ଖଣି ବ୍ୟବସାୟୀ ତଥା ପୂର୍ବତନ ବିଜେପି ମନ୍ତ୍ରୀ ଜନାର୍ଦ୍ଦନ ରେଡ୍ଡୀ ଘୋଷଣା କଲେ ନୂଆ ଦଳ, ଲଢିବେ ନିର୍ବାଚନ

Published By : Prameya-News7 Bureau | December 25, 2022 IST

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଜେପିରେ ଫାଟ ନେଇ ସଂକେତ ମିଳୁଛି । ବିଜେପି ନେତା ତଥା ରାଜ୍ୟର ପୂର୍ବତନ ମନ୍ତ୍ରୀ ଜନାର୍ଦ୍ଦନ ରେଡ୍ଡୀ ପାର୍ଟିରୁ ଅଲଗା ହୋଇଛନ୍ତି । ଖଣି ବ୍ୟବସାୟୀ ଜନାର୍ଦ୍ଦନ ରେଡ୍ଡୀ ରବିବାର ନିଜର ନୂଆ ପାର୍ଟି ଗଠନ ନେଇ ଘୋଷଣା କରିଛନ୍ତି । ନୂଆ ଦଳର ନାଁ କଲ୍ୟାଣ ରାଜ୍ୟ ପ୍ରଗତି ପକ୍ଷ ରଖିବା ନେଇ ଘୋଷଣା କରିଛନ୍ତି । ଏହାସହ ଆସନ୍ତା ବିଧାନସଭା ନିର୍ବାଚନରେ ଗଙ୍ଗାବଟୀ ଆସନରୁ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି ।

ରବିବାର ପୂର୍ବତନ ବିଜେପି ନେତା କହିଛନ୍ତି, ଏହା ଏକ ନୂଆ ରାଜନୈତିକ ଅଧ୍ୟାୟ । କଲ୍ୟାଣ କର୍ଣ୍ଣାଟକ ଅଞ୍ଚଳର ଲୋକଙ୍କ ସେବା କରିବା ପାଇଁ ମୁଁ ଏଠାରେ ଅଛି । ଆସନ୍ତା ନିର୍ବାଚନରେ ସମସ୍ତଙ୍କ ନିକଟରେ ପହଞ୍ଚିବି । ଯଦି ରାଜନୈତିକ ଦଳ ଗୁଡିକ ନିଜ ସ୍ୱାର୍ଥ ପାଇଁ ରାଜ୍ୟବାସୀଙ୍କ ମଧ୍ୟରେ ପ୍ରଭେଦ ସୃଷ୍ଟି କରନ୍ତି ତେବେ ଏହା କର୍ଣ୍ଣାଟକରେ ସମ୍ଭବ ନୁହେଁ । ରାଜ୍ୟବାସୀ ସବୁବେଳେ ଏକାଠି ଅଛନ୍ତି ଏବଂ ରହିବେ ।

ଏହାସହ ବିଜେପି ମନ୍ତ୍ରୀ ଶ୍ରୀ ରାମୁଲୁଙ୍କ ସହ ଚାଲିଥିବା ତାଙ୍କ ବିବାଦ ଖବର ଉପରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି,'ବିଜେପିର କାହା ସହ ମଧ୍ୟ ବିବାଦ ନାହିଁ । ଶ୍ରୀ ରାମୁଲୁ ମୋର ପିଲାବେଳରୁ ବନ୍ଧୁ ଏବଂ ଭବିଷ୍ୟତରେ ମଧ୍ୟ ଆମ ଭଲ ସମ୍ପର୍କ ଜାରି ରହିବ'।

ଉଲ୍ଲେଖଯୋଗ୍ୟ ଯେ ୨୦୧୫ ମସିହାରେ ଜନାର୍ଦ୍ଦନ ରେଡ୍ଡୀଙ୍କୁ ବେଆଇନ ଖଣି ଖନନ ମାମଲାରେ ଗିରଫ କରାଯାଇଥିଲା । ବିଜେପି ସହ ମତଭେଦ ଯୋଗୁଁ ତାଙ୍କୁ ଗିରଫ କରାଯାଇଥିବା କୁହାଯାଉଥିଲା । ପୂର୍ବତନ ମନ୍ତ୍ରୀଙ୍କ ନାଁରେ କୋଟି କୋଟି ଟଙ୍କାର ବେଆଇନ ଖଣି ଖନନ ମାମଲା ରୁଜୁ ହୋଇଥିଲା । ୨୦୧୫ ମସିହାରୁ ସେ ବେଲରେ ଅଛନ୍ତି । ଜାମିନ ପ୍ରଦାନ ବେଳେ ପାସପୋର୍ଟ ଦାଖଲ କରିବା ପାଇଁ କୋର୍ଟ କହିଥିଲେ ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.