟ୍ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ପାଇଁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ମାରାଥନ ଜନସଭା କରି ଭାରତୀୟ ଜନତା ପାର୍ଟିକୁ ବାକ୍ୟ ବାଣରେ ଘାଇଲା କରୁଛନ୍ତି କାର୍ତ୍ତିକ୍ ପାଣ୍ଡିଆନ୍ । କହିଛନ୍ତି, ବିରୋଧୀ ଓଡ଼ିଶାରେ କିଛି ପ୍ରସଂଗ ନପାଇ ଔଷଧ ବିକଳରେ ତାଟିଆ କାମୁଡ଼ୁଛନ୍ତି । ବିରୋଧୀ ଅତି ନିମ୍ନସ୍ତରକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧରେ ହୀନ ବୟାନ ଦେଉଥିବା ମଧ୍ୟ ସେ କହିଛନ୍ତି । 

ଗଞ୍ଜାମ, ଗଜପତି, ନବରଙ୍ଗପୁର, ରାୟଗଡ଼ା, ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ବ୍ରଜରାଜନଗର ଆଦି ଜନସମାବେଶରେ ବିରୋଧୀଙ୍କୁ ଜୋରଦାର ଟାର୍ଗେଟ୍ କରୁଛନ୍ତି ବିଜେଡିର ଏହି ଷ୍ଟାର ପ୍ରଚାରକ । ଜବାବ ଦେଇ ସେ କହିଛନ୍ତି, ଯେତେବେଳେ ବିରୋଧୀ ହତାଶ ହୋଇଯାଆନ୍ତି ସେତେବେଳେ ସେମାନେ ବିଲୋ ଦି ବେଲ୍ଟ ସମାଲୋଚନା କରନ୍ତି । ପ୍ରସଂଗ ନପାଇ ଅତି ନିମ୍ନସ୍ତରକୁ ଯାଇ ବୟାନ ବାଜି କରନ୍ତି । ଅତୀତରେ ମଧ୍ୟ ଏଭଳି କରିଥିଲେ ବିରୋଧୀ । ଯେତେବେଳେ  ବିରୋଧୀ ଏଭଳି ବୟାନ ଦିଅନ୍ତି, ସେତେବେଳେ ନବୀବ ବାବୁ ପ୍ରଚଣ୍ଡ ବହୁମତ ସହିତ ଜିତି କରି ଆସନ୍ତି । ଏହା ଅତୀତରୁ ପ୍ରମାଣିତ ହୋଇଆସୁଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ବିରୋଧୀ ଦେଉଥିବା ପ୍ରତିଟି ହୀନ ବୟାନର ଜବାବ ଓଡ଼ିଶାବାସୀ ଭୋଟ୍ ମାଧ୍ୟମରେ ଦିଅନ୍ତି । ଏଥର ବି ଦେବେ । ବିଜେଡି ପ୍ରତି ବିରୋଧୀଙ୍କ ପ୍ରତିଟି ଆକ୍ଷେପ ଭୋଟରେ ପରିବର୍ତ୍ତନ ହେବ । ୨୦୨୪ ନିର୍ବାଚନରେ ମଧ୍ୟ ସେଭଳି ସଂକେତ ମିଳୁଛି ବୋଲି ବିଜେଡିର ଏହି ଷ୍ଟାର ପ୍ରଚାରକ କହିଛନ୍ତି । ନବୀନ ପଟ୍ଟନାୟକ ପୁଣି ଥରେ ବହୁମତ ଜିତି ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସହିତ ଇତିହାସ ସୃଷ୍ଟି କରିବେ ବୋଲି ପାଣ୍ଡିଆନ୍ ଦୃଢ଼ ଭାବେ କହିଛନ୍ତି । 


 

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.