ଢ଼େଙ୍କାନାଳରୁ ସାଇବର ଠକକୁ ଉଠାଇନେଲା କର୍ଣ୍ଣାଟକ ପୋଲିସ, ଲୁଟିଥିଲା ୧୨.୫ ଲକ୍ଷ ଟଙ୍କା

Published By : Prameya-News7 Bureau | October 10, 2021 IST

ଢ଼େଙ୍କାନାଳ ୧୦/୧୦:  ନକଲି କମ୍ପାନୀ କରି ଠକୁଥିଲା  ଲକ୍ଷ ଲକ୍ଷ ଟଙ୍କା । ଓଡ଼ିଶାର ଢ଼େଙ୍କାନାଳରୁ ଚେର ଲମ୍ବିଥିଲା କର୍ଣ୍ଣାଟକ।  ଆଉ ଅଭିଯୋଗ ପାଇ କର୍ଣ୍ଣାଟକ ସାଇବର ପୋଲିସ ଜଣେ ସାଇବର ଠକକୁ ଢେଙ୍କାନାଳରୁ ଗିରଫ କରିଛି ।  ଏହି ସାଇବର ଅପରାଧୀକୁ ଢେ଼ଙ୍କାନାଳ ପୋଲିସ ସହାୟତାରେ ଧରିଛି କର୍ଣାଟକ ପୋଲିସ । ମିଳିଥିବା ସୂଚନା ଅନୁଯାୟୀ, କଟକ ଜିଲ୍ଲା ଖୁଣ୍ଟୁଣି ଥାନା ଅନ୍ତର୍ଗତ ଡ଼ାଳଭାଗ ଗ୍ରାମର ସୋମନାଥ ରାଉତ  ନାମକ ଜଣେ ଯୁବକ ଦୀପକ ଶର୍ମା ନାମରେ ଇଣ୍ଡିଆ ସାଇନ ଗୁଡ୍ସ ଆଣ୍ଡ ଇନଫ୍ରା ପ୍ରାଇଭେଟ୍ ଲିମିଟେଡ ନାମକ ଏକ ନକଲି କମ୍ପାନୀ ଖୋଲିଥିଲା ।

ତେବେ ଏହି କମ୍ପାନୀ ସାହାଯ୍ୟରେ କର୍ଣ୍ଣାଟକର ତିମ୍ମପା  ଭଟ୍ଟ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୧୨ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଥିଲା ସୋମନାଥ ।ଏହି ସାଇବର ଠକେଇ ଘଟଣାକୁ ନେଇ ତିମ୍ମପା  ଭଟ୍ଟ ଗତ ୫ ଅଗଷ୍ଟରେ କର୍ଣ୍ଣାଟକ ପୋଲିସରେ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ପୋଲିସ  ଆଇଟି ଆକ୍ଟ ଅନୁଯାୟୀ କେସ ନଂ ୧୦୩/୨୦୨୧ରେ ମାମଲା ରୁଜୁ କରିଥିଲା । କର୍ଣ୍ଣାଟକ ପୋଲିସ ତଦନ୍ତ କରିବା ପରେ ସୋମନାଥ ଢେ଼ଙ୍କାନାଳରେ ରହୁଥିବା ଜାଣିବାକୁ ପାଇଥିଲା ।

ଆଜି ଢେ଼ଙ୍କାନାଳ ପୋଲିସ ସହାୟତାରେ ସୋମନାଥ ଷ୍ଟେସନ ବଜାରରେ ରହୁଥିବା ଭଡ଼ା ଘରୁ ଉଠାଇ ନେଇଛି କର୍ଣ୍ଣାଟକ ପୋଲିସ।  ସୋମନାଥ ଠାରୁ ପୋଲିସ ଚାରୋଟି ମୋବାଇଲ ଗୋଟିଏ ଲ୍ୟାପଟପ୍ , ତାର ବ୍ୟାଙ୍କ ଏଟିଏମ, ପାସ ବୁକ ଆଦିକୁ ମଧ୍ୟ ଜବତ  କରିଛି । ଗିରଫ ପରେ କର୍ଣ୍ଣାଟକ ପୋଲିସ ସୋମନାଥକୁ କର୍ଣ୍ଣାଟକ ନେଇ ଯାଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.