ସୂରଜଙ୍କ ନୂଆ ‘ପ୍ରେମ’ କାର୍ତ୍ତିକ ଆର୍ଯ୍ୟନ, ଜାଣନ୍ତୁ ଫିଲ୍ମର ପୂରା ଡିଟେଲ୍ସ

Published By : Prameya-News7 Bureau | June 10, 2024 IST

ହିନ୍ଦୀ ସିନେମା ଦର୍ଶକଙ୍କୁ ପାରିବାରିକ କାହାଣୀ ଥିବା ଫିଲ୍ମ ଭେଟି ଦେବାରେ  ନିର୍ଦ୍ଦେଶକ ସୂରଜ ବଡ଼ଜାତ୍ୟାଙ୍କର ବେଶ୍‌ ସୁନାମ ରହିଛି । ‘ହମ୍‌ ଆପକେ  ହେ କୌନ’, ‘ହମ୍‌ ସାଥ୍‌ ସାଥ୍‌ ହେ’, ‘ବିବାହ’ ଆଦି ତାହାର ଗୋଟିଏ  ଗୋଟିଏ ଉଦାହରଣ । ପୁଣି ସୂରଜଙ୍କ ଅଧିକାଂଶ ଫିଲ୍ମର ମୁଖ୍ୟ ନାୟକ  ସଲ୍‌ମାନ ଖାନଙ୍କ ଚରିତ୍ରର ନାଁ ‘ପ୍ରେମ୍‌’ । ‘ବିବାହ’ରେ ସାହିଦ କପୁରଙ୍କ  ନାଁ ମଧ୍ୟ ଥିଲା ପ୍ରେମ୍‌ । ଏହି ନାଁଟି ପ୍ରତି ସୂରଜଙ୍କର ବେଶ୍‌ ଦୁର୍ବଳତା ରହିଛି ।  

ଏ କାରଣରୁ ସୂରଜ ତାଙ୍କ ପରବର୍ତ୍ତୀ ସିନେମାର ନାଁ ମଧ୍ୟ ରଖିଛନ୍ତି ‘ପ୍ରେମ୍‌  କି ସାଦି ହେ’ । ଏ ଫିଲ୍ମକୁ ନେଇ ବେଶ୍‌ କିଛି ଦିନ ହେଲା ଚର୍ଚ୍ଚା ଲାଗିରହିଛି ।  ଏଥିରେ ସଲମାନ୍‌ ଅଭିନୟ କରିବେ ବୋଲି ପ୍ରଥମେ ଶୁଣାଯାଉଥିଲା । ପରେ  ଚର୍ଚ୍ଚା ହେଲା ଯେ ଏଥିରେ ସାହିଦ କାମ କରିବେ । ଏବେ  ଶୁଣିବାକୁ ମିଳିଲାଣି ଏ ଦୁଇ ଜଣ ନୁହନ୍ତି, ସୂରଜଙ୍କ  ଫିଲ୍ମର ନୂଆ ‘ପ୍ରେମ୍‌’ ହେବେ କାର୍ତ୍ତିକ ଆର୍ଯ୍ୟନ୍‌ ।  ତେବେ ଏହି ବିଷୟ ଚୂଡ଼ାନ୍ତ ହୋଇନାହିଁ । କଥାବାର୍ତ୍ତା  ଚାଲିଛି । ଯଦି ସବୁ ଠିକ୍‌ ରହେ ଓ କାର୍ତ୍ତିକଙ୍କ ସହ  ସୂରଜଙ୍କ ଚୁକ୍ତି ଚୂଡ଼ାନ୍ତ ହୋଇଯାଏ, ତା’ହେଲେ  କାର୍ତ୍ତିକ ରାଜଶ୍ରୀ ବ୍ୟାନରର ନୂଆ ପ୍ରେମ୍‌ ହେବେ ।  

ଏ ବାବଦରେ ବର୍ତ୍ତମାନ ବିଧିବଦ୍ଧ ଭାବରେ କିଛି  ଘୋଷଣା କରାଯାଇ ନାହିଁ । ‘ପ୍ରେମ୍‌ କି ସାଦି’ରେ  ଯଦି କାର୍ତ୍ତିକ ଅଭିନୟ କରନ୍ତି, ତା’ହେଲେ ସୂରଜଙ୍କ  ସହ ଏହା ତାଙ୍କର ପ୍ରଥମ ସିନେମା ହେବ । ବର୍ତ୍ତମାନ  କାର୍ତ୍ତିକ ନିର୍ଦ୍ଦେଶକ କବୀର ଖାନଙ୍କ ‘ଚନ୍ଦୁ ଚାମ୍ପିୟନ’ର   ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ଜୁନ୍‌ ୧୪ରେ ଏ ଫିଲ୍ମ  ମୁକ୍ତିଲାଭ କରିବ ।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.