କର୍ଣ୍ଣାଟକ ବିବାଦ : ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି

Published By : Prameya-News7 Bureau | May 18, 2018 IST

ସୁପ୍ରିମକୋର୍ଟରେ ବହୁ ପ୍ରତିକ୍ଷିତ କର୍ଣ୍ଣାଟକ ସରକାର ଗଠନ ବିବାଦ ମାମଲାର ଶୁଣାଣି ହୋଇଛି |୨୪ ଘଣ୍ଟା ଭିତରେ ଅର୍ଥାତ ଶନିବାର ଅପରାହ୍ନ ୪ଟା ବେଳେ ବିଧାନସଭାରେ ସ୍ପଷ୍ଟ ବହୁମତ ସାବ୍ୟସ୍ତ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି | ଏଥି ସହ ଗୁପ୍ତ ଭୋଟ ବିପକ୍ଷରେ ମଧ୍ୟ କୋର୍ଟ ମତ ଦେଇଛନ୍ତି |ଫଳରେ ବିଜେପି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି | ବିଧାନସଭାରେ ନିଜ ସପକ୍ଷରେ ସ୍ପଷ୍ଟ ବହୁମତ ସାବ୍ୟସ୍ତ କରିବା ପାଇଁ କର୍ଣ୍ଣାଟକ ରାଜ୍ୟପାଳ ବିଜେପିକୁ ୧୫ ଦିନର ମହଲତ ଦେଇଥିଲେ | ସୂଚନାଯୋଗ୍ୟ ଯେ, କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପି ୧୦୪ ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୭୮ ଓ ଯେଡ଼ିଏସ ୩୮ ଆସନରେ ବିଜୟୀ ହୋଇଥିଲେ | ୧ ଆସନ ବିଏସପି ଓ ଅନ୍ୟ ଗୋଟିଏ ଆସନ ସ୍ୱାଧୀନ ପ୍ରାର୍ଥୀ ଦାଖଲ କରିଥିଲେ | ସମୁଦାୟ ୨୨୨ ଆସନ ପାଇଁ ନିର୍ବାଚନ ହୋଇଥିଲା | ସରକାର ଗଠନ କରିବା ପାଇଁ ମ୍ୟାଜିକ ନମ୍ବର ୧୧୨ ହୋଇଥିବା ବେଳେ କୌଣସି ଦଳ ଏହି ସଂଖ୍ୟା ଛୁଇଁ ପାରିନଥିଲେ | ଏକକ ସଂଖ୍ୟା ଗରିଷ୍ଠ ଦଳ ହିସାବରେ ବିଜେପି ସରକାର ଗଠନ କରିବା ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିଥିଲା | ସେହିଭଳି ସରକାର ଗଠନ ପାଇଁ ଯେଡ଼ିଏସକୁ କଂଗ୍ରେସ ସମର୍ଥନ ଘୋଷଣା କରିବା ସହ କଂଗ୍ରେସ ଓ ଯେଡ଼ିଏସ ମେଣ୍ଟ ସରକାର ଗଠନ କରିବା ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିଥିଲେ | କିନ୍ତୁ ରାଜ୍ୟପାଳ ବାଜୁଭାଇ ରୁଦାଭାଇ ଵାଲା ସରକାର ଗଢିବା ପାଇଁ ବିଜେପିକୁ ଆମନ୍ତ୍ରଣ କରିଥିଲେ | ଏହା ସମ୍ପୂର୍ଣ ଭାବରେ ଅଗଣତାନ୍ତ୍ରିକ ବୋଲି ଦର୍ଶାଇ ଯେଡ଼ିଏସ ଓ କଂଗ୍ରେସ ରାତି ଅଧାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ | ଜେଡିଏସ ଓ କଂଗ୍ରେସ ମେଣ୍ଟ ପାଖରେ ୧୧୬ ବିଧାୟକଙ୍କ ସମର୍ଥନ ରହିଛି ଓ ସରକାର ଗଠନ ପାଇଁ ଏହା ସ୍ପଷ୍ଟ ବହୁମତ ହୋଇଥିବା