କରୋନା ମୁକାବିଲା ଆହୁରୀ ଜୋରଦାର : ଧର୍ମାନୁଷ୍ଠାନକରୁ ଆଡଭାଇଜରୀ, ସଂଧ୍ୟା ୬ରେ ହାଟ ବନ୍ଦ

Published By : Prameya-News7 Bureau | March 18, 2020 IST

ଭୁବନେଶ୍ବର ୧୮।୦୩: ରାଜ୍ୟରେ ଯେଭଳି କରୋନା ନ ବ୍ୟାପେ ସେଥିପାଇଁ ପ୍ରତିଦିନ ଗୋଟିଏ ପରେ ଗୋଟିଏ ରୋକ୍‌ ଲଗାଇଛନ୍ତି ରାଜ୍ୟ ସରକାର।  ଆଜି ଧର୍ମାନୁଷ୍ଠାନ ଗୁଡ଼ିକୁ କରୋନା ସତର୍କତା ପାଇଁ ଆଡଭାଇଜରୀ ଜାରି କରାଯାଇଛି । ଶ୍ରଦ୍ଧାଳୁଙ୍କର ଭିଡ଼ କମାଇବା ସହିତ ଧର୍ମାନୁଷ୍ଠାନ ପରିସର ପରିଷ୍କାର ପରିଚ୍ଛନ୍ନ ରଖିବାକୁ କୁହାଯାଇଛି । ବିଏମ୍‌ସି ଅଧିନରେ ଥିବା ହାଟକୁ ରାତିରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବ୍ୟାଙ୍କ ଏବଂ କମ୍ପାନୀ ଗୁଡ଼ିକୁ ଆଡଭାଇଜରୀ ଜାରି କରାଯାଇଛି । ଗୃହପାଳିତ ପଶୁ ମାନଙ୍କୁ ବାହାରକୁ ନଛାଡିବା ପାଇଁ ପରାର୍ମଶ ଦିଆଯାଇଛି ।

ମନ୍ଦିର, ମସଜିଦ୍‌ ଚର୍ଚ୍ଚ ଗୁରୁଦ୍ବାରା ସବୁ ଧର୍ମାନୁଷ୍ଠାନକୁ ଆଡଭାଇଜରୀ । ଧର୍ମାନୁଷ୍ଠାନ ପରିସରକୁ ପରିଷ୍କାର ରଖନ୍ତୁ। ଶ୍ରଦ୍ଧାଳୁଙ୍କ ଭିତରେ ଦୂରତା ସୁନିଶ୍ଚିତ କରାଅ। ଯଦି ଧର୍ମାନୁଷ୍ଠାନ କର୍ତ୍ତୃପକ୍ଷ ଏହା କରିବାରେ ଅସମର୍ଥ ତେବେ ଶ୍ରଦ୍ଧାଳୁଙ୍କୁ ଭିତରକୁ ଯିବାକୁ ଦିଅନ୍ତୁ ନାହିଁ। ରାଜ୍ୟ ସରକାର ଏମିତି କିଛି ଆଡଭାଇଜରୀ ଜାରି କରିଛନ୍ତି । ସେହିପରି ଭୁବନେଶ୍ବରରେ ରାତିରେ ହାଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।  ବିଏମ୍‌ସି ଅଧୀନରେ ଆସୁଥିବା ୭ଟି ହାଟ ସଂଧ୍ୟା ୬ ପରେ ବନ୍ଦ ହେବ।  ସେହିପରି ବ୍ୟାଙ୍କ ଗୁଡ଼ିକୁ ଅର୍ଥ ବିଭାଗ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି । ଏଟିଏମ୍‌ରେ ପର୍ଯ୍ୟାପ୍ତ ଟଙ୍କା ରଖ। ମେସିନକୁ  ସାନିଟାଇଜର କରନ୍ତୁ । ବ୍ୟାଙ୍କ କର୍ମଚାରୀ ମାସ୍କ ବ୍ୟବହାର କରନ୍ତୁ।  ଗାଇଡ୍‌ଲାଇନ୍‌ ପାଳନ ତଦାରଖ କରିବାକୁ OSDMA ସ୍ବେଚ୍ଛାସେବୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

 କରୋନାରୁ ରକ୍ଷା ପାଇବା ପାଇଁ ମଧ୍ୟ ଶ୍ରମ ବିଭାଗ ପକ୍ଷରୁ ବିଭିନ୍ନ କମ୍ପାନୀ ଗୁଡ଼ିକୁ ଗାଇଡ୍‌ଲାଇଡ୍‌ ଜାରି କରାଯାଇଛି। ବାହାରେ କାମ କରୁଥିବା ଶ୍ରମିକଙ୍କ ପାଇଁ ହାତ ଧୋଇବା ପାଇଁ ସୁବିଧା କର।  ସାବୁନ ଏବଂ ସାନିଟାଇଜର ରଖ । ମୁହଁରେ ଲଗାଇବା ପାଇଁ ମାସ୍କ ଯୋଗାଅ । କାମ କରିବା ବେଳେ ନାକ ପାଟିକୁ କଭର କର । ଶ୍ରମିକ ମାନଙ୍କୁ ପାଇଁ ହୋଇଥିବା ବିଶ୍ରାମଗାରକୁ ଭଲ ଭାବେ ସାନିଟାଇଜ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରମ କମିଶନର।  ଏପଟେ ଗୃହ ପାଳିତ ପଶୁ ମାନଙ୍କୁ ବାହାରକୁ ନଛାଡିବାକୁ ପରାର୍ମଶ ଦିଆଯାଇଛି।  ଗୃହପାଳିତ ପଶୁମାନଙ୍କ ଦ୍ବାରା କରୋନା ବ୍ୟାପିବାର ସମ୍ଭାବନା ନାହିଁ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସ୍ପଷ୍ଟ କରିଛି ବୋଲି ପଶୁ ସମ୍ପଦ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।  କରୋନା ଯେଉଳି ନ ବ୍ୟାପେ ସେଥିପାଇଁ ସରକାର ପ୍ରତିଦିନ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.