ମୁମ୍ଵାଇ ୨୪।୦୬: ବଲିଉଡରେ ବହୁଦିନରୁ ପ୍ରତିଷ୍ଠିତ ହୋଇସାରିଛନ୍ତି । ନୂଆ ପିଢ଼ିର ଅନ୍ୟତମ ସଫଳ ତାରକା ସେ । ଗୋଟିଏ ପରେ ଗୋଟିଏ ସିନେମା ରହିଛି ତାଙ୍କ ହାତରେ । ଗତ କିଛି ବର୍ଷ ମଧ୍ୟରେ ତାଙ୍କ କ୍ୟାରିଅର୍ର ମୋଡ ବଦଳିଯାଇଛି । ତଥାପି ସେ ନିଜକୁ ହତଭାଗ୍ୟ ବୋଲି କୁହନ୍ତି । ନାମ, ଅର୍ଥ, ଯଶ, ଖ୍ୟାତି- ସବୁ ପାଇଛନ୍ତି । ତାହେଲେ ନିଜକୁ ହତଭାଗ୍ୟ ବୋଲି କହିବାର କିଛି କାରଣ ନାହିଁ । କଥା ହେଉଛି ଜୀବନରେ ସବୁକିଛି ପାଇସାରିବା ପରେ ବି କାର୍ତ୍ତିକ ଆର୍ଯ୍ୟନଙ୍କ ଜୀବନ ଅଧୁରା ରହିଯାଇଛି । ଅର୍ଥାତ ତାଙ୍କ ଜୀବନକୁ ବିଶେଷ ବାନ୍ଧବୀ ଆସିନାହାନ୍ତି । ଚଳଚ୍ଚିତ୍ର ଜଗତରେ ସଂପର୍କର ସମୀକରଣ ସବୁବେଳେ ଦୁର୍ବୋଧ୍ୟ । ପ୍ରେମ, ବିଚ୍ଛେଦ ତ ରହିଛି । ତାହା ସହିତ ତ୍ରିକୋଣୀୟ ପ୍ରେମ, ପରକୀୟା ମଧ୍ୟ ପ୍ରାୟ ସମୟରେ ଶୁଣିବାକୁ ମିଳେ । ସେମିତି କାର୍ତ୍ତିକଙ୍କ ସହିତ ସାରା ଅଲ୍ଲୀ ଖାନ ଏବଂ ଜାହ୍ନବୀ କପୁରଙ୍କ ସଂପର୍କ ନେଇ ଚର୍ଚ୍ଚା ଚାଲିଥିଲା । ଯଦିଓ ସେମାନେ କେହି ବି ସଂପର୍କ ଥିବା କଥା ଖୋଲାଖୋଲି ସ୍ୱୀକାର କରିନଥିଲେ ।
ସୀମିତ ସମୟ ମଧ୍ୟରେ ବଲିଉଡରେ ପ୍ରତିଷ୍ଠା ଲାଭ କରିଥିଲେ କାର୍ତ୍ତିକ । ସେହି ସମୟରେ ତାଙ୍କ ସହିତ ପ୍ରଥମେ ସାରାଙ୍କ ନାଁ ଯୋଡା ହୋଇଥିଲା । ‘ଲଭ୍ ଆଜ୍ କଲ୍୨’ ଫିଲ୍ମର ସୁଟିଂ ଚାଲୁଥିବା ସମୟରେ ସାରା ଓ କାର୍ତ୍ତିକଙ୍କ ସଂପର୍କ କାଳେ ଅଧିକ ଗଭୀର ହୋଇଥିଲା । ଶୁଣିବାକୁ ମିଳିଥିଲା ଫିଲ୍ମର ସୁଟିଂ ପରେ କାଳେ ସାରା ଓ କାର୍ତ୍ତିକ ବିବାହ କରିବେ । କିନ୍ତୁ ପ୍ରକୃତରେ ସେମିତି କିଛି ହୋଇନଥିଲା । ପୁଣି ଫିଲ୍ମ ‘ଦୋସ୍ତାନା ୨’ର ସୁଟିଂ ସମୟରେ କାର୍ତ୍ତିକଙ୍କ ନାଁ ସହିତ ଜାହ୍ନବୀଙ୍କ ନାଁ ଯୋଡା ହୋଇଥିଲା । କିନ୍ତୁ ପ୍ରେମ ଅଙ୍କୁରୋଦଗମ୍ ହେବା ଆଗରୁ ହିଁ ମଉଳି ଯାଇଥିଲା । କାରଣ ଜାହ୍ନବୀ ନିଜ କ୍ୟାରିଅର୍ ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ । ଏହା ବ୍ୟତୀତ ଜାହ୍ନବୀଙ୍କ ବନ୍ଧୁ ଶିଖର ପାହାଡ଼ିଆ ସେତେବେଳକୁ ତାଙ୍କ ଜୀବନକୁ ଆସିଯାଇଥିଲେ। ତେଣୁ କାର୍ତ୍ତିକଙ୍କ ସହ ପ୍ରେମ ସଂପର୍କ ତୁଟାଇ ସେ ଶିଖରଙ୍କ ସହ ସଂପର୍କ ଯୋଡ଼ିଥିଲେ ।
କିଛିଦିନ ତଳେ ନିଜ ପ୍ରେମ ଜୀବନ ସମ୍ପର୍କରେ ଉଲ୍ଲେଖ କରିବାକୁ ଯାଇ କାର୍ତ୍ତିକ କହିଥିଲେ ପ୍ରେମ ପ୍ରସଙ୍ଗରେ ସେ ବଡ଼ ହତଭାଗ୍ୟ । କାରଣ ତାଙ୍କ ପାଖରେ ସବୁ ଥାଇ ବି ତାଙ୍କୁ ପ୍ରେମିକା ମିଳୁନାହାନ୍ତି । ସେ ଏହା ବି କହିଥିଲେ ଏମିତି ଏକ ସମୟ ଥିଲା ଯେତେବେଳେ ତାଙ୍କ ନାଁ ଅନ୍ୟ ଅଭିନେତ୍ରୀଙ୍କ ସହ ଯୋଡା ହେଇଥିଲା । କିନ୍ତୁ ସେହି ସଂପର୍କ ଆଗକୁ ବଢ଼ିବା ଆଗରୁ ହିଁ ଭାଙ୍ଗିଗଲା । ତେଣୁ ବ୍ୟକ୍ତିଗତ ଜୀବନରେ ସେ ଏବେ ସଂପୂର୍ଣ୍ଣ ଏକାକୀ । ସେ ଏହା ସ୍ୱୀକାର ବି କରିଛନ୍ତି ଯେ ନାମ, ଅର୍ଥ, ଯଶ ସବୁକିଛି ମିଳିଥିଲେ ବି ପ୍ରକୃତ ଭଲପାଇବା ତାଙ୍କୁ ଏଯାଏ ମିଳିନି । ତଥାପି ସେ ତାଙ୍କ ମନର ମାନସୀଙ୍କୁ ଖୁବ୍ ଶୀଘ୍ର ପାଇବେ ବୋଲି କୁହନ୍ତି ।