କର୍ଣ୍ଣାଟକ ୧୮/୦୬: ଏମିତି ବି ଆସେ ମୃତ୍ୟୁ । ଧାରଣାରେ ବସିଥିବାବେଳେ ଆସିଲା ହାର୍ଟ ଆଟାକ୍ । ବିଚ୍ ରାସ୍ତାରେ ଚାଲିଗଲା ଜୀବନ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ବିରୋଧ କରି ଧାରଣାରେ ବସିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । କର୍ଣ୍ଣାଟକରେ ଘଟିଛି ଏଭଳି କିଛି ଅଭାବନୀୟ ଘଟଣା।
ସୂଚନା ଥାଉକି, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ଧାରଣାରେ ବସିଥିଲେ ବିଜେପି ନେତା ତଥା ପୂର୍ବତନ ଏମ୍ଏଲସି ଏମ୍ବି ଭାନୁପ୍ରକାଶ । ହେଲେ ସେଠାରେ ତାଙ୍କର ହୃଦ୍ଘାତରେ ଦେହାନ୍ତ ହୋଇଛି। ଶିବାମୋଗାରେ ବିଜେପି ଦ୍ୱାରା ଆୟୋଜିତ ଏକ ବିରୋଧ ପ୍ରଦର୍ଶନରେ ଭାନୁପ୍ରକାଶ ସାମିଲ ହୋଇଥିଲେ ।
ବହୁ ସଂଖ୍ୟାରେ ଏହି ବିରୋଧ ପ୍ରଦର୍ଶନରେ ସାମିଲ ହୋଇଥିବା କର୍ମୀଙ୍କୁ ସେ ସମ୍ବୋଧିତ କରିଥିଲେ। ଦୀର୍ଘ ସମୟ ଧରି ସେ ସଭାରେ ସମ୍ୱୋଧନ କରୁଥିଲେ । କିନ୍ତୁ କାର୍ ଭିତରେ ବସିଥିବା ବେଳେ ସେ ହଠାତ୍ ଚେତାଶୂନ୍ୟ ହୋଇ ପଡିଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦ୍ଘାତ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି ।