ବେଆଇନ ଭାବେ କୋଟି କୋଟି ଟଙ୍କା ଟ୍ରାନ୍ସଫର ମାମଲା, କର୍ଣ୍ଣାଟକ ସରକାରର ମନ୍ତ୍ରୀ ବି.ନାଗେନ୍ଦ୍ରଙ୍କ ଇସ୍ତଫା

Published By : Prameya-News7 Bureau | June 06, 2024 IST

ନୂଆଦିଲ୍ଲୀ: କର୍ଣ୍ଣାଟକ ସରକାରରେ ମନ୍ତ୍ରୀ ବି.ନାଗେନ୍ଦ୍ର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ବିରୋଧରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆସିବା ପରେ ସେ ନିଜ ଆଡ଼ୁ ଇସ୍ତଫା ଦେଇଛନ୍ତି । ନାଗେନ୍ଦ୍ରଙ୍କ ଇସ୍ତଫା ନେଇ ପୂର୍ବରୁ ଅନୁମାନ କରାଯାଇଥିଲା ଏବଂ ଗୁରୁବାର ସେ ନିଜ ଇସ୍ତଫା ପତ୍ର ଦେଇଛନ୍ତି । କର୍ଣ୍ଣାଟକର ଜଣେ ସରକାରୀ କର୍ମଚାରୀ ଆତ୍ମହତ୍ୟା କରିଥିଲେ ଏବଂ ସୁଇସାଇଡ୍ ନୋଟ୍‌ରେ କୋଟି କୋଟି ଟଙ୍କା ଦୁର୍ନୀତି କଥା କହିଥିଲେ । ଏଥିରେ ନାଗେନ୍ଦ୍ରଙ୍କ କଥା ମଧ୍ୟ ଉଲ୍ଲେଖ କରାଯାଇଥିଲା ।

ଅଭିଯୋଗ ଅନୁସାରେ କର୍ଣ୍ଣାଟକରେ ବେଆଇନ ଭାବେ କୋଟି କୋଟି ଟଙ୍କା ଟ୍ରାନ୍ସଫର କରାଯାଇଥିଲା । ଏଥିରେ ମହର୍ଷି ବାଲ୍ମୀକି ଅନୁସୂଚିତ ଜନଜାତି ବିକାଶ ନିଗମ ସାମିଲ ଥିଲା । ମେ ୨୬ରେ ରାଜ୍ୟର ଜଣେ ସରକାରୀ କର୍ମଚାରୀ ଆତ୍ମହତ୍ୟା କରିଥିଲେ ଏବଂ ପାଞ୍ଚ ପୃଷ୍ଠାର ସୁଇସାଇଡ୍ ନୋଟ୍ ଲେଖିଥିଲେ । ଏଥିରେ ସେ ନିଜ ବରିଷ୍ଠ ଅଧିକାରୀ ଏବଂ ମନ୍ତ୍ରୀଙ୍କ ନାଁ ଉଲ୍ଲେଖ କରିଥିଲେ, ଯେଉଁମାନେ ବେଆଇନ ଭାବେ ଟଙ୍କା ଟ୍ରାନ୍ସଫର୍ କରିବା ପାଇଁ କହିଥିଲେ । 

ସରକାରୀ କର୍ମଚାରୀଙ୍କ ସୁଇସାଇଡ୍ ନୋଟ୍ ଅନୁସାରେ ମୋଟ୍ ୧୮୭ କୋଟି ଟଙ୍କା ବେଆଇନ ରୂପେ ଟ୍ରାନ୍ସଫର କରିଥିଲେ । ଏଥିରୁ ୮୮.୬୨ କୋଟି ଟଙ୍କା ଭିନ୍ନ ଭିନ୍ନ ଆକାଉଣ୍ଟକୁ ପଠାଯାଇଥିଲା । ଏଥିରୁ କିଛି ଆକାଉଣ୍ଟ ବଡ଼ ଆଇଟି କମ୍ପାନି ଏବଂ ହାଇଦ୍ରାବାଦର କର୍ପୋରେଟିଭ ବ୍ୟାଙ୍କ ମଧ୍ୟ ଥିଲା । ସୁଇସାଇଡ୍ ନୋଟ୍ ଅନୁସାରେ ବି.ନାଗେନ୍ଦ୍ରଙ୍କ ମନ୍ତ୍ରଣାଳୟ ଅଧିନରେ ଆସୁଥିବା ଅନୁସୂଚିତ ଜନଜାତି ନିଗମ ଖାତାରୁ ୧୮୭ କୋଟି ଟଙ୍କାର ବେଆଇନ ଟଙ୍କା ଟ୍ରାନ୍ସଫର ହୋଇଥିଲା । ଏହି ମାମଲାରେ ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ମଧ୍ୟ ଅଭିଯୋଗ କରାଯାଇଥିଲା । ଏହାପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏବଂ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ  ବୈଠକ କରିଥିଲେ । ଦୁହେଁ କଥିତ ରୂପେ ନାଗେନ୍ଦ୍ରଙ୍କୁ ଇସ୍ତଫା ଦେବା ପାଇଁ କହିଥିଲେ । ଏହାସହ ନାଗେନ୍ଦ୍ରଙ୍କୁ ପ୍ରତିଶ୍ରୁତି ଦିଆଯାଇଛି ଯେ ଯଦି ସେ ନିର୍ଦ୍ଦୋଷ ସାବ୍ୟସ୍ତ ହୁଅନ୍ତି ତେବେ ପୁଣି ଥରେ ମନ୍ତ୍ରଣାଳୟ ଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.