ସତ୍ୱେ ରାଜ୍ୟପାଳ ବିଜେପିକୁ ସରକାର ଗଠନ ପାଇଁ ଡାକିବା ଗଣତନ୍ତ୍ରର ପରିପନ୍ଥୀ ବୋଲି ଆବେଦନକାରୀମାନେ ସୁପ୍ରିମକୋର୍ଟରେ ଅଭିଯୋଗ କରିବା ସହ ନ୍ୟାୟ ପ୍ରଦାନ ପାଇଁ ଆବେଦନ କରିଥିଲେ | ଆଜି ସୁପ୍ରିମକୋର୍ଟର ବିଚାରପତି ସିକ୍ରିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ | ଶୁଣାଣି ବେଳେ ସୁପ୍ରିମ କୋର୍ଟ ଜାଣିବାକୁ ଚାହିଁଥିଲେ କୋଉ ଆଧାରରେ ସରକାର ଗଠନ ପାଇଁ ରାଜ୍ୟପାଳ ବିଜେପିକୁ ଆମନ୍ତ୍ରଣ କରିଛନ୍ତି | ସେହିଭଳି ବିଧାନସଭାରେ ନିଜ ସପକ୍ଷରେ ବହୁମତ ସାବ୍ୟସ୍ତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ହୋଇଥିବାରୁ ୨୪ ଘଣ୍ଟା ମଧ୍ୟରେ ସରକାର ଗଠନ କରିବାକୁ ଦାବି କରୁଥିବା ଦଳ ମାନେ ବହୁମତ ସାବ୍ୟସ୍ତ କରିପାରିବେ କି ବୋଲି ସୁପ୍ରିମ କୋର୍ଟ ପ୍ରଶ୍ନ କରିଥିଲେ | ୨୪ ଘଣ୍ଟା ଭିତରେ ବହୁମତ ସାବ୍ୟସ୍ତ କରିବା ପ୍ରସ୍ତାବରେ କଂଗ୍ରେସ ଓ ଜେଡିଏସ ତୁରନ୍ତ ସହମତି ପ୍ରକାଶ କରିଥିବା ବେଳେ ବିଜେପି ପକ୍ଷରୁ ଓକିଲ ୭ଦିନର ମହଲତ ମାଗିଥିଲେ | କିନ୍ତୁ ସୁପ୍ରିମ କୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ | ପରବର୍ତ୍ତୀ ସମୟରେ ବିଜେପି ପକ୍ଷର ଓକିଲ ସୋମବାର ପର୍ଯ୍ୟନ୍ତ ମହଲତ ମାଗିଥିଲେ କିନ୍ତୁ ଏହାକୁ ମଧ୍ୟ ସୁପ୍ରିମ କୋର୍ଟ ପ୍ରତ୍ୟାଖ୍ୟାନ କରି ଆସନ୍ତା ଶନିବାର ୪ଟା ସୁଦ୍ଧା ଏହି ପ୍ରକ୍ରିୟା ସାରିବା ପାଇଁ ନିର୍ଦେଶ ଦେଇଛନ୍ତି |ଏଥି ସହିତ ଗତକାଲି ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିଥିବା ବିଜେପି ବିଧାୟକ ଦଳର ନେତା ବି.ଏସ ୟେଦୁରପ୍ପା କୌଣସି ନୀତିଗତ ନିଷ୍ପତ୍ତି ସ୍ପଷ୍ଟ ବହୁମତ ସାବ୍ୟସ୍ତ କରିବା ପୂର୍ବରୁ ନେଇ ପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି | ସେହିଭଳି ଅଙ୍ଗ୍ଲୋ ଇଣ୍ଡିଆନ କମ୍ୟୁନିଟିରୁ ଜଣେ ବିଧାୟକଙ୍କୁ ମନୋନୀତ କରିବା ଅଧିକାର ରାଜ୍ୟପାଳଙ୍କ ଥିବା ସତ୍ୱେ ଏହି ଅଧିକାର ମଧ୍ୟ ୟେଦୁରପ୍ପା ଆସନ୍ତା କାଲି କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି | ଏତଦ୍ବ୍ୟତୀତ ବହୁମତ ସାବ୍ୟସ୍ତ ପାଇଁ ପ୍ରୋଟେମ ସ୍ପିକର ନିଯୁକ୍ତି ପାଇଁ ମଧ୍ୟ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.