କର୍ଣ୍ଣାଟକ : ରାଷ୍ଟ୍ରଦ୍ରୋହ ଅପରାଧରେ ବନ୍ଦୀ ଛାତ୍ରୀଙ୍କୁ ମିଳୁନାହାନ୍ତି ଓକିଲ, ହୋଇପାରିବନି ଜାମିନ ଶୁଣାଣି

Published By : Prameya-News7 Bureau | February 27, 2020 IST

ବେଙ୍ଗାଲୁରୁ ୨୭।୨: କର୍ଣ୍ଣାଟକରେ ରାଷ୍ଟ୍ରଦ୍ରୋହ ଧାରା ଲାଗିଥିବା ୪ ଛାତ୍ରଛାତ୍ରୀଙ୍କ ଲାଗି ଏବେ ଓକିଲ ନ ମିଳିବା ନୂଆ ସମସ୍ୟା ସୃଷ୍ଟି କରିଛି। କୋର୍ଟରେ ଅଭିଯୁକ୍ତମାନଙ୍କ ମୋକଦ୍ଦମା ପରିଚାଳନା ଲାଗି କୌଣସି ଓକିଲ ରାଜି ହେଉ ନାହାନ୍ତି। ଏଭଳି ମାମଲାରେ ଓକିଲମାନେ ଅଭିଯୁକ୍ତଙ୍କ ପକ୍ଷ ନ ନେବା ଲାଗି ପୂର୍ବରୁ ବାର ଆସୋସିଏସନରେ ଏକ ପ୍ରସ୍ତାବ ଗୃହୀତ କରିଛନ୍ତି । ତେବେ ରାଜ୍ୟ ହାଇକୋର୍ଟ ଏଭଳି ପ୍ରସ୍ତାବକୁ ଅବୈଧ ଘୋଷଣା କରିଥିଲେ ହେଁ ରାଷ୍ଟ୍ରଦ୍ରୋହୀଙ୍କ ଲାଗି ଓକିଲାତି କରିବାକୁ କେହି ରାଜି ହେଉ ନାହାନ୍ତି।

{"id":229935,"sizeSlug":"large"}


ଅସଦୁଦ୍ଦିନ ଓବେସୀଙ୍କ ସଭାରେ ଜନୈକା ୧୯ ବର୍ଷ ବୟସ୍କା ଛାତ୍ରୀ ଅମୂଲ୍ୟା ଲିଓନ୍ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେଇଥିଲା। ଏଥିଲାଗି ପୋଲିସ ତାକୁ ଗିରଫ କରିବା ସହ ତା ବିରୋଧରେ ରାଷ୍ଟ୍ରଦ୍ରୋହ ଧାରାରେ ମୋକଦ୍ଦମା ରୁଜୁ କରି କୋର୍ଟରେ ହାଜର କରିଥିଲା। କୋର୍ଟ ଅମୂଲ୍ୟାକୁ ୧୪ ଦିନ ବିଚାରବିଭାଗୀୟ ହାଜତକୁ ପଠାଇ ଥିବା ବେଳେ ମିଆଦ ଏବେ ପୂରଣ ହୋଇଆସୁଛି। ତେବେ ତାକୁ ଦ୍ୱିତୀୟବାର କୋର୍ଟରେ ହାଜର କରିବା ବେଳେ କୋର୍ଟରେ ତାର ପକ୍ଷ ରଖିବାକୁ କେହି ନାହାନ୍ତି। କେବଳ ଅମୂଲ୍ୟା ନୁହେଁ ୩ ଜଣ କାଶ୍ମୀର ଛାତ୍ର ମଧ୍ୟ ରାଷ୍ଟ୍ରଦ୍ରୋହ ଅଭିଯୋଗରେ କର୍ଣ୍ଣାଟକ ଜେଲରେ ଅଛନ୍ତି। ସେମାନଙ୍କ ଲାଗି ମଧ୍ୟ ଓକିଲ ମିଳୁନଥିବା ଜଣାପଡିଛି।

{"id":229936,"sizeSlug":"large"}

ଏହି ଛାତ୍ରଙ୍କ ମଧ୍ୟରୁ ବାରାମୂଲାର ବାସିତ ଆଶିକ ସୋଫି, ଅନନ୍ତ ନାଗର ତାଲିବ ମଜିଦ୍ ଓ ