କର୍ଣ୍ଣାଟକ ସରକାରଙ୍କ ବଡ଼ ନିଷ୍ପତ୍ତି, ନିଯୁକ୍ତି ପରୀକ୍ଷାରେ ହିଜାବ ଉପରେ ବ୍ୟାନ୍, ମଙ୍ଗଳସୂତ୍ରକୁ ଅନୁମତି
14/11/2023 at 4:15 PM

ନୂଆଦିଲ୍ଲୀ: କର୍ଣ୍ଣାଟକ ପରୀକ୍ଷା ପ୍ରାଧିକରଣ ବଡ଼ ନିଷ୍ପତ୍ତି ନେଇ ବିଭିନ୍ନ ବୋର୍ଡ ଓ କର୍ପୋରେସନ ଭର୍ତ୍ତି ପରୀକ୍ଷାରେ ସମସ୍ତ ପ୍ରକାର ହେଡ୍ କଭର ଉପରେ ବ୍ୟାନ ଲଗାଇଛି । କର୍ଣ୍ଣାଟକରେ ଦୀର୍ଘ ଦିନରୁ ଜାରି ରହିଥିବା ହିଜାବ ବିବାଦ ମଧ୍ୟରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ପରୀକ୍ଷା ସମୟରେ ନକଲ ରୋକିବା ପାଇଁ ବ୍ଲୁଟୁଥ୍ ଇୟରଫୋନ, ମୋବାଇଲ୍ ଫୋନ ଓ ଅନ୍ୟ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି । ତେବେ ଏହି ଆଦେଶରେ ମଙ୍ଗଳସୂତ୍ର ଓ ଝୁଣ୍ଟିଆ ଉପରେ ବ୍ୟାନ୍ ନେଇ କିଛି କୁହାଯାଇ ନାହିଁ । ସୂଚନା ଅନୁସାରେ ପରୀକ୍ଷା ହଲରେ ମଙ୍ଗଳସୂତ୍ର ଓ ଝୁଣ୍ଟିଆ ପିନ୍ଧିବା ଉପରେ ଅନୁମତି ରହିବ ।
ଜାରି ହୋଇଥିବା ଆଦେଶରେ ଅଲଗା ରୂପେ ହିଜାବ ନାଁ ଉଲ୍ଲେଖ କରାଯାଇ ନାହିଁ । ତେବେ ହେଡ୍ କଭର ବ୍ୟାନ୍ରେ ହିଜାବ ଆପେଆପେ ସାମିଲ ହୋଇଯାଉଛି । ଉଲ୍ଲେଖଯୋଗ୍ୟ ନଭେମ୍ୱର ୧୮ ଓ ୧୯ରେ ରାଜ୍ୟରେ ଅନେକ ନିଯୁକ୍ତି ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ ସରକାରଙ୍କ ଏହି ନିଷ୍ପତ୍ତି ବହୁ ଗୁରୁତ୍ୱ ବହନ କରୁଛି । କେଇଏ ନିଜ ଆଦେଶରେ କହିଛି ଯେ, ମୁଣ୍ଡରେ କୌଣସି କପଡ଼ା, ଟୋପି କିମ୍ୱା ହେଡ୍ କଭର କିମ୍ୱା ଫେସ୍ କଭରକୁ ପରୀକ୍ଷା ହଲରେ ଅନୁମତି ଦିଆଯିବ ନାହିଁ । ଉଲ୍ଲେଖଯୋଗ୍ୟ ଯେ କେଇଏ ଅକ୍ଟୋବରରେ ହୋଇଥିବା ପରୀକ୍ଷାରେ ହିଜାବକୁ ଅନୁମତି ଦେଇଥିଲା । କିନ୍ତୁ ଅନ୍ୟ କିଛି ସ୍ଥାନରେ ମଙ୍ଗଳସୂତ୍ରକୁ ନେଇ ବିବାଦ ସାମନାକୁ ଆସିଥିଲା ।
ପଢନ୍ତୁ: ଆତଙ୍କବାଦ ପରି ବ୍ୟବହାର, ଆଲ୍ଲାହୁ ଅକବର ନାରା; ହିଜାବ ପିନ୍ଧିଥିବା ମହିଳାଙ୍କୁ ଗୁଳି କଲା ଫ୍ରାନ୍ସ ପୋଲିସ
ଅତୀତରେ କର୍ଣ୍ଣାଟକ ପବ୍ଲିକ୍ ସର୍ଭିସ୍ କମିଶନ ପରୀକ୍ଷା ସମୟରେ କିଛି ମହିଳାଙ୍କୁ ମଙ୍ଗଳସୂତ୍ର ବହାର କରିବାକୁ କୁହାଯାଇଥିଲା । ପରୀକ୍ଷା ହଲ୍ ଭିତରକୁ ଯିବା ପୂର୍ବରୁ ବେକର ଚେନ୍, ଝୁଣ୍ଟିଆ, କାନଫୁଲ ବାହାର କରିବାକୁ କୁହାଯାଇଥିଲା । କିଛି ଆଶାୟୀଙ୍କୁ ମଙ୍ଗଳସୂତ୍ର ଓହ୍ଲାଇବା ପରେ ହିଁ ପରୀକ୍ଷା ହଲକୁ ଯିବା ପାଇଁ ଅନୁମତି ଦିଆଯାଇଥିଲା । ଏହାପରେ ରାଜ୍ୟରେ ବିରୋଧୀ ଦଳ ବିଜେପି, ସରକାରରେ ଥିବା କଂଗ୍ରେସକୁ ସମାଲୋଚନା କରିଥିଲା । ଅନ୍ୟପଟେ ଆଶାୟୀ ଅଭିଯୋଗ କରିଥିଲେ ଯେ ବୁର୍ଖାରେ ଆସିଥିବା ଛାତ୍ରୀଙ୍କୁ ପରୀକ୍ଷା ହଲରେ କୋହଳ କରାଯାଉଥିଲା ।
Also Read: କର୍ଣ୍ଣାଟକରେ ସଂଗଠନକୁ ନେଇ ବିଜେପିର ବଡ଼ ନିଷ୍ପତ୍ତି, ୟେଦିୟୁରପ୍ପାଙ୍କ ପୁଅ ବିଜୟେନ୍ଦ୍ର ପ୍ରଦେଶ ଅଧ୍ୟକ୍ଷ ନିଯୁକ୍ତ