SBI ଓ PNB ସହ କାରବାର ବନ୍ଦ କଲେ କର୍ଣ୍ଣାଟକର କଂଗ୍ରେସ ସରକାର, ସବୁ ପଇସା କାଢି କ୍ଲୋଜ କରୁଛନ୍ତି ଆକାଉଣ୍ଟ

Published By : Prameya-News7 Bureau | August 14, 2024 IST

ବେଙ୍ଗାଲୁରୁ : କର୍ଣ୍ଣାଟକର କଂଗ୍ରେସ ସରକାର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଓ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ସହ ସମସ୍ତ କୋରବାର ବନ୍ଦ କରିଛନ୍ତି। ମୁଖ୍ୟମନ୍ତ୍ରୀ ସିଦ୍ଦା ରମୈୟାଙ୍କ ଏହି ନିର୍ଦ୍ଦେଶ ପରେ ରାଜ୍ୟର ସରକାରୀ ବିଭାଗ ଓ ସଂସ୍ଥାନଙ୍କୁ ଏସବିଆଇ ଓ ପିଏନବିରୁ ସମସ୍ତ ପଇସା ଉଠାଣ କରି ଆକାଉଣ୍ଟ କ୍ଲୋଜ କରିବାକୁ ହେବ। ତେବେ କର୍ଣ୍ଣାଟକର ସିଦ୍ଦା ରମୈୟା ସରକାର କ’ଣ ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି ଆସନ୍ତୁ ଜାଣିବା। 

ଗଣମାଧ୍ୟମ ରିପୋର୍ଟ ଅନୁସାରେ କର୍ଣ୍ଣାଟକ ସରକାର ଏସବିଆଇ ଓ ପିଏନବି ବ୍ୟାଙ୍କ ଦ୍ୱୟଙ୍କ କଥିତ ଆର୍ଥିକ ଅନିୟମିତତାକୁ ନେଇ ସରକାର ବାରମ୍ବାର ଚେତାଉଥିଲେ। ତେବେ ରାଜ୍ୟ ସରକାରଙ୍କ ଚେତାବନୀ ସତ୍ତ୍ୱେ ବ୍ୟାଙ୍କମାନେ ଏ ଦିଗରେ ସୁଧାର ପାଇଁ କୌଣସି ପଦକ୍ଷେପ ନେଉ ନଥିବାରୁ ଅର୍ଥ ବିଭାଗ ସଚିବ ଏକ ଆଦେଶ ଜାରି କରି ଏବେଠାରୁ କୌଣସି ସରକାରୀ ବିଭାଗ ଏସବିଆଇ ଓ ପିଏନବିରେ ପଇସା ଜମା କରିବେନି ବୋଲି ନିର୍ଦ୍ଦେଶ ଦେଇଛନ୍ତି। 

ଅର୍ଥ ସଚିବଙ୍କ ଏହି ନିର୍ଦ୍ଦେଶ ପରେ ଏବେ ସବୁ ବିଭାଗ, ସାର୍ବଜନିକ କ୍ଷେତ୍ରର ଉପକ୍ରମ, ନିଗମ ଓ ଲୋକାଲ ବଡିଙ୍କୁ ଏହି ଦୁଇ ବ୍ୟାଙ୍କରେ ଥିବା ସେମାନଙ୍କ ଜମା ଟଙ୍କା କାଢିବାକୁ ପଡିବ ଓ ଅନ୍ୟ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାକୁ ପଡିବ। ବିଶ୍ୱବିଦ୍ୟାଳୟ ଓ ଅନ୍ୟ ସରକାରୀ ଅନୁଷ୍ଠାନଙ୍କୁ ମଧ୍ୟ ଏହି ନିୟମ ପାଳନ କରିବାକୁ ହେବ। ସରକାରଙ୍କ ଏହି ଆଦେଶର ଉଦ୍ଦେଶ୍ୟ ଏହି ବ୍ୟାଙ୍କମାନଙ୍କ ଦ୍ୱାରା ହେଉଥିବା କଥିତ ଦୂରୁପଯୋଗରୁ ସାର୍ବଜନିକ ଧନକୁ ରକ୍ଷା କରିବା। 

ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ବ୍ୟାଙ୍କମାନଙ୍କୁ ଏ ବାବଦେ ବାରମ୍ବାର ଚେତାବନୀ ଦିଆଯିବା ସତ୍ତ୍ୱେ ସେମାନେ କାର୍ଯ୍ୟାନୁଷ୍ଠାନ କରୁ ନାହାନ୍ତି। ଏଣୁ ଏବେ ଏହି ପଦକ୍ଷେପ ନିଆଯାଇଛି। ତେବେ କର୍ଣ୍ଣାଟକ ସରକାର ଏସବିଆଇ ଓ ପିଏନବି ଉପରେ ସରକାରୀ ଧନର ଦୂରୁପଯୋଗ ଅଭିଯୋଗ କରିଛନ୍ତି। ସରକାରଙ୍କ ଏହି ନିର୍ଦ୍ଦେଶ ପରେ ବିଭିନ୍ନ ସରକାରୀ ସଂସ୍ଥାଙ୍କ ଉପରେ ଏହାର ପ୍ରଭାବ ପଡିବ। ସେହିପରି ଆକାଉଣ୍ଟ କ୍ଲୋଜ କରିବା ପାଇଁ ତତ୍କାଳ ନିକାଶ ହେବାକୁ ଥିବାରୁ ସେହି ସଂସ୍ଥାମାନଙ୍କୁ ତୁରନ୍ତ ବିକଳ୍ପ ବ୍ୟାଙ୍କିଙ୍ଗ ସମାଧାନ ଖୋଜିବାକୁ ପଡିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.