scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ, ରାଧାଦାମୋଦର ବେଶରେ ଦର୍ଶନ ଦେଲେ ମହାପ୍ରଭୁ

25/10/2023 at 4:09 PM

ପୁରୀ ୨୫।୧୦: ଶ୍ରୀମନ୍ଦିରରେ ବୁଧବାର ଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ କାର୍ତ୍ତିକ ନୀତି । ଆଶ୍ବିନ ମାସ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କର ଏହି ନୀତି ଚାଲିବାକୁ ଥିବାବେଳେ ମାସେ ଧରି ମହାପ୍ରଭୁଙ୍କ ସ୍ବତନ୍ତ୍ର ବାଳଭୋଗ ସହ ରାଧାଦାମୋଦର ବେଶ କରାଯିବ । ତେବେ ମଙ୍ଗଳବାର ଦଶହରାରେ ମହାପ୍ରଭୁଙ୍କ ଅନେକ ଗୁଡ଼ିଏ ନୀତିକାନ୍ତି ଥିବାରୁ ରାତ୍ର ପହୁଡ଼ କରାଯାଇନଥିଲା । ତେଣୁ ବୁଧବାର ସକାଳ ୭ଟା ୧୫ ମିନିଟରେ ମଙ୍ଗଳ ଆଳତୀ ପରେ କାର୍ତ୍ତିକ ନୀତି ସୁରୁଖୁରୁରେ ସମ୍ପାଦିତ ହୋଇଛି । ମହାପ୍ରଭୁଙ୍କ ମଙ୍ଗଳ ଆଳତୀ, ମଇଲମ, ତଡପଲାଗି ସହ ଅବକାଶ ପରେ ରାଧାଦାମୋଦର ବେଶ, ଗୋପାଳବଲ୍ଲଭ, ସକାଳଧୂପ, ବାଳଧୂପ, ଭୋଗମଣ୍ତପ ଓ ମଧ୍ୟାହ୍ନ ଧୂପ ସରିଥିଲା । ତେବେ କାର୍ତ୍ତିକ ନୀତିରେ ବାଳଧୂପ ଏକ ସ୍ବତନ୍ତ୍ର ଭୋଗ ଥିବାରୁ ଏଥିରେ କୋରା, ଦୋଭଜା, ଲିଆ, ଅଦା, ଖଇ, ନଡିଆ, ଚାଉଳିଆ, ସେଓ, କମଳା, କଦଳୀ, କାକୁଡି, ପଇଡ ଆଦି ଭୋଗ କରାଯାଇଥାଏ। ।

କାର୍ତ୍ତିକ ମାସରେ ପ୍ରଭୁ ବିଷ୍ଣୁଙ୍କର ନାମ ଦାମୋଦର ହୋଇଥିବାରୁ ଏହାକୁ ରାଧାଦାମୋଦର ବେଶରେ ନାମକରଣ କରାଯାଇଛି । ତେବେ ବୁଧବାର ଏକାଦଶୀ ଅବସରରେ ମହାପ୍ରଭୁଙ୍କ ବେଶ ମଧ୍ୟ ସ୍ବତନ୍ତ୍ର ରହିଛି । ଫୁଲ ନିର୍ମିତ ଗୁଣା, ଚିତା ଓ ଅଧରମାଳା ସହ ବିଭିନ୍ନ ପ୍ରକାର ସୁବର୍ଣ୍ଣ ଅଳଙ୍କାର ଠାକୁରମାନଙ୍କୁ ଲାଗି କରାଯାଇଥାଏ । ଏହି ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ତ୍ରିକଚ୍ଛ ପରିଧାନ କରିବା ସହ ଦୁଇ ହସ୍ତରେ ସୁବର୍ଣ୍ଣ ନଳୀଭୁଜ, ତ୍ରିମୁଣ୍ଡିରେ ବାଉଁଶ ପାତିଆ ଓ କନାରେ ନିର୍ମିତ ଚୂଳ, ଚୂଳର ଅଗ୍ରଭାଗରେ ରୂପା ଚନ୍ଦ୍ରିକା, କର୍ଣ୍ଣଦେଶରେ କୁଣ୍ଡଳ, କଟିଦେଶରେ ଓଡ଼ିଆଣୀ କମରପଟି, କଣ୍ଠରେ ସୁବର୍ଣ୍ଣ ଘାଗଡ଼ା ମାଳି, କପାଳରେ ତିଳକ, ଚନ୍ଦ୍ର ସୂର୍ଯ୍ୟ ଏବଂ ରାମାନନ୍ଦୀ ଚିତା ଇତ୍ୟାଦି ସୁବର୍ଣ୍ଣ ଅଳଙ୍କାରରେ ଶ୍ରୀଜୀଉ ଭୂଷିତ ହୋଇଥାନ୍ତି । ମସ୍ତକରେ ଡଡ଼ଗି ସହିତ ବିଭିନ୍ନ ପ୍ରକାର ପୁଷ୍ପ ଅଳଙ୍କାର, ସୁବର୍ଣ୍ଣ ଅଳଙ୍କାର ସହ ପାଟଶାଢ଼ୀ, ଫୁଟା, ଶିରି କପଡ଼ା, ପହରଣ, ବଳା, ଅଧରବଳା ଓ ଉତ୍ତରୀୟ ବସ୍ତ୍ର ମଧ୍ୟ ଲାଗି ହୁଏ । ତେବେ ଭକ୍ତମାନେ ମହାପ୍ରଭୁଙ୍କ ଏହି ରାଧାଦାମୋଦର ବେଶ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଥିବା କହିଛନ୍ତି ।

ତେବେ ବୁଧବାର ଏକାଦଶୀ ଅବସରରେ ପୁରୀରେ ପୂଜା ପାଉଥିବା ସମସ୍ତ ଗୋସାଣୀଙ୍କ ଭସାଣ ଉତ୍ସବ ଅନୁଷ୍ଠିତ ହେବ । ଏନେଇ ବୁଧବାର ସନ୍ଧ୍ୟାରେ ସମସ୍ତ ଗୋଷାଣୀ ଓ ନାଗା ଶ୍ରୀମନ୍ଦିର ସମ୍ମୁଖରେ ଏକାଠି ହେବେ । ଏହା ଦେବୀ ସଭା ନାମରେ ପରିଚିତ । ତେଣୁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

You Can Read :

   Related Posts