ଚୀନ୍ରେ ଅସମ୍ଭାଳ କରୋନା ସ୍ଥିତି : ମୃତ୍ୟୁ ସଂଖ୍ୟା ୧୬ଶହ ଟପିଲା , ୬୬ ହଜାରରୁ ଅଧିକ ଆକ୍ରାନ୍ତ
16/02/2020 at 7:48 AM

ବେଜିଂ ୧୬।୦୨: ଚୀନରେ ଅସମ୍ଭାଳ ହୋଇଗଲାଣି କରୋନା ଭାଇରସ ସ୍ଥିତି । ଶନିବାର ସୁଦ୍ଧା ଚୀନରେ ମୃତ୍ୟୁସଂଖ୍ୟା ୧୬ଶହ ଟପିଯାଇଛି । ଏହାସହିତ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୬୬ ହଜାରରେ ପହଞ୍ଚିଛି । ଗୋଟିଏ ଦିନରେ ଚୀନରେ ଆଉ ୧୪୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୬୪୧ଟି ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି ।

କରୋନା ଭାଇରସ କେବଳ ଚୀନ ନୁହେଁ , ଚୀନ ବାହାରେ ମଧ୍ୟ ମୃତ୍ୟୁ ଖବର ପହଞ୍ଚିବାରେ ଲାଗିଛି । ପ୍ୟାରିସରେ ଥିବା ଚୀନର ଜଣେ ବ୍ୟକ୍ତି ଏହି ରୋଗରେ ପଡ଼ି ମୃତ୍ୟୁବରଣ କରିଛି । ତେବେ ଚୀନର ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଥିବା ପ୍ରାୟ ୮୦୯୬ ଜଣ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ଚୀନର ଜାତୀୟ ଡାକ୍ତରୀ କମିଶନ କହିଛି । ଅନ୍ୟପକ୍ଷରେ ଏହି ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛି ଭାରତ ।

ଭାରତରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଚୀନର ଉହାନ ସହରରୁ ବ୍ୟାପିଥିବା କରୋନା ଭାଇରସ ଚୀନ ସମେତ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ହୋଇଛି । ଏବେ ପ୍ରାୟ ୨୬ ଟି ଦେଶକୁ ଏହା ବ୍ୟାପିସାରିଲାଣି ବୋଲି ଜଣାଯାଇଛି । ଉହାନରେ ଥିବା ଏକ ପଶୁମାଂସ ବଜାରରେ ଏହି ଭୁତାଣୁ ମନୁଷ୍ୟ ଶରୀରକୁ ଆସିଥିବା ସଂଦେହ କରାଯାଉଛି ।