କର୍ଣ୍ଣାଟକ: ସିବିଆଇର ମୁଦା ସ୍କାମ୍ରେ ଫସିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା। ଆଗକୁ ଯେମିତି ସିବିଆଇ କୌଣସି ସମସ୍ୟା ସୃଷ୍ଟି ନ କରୁ ତା ପୂର୍ବରୁ କର୍ଣ୍ଣାଟକ ସରକାର ତଦନ୍ତ ପାଇଁ ସରକାରୀ ସହମତି(କନସେଣ୍ଟ)କୁ ପ୍ରତ୍ୟାହାର କରି ନେଇଛନ୍ତି। ଗୁରୁବାର କର୍ଣ୍ଣାଟକ କ୍ୟାବିନେଟ୍ ଏହି ନିଷ୍ପତ୍ତି ନେଇଛି।
ରାଜ୍ୟ ଆଇନ ମନ୍ତ୍ରୀ ଏଚ୍କେ ପାଟିଲ କହିଛନ୍ତି ଯେ କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ ନେଇ ଚିନ୍ତା ବଢ଼ିବା ପରେ ତଦନ୍ତ ସହମତି ପ୍ରତ୍ୟାହାର କରାଯାଇଛି। ସିବିଆଇ ପକ୍ଷପାତ କରୁଛି। ମୁଦା ସହ ମୁଖ୍ୟମନ୍ତ୍ରୀଙ୍କର କୌଣସି ସମ୍ପର୍କ ନାହିଁ ବୋଲି କର୍ଣ୍ଣାଟକ ଆଇନ ମନ୍ତ୍ରୀ ଏଚ୍କେ ପାଟିଲ କହିଛନ୍ତି।
ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ପାଟିଲ କହିଛନ୍ତି “ରାଜ୍ୟରେ ସିବିଆଇ ତଦନ୍ତ ପାଇଁ ଆମେ ଖୋଲା ସମ୍ମତି(ଓପନ କନସେଣ୍ଟ) ପ୍ରତ୍ୟାହାର କରୁଛୁ। ଏଥିସହିତ ସିବିଆଇର ଅପବ୍ୟବହାରକୁ ନେଇ ଆମେ ଆମର ଚିନ୍ତା ପ୍ରକଟ କରୁଛୁ। ଯେଉଁ ସବୁ ମାମଲା ଆମେ ସିବିଆଇକୁ ରେଫର୍ କରିଛୁ, ସେମାନେ ଏପର୍ଯ୍ୟନ୍ତ ସେଗୁଡ଼ିକର ଚାର୍ଜସିଟ୍ ଦାଖଲ କଲେ ନାହିଁ, ଅନେକ ମାମଲା ବିଚାରାଧୀନ ରହିଛି। ଆମେ ପଠାଇଥିବା ଅନେକ ମାମଲାର ତଦନ୍ତ କରିବାକୁ ସିବିଆଇ ମନା କରି ଦେଇଛନ୍ତି। ଏଭଳି ଏକାଧିକ ଉଦାହରଣ ରହିଛି। ସେମାନେ ପକ୍ଷପାତ କରୁଛନ୍ତି। ଏଥିପାଇଁ ଆମେ ଏଭଳି ନିଷ୍ପତ୍ତି ନେଇଛୁ, ମୁଦା ମାମଲା ପାଇଁ ନୁହେଁ। ଭୁଲ ବାଟରେ ଯିବାକୁ ସିବିଆଇକୁ ରୋକିବା ପାଇଁ ଆମେ ଏହି ନିଷ୍ପତ୍ତି ନେଇଛୁ।”
ସୂଚନା ଥାଉକି ମୁଦା ମାମଲାରେ ଗୁରୁବାର କର୍ଣ୍ଣାଟକ ହାଇକୋର୍ଟ ସିଦ୍ଦରମେୟାଙ୍କ ଆବେଦନ ଖାରଜ କରିଦେଇଛନ୍ତି। ରାଜ୍ୟପାଳ ତୱାରଚାନ୍ଦ ଗେହେଲୋଟ ମହିଶୂର ଡେଭଲପମେଣ୍ଟ ଅଥୋରିଟି(ମୁଦା) ମାମଲାରେ ସିଦ୍ଧରମେୟାଙ୍କ ବିରୋଧରେ ସିବିଆଇ ତଦନ୍ତକୁ ଅନୁମୋଦନ ଦେଇଥିଲେ। ଏହାରି ବିରୋଧରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ସିଦ୍ଧରମେୟା। ହେଲେ କୋର୍ଟ ଏହାକୁ ଖାରଜ୍ କରିଦେଇଛନ୍ତି।
କୋର୍ଟରେ ମାମଲା ଖାରଜ ହେବା ପରେ ସିଦ୍ଧରମେୟା କହିଛନ୍ତି ସେ ସମସ୍ତ ପ୍ରକାର ଆଇନଗତ ଲଢ଼େଇ ପାଇଁ ପ୍ରସ୍ତୁତ। ଡରିବାର କୌଣସି ପ୍ରଶ୍ନ ଉଠୁ ନାହିଁ।