ହିଜାବ ବିବାଦରେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ, ଯାଚିକା ଦାୟର କଲେ ଛାତ୍ରୀ

Published By : Prameya-News7 Bureau | March 15, 2022 IST

ବେଙ୍ଗାଲୁରୁ ୧୫।୦୩: ହିଜାବ ଇସଲାମିକ ଧର୍ମର ଅଭିନ୍ନ ଅଙ୍ଗ ନୁହେଁ। ଏହାକୁ ବ୍ୟବହାର କରିବା ବାଧ୍ୟତାମୂଳକ ନୁହେଁ।  ମଙ୍ଗଳବାର ହିଜାବ ବିବାଦ ଉପରେ ନିଜର ରାୟରେ ଏହା କହିଛନ୍ତି କର୍ଣ୍ଣାଟକ ହାଇକୋର୍ଟ। ଏପରିକି କଲେଜ୍ ଏବଂ ସ୍କୁଲରେ ୟୁନିଫର୍ମ ପିନ୍ଧିବା ଜରୁରୀ  ଏବଂ ଏହାକୁ ବିରୋଧ କରିବାର ଅଧିକାର ନାହିଁ ବୋଲି କହିଛନ୍ତି ହାଇକୋର୍ଟ।

ଏବେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି ଜଣେ ଛାତ୍ରୀ ନିବା ନାଜ। ତେବେ କର୍ଣ୍ଣାଟକ ହାଇକୋର୍ଟରେ ଆବେଦନ କରିଥିବା ପାଞ୍ଚ ପ୍ରମୁଖ ଆବେଦନକାରୀଙ୍କ ମଧ୍ୟରେ ନାହାନ୍ତି ନିବା ନାଜ। ସେ କହିଛନ୍ତି, ସମ୍ବିଧାନ ଅନୁଯାୟୀ, ହିଜାବ ପିନ୍ଧିବା ମୁସଲିମ ଛାତ୍ରୀଙ୍କ ମୌଳିକ ଅଧିକାର। ଏହା ଛାତ୍ରୀଙ୍କ ପାଇଁ ଜରୁରୀ।

ଏହା ପୂର୍ବରୁ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ ମଙ୍ଗଳବାର କହିଛନ୍ତି, ହିଜାବ ପିନ୍ଧିବା ଇସଲାମ ଧର୍ମରେ ଆବଶ୍ୟକ ଧାର୍ମିକ ପ୍ରଥାର ଅଂଶ ନୁହେଁ। ଶ୍ରେଣୀ ଗୃହରେ ହିଜାବ ପିନ୍ଧିବାକୁ ଅନୁମତି ଦେବା ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ। ଏଥିସହ ଅଦାଲତ ଶିକ୍ଷାନୁଷ୍ଠାନରେ ହିଜାବ ଉପରେ କଟକଣା ନିଷ୍ପତ୍ତିକୁ କାଏମ ରଖିଛନ୍ତି।

ତିନି ଜଣିଆ ବିଚାରପତିଙ୍କ ଖଣ୍ଡପୀଠ କହିଛନ୍ତି, ସ୍କୁଲରେ ୟୁନିଫର୍ମ ଏକ ଉଚିତ୍ ନିୟମ ଏବଂ ସାମ୍ବିଧାନିକ ଭାବେ ସ୍ଵୀକୃତିପ୍ରାପ୍ତ।  ଏହା ଉପରେ ଛାତ୍ରୀମାନେ ଆପତ୍ତି କରି ପାରିବେ ନାହିଁ। ମୁଖ୍ୟ ବିଚାରପତି ଋତୁରାଜ ଅବସ୍ଥି, ବିଚାରପତି କୃଷ୍ଣ ଏସ ଦୀକ୍ଷିତ ଏବଂ ବିଚାରପତି ଏମ ଖାଜିଙ୍କ ପୀଠ ଏହି ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି।

ପୀଠ ଏହା ମଧ୍ୟ କହିଛନ୍ତି, ସରକାରଙ୍କ ନିକଟରେ ୨୦୨୨ ଫେବୃଆରୀ ୫ରେ ଜାରି କରିଥିବା ସରକାରୀ ଆଦେଶକୁ ଲାଗୁ କରିବାର ଅଧିକାର ରହିଛି। ଏହାକୁ ବେଆଇନ ଦର୍ଶାଇବାର କୌଣସି ମାମଲା ନାହିଁ। ଏହି ଆଦେଶରେ ରାଜ୍ୟ ସରକାର ସେହି ପୋଷାକ ପିନ୍ଧିବା ଉପରେ ରୋକ୍  ଲଗାଇଛନ୍ତି, ଯେଉଁଗୁଡିକ ସ୍କୁଲ ଏବଂ  କଲେଜ୍‌ରେ ସମାନତା, ଅଖଣ୍ଡତା ଏବଂ ସାର୍ବଜନୀନ ବ୍ୟବସ୍ଥାରେ ବାଧକ ସାଜୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.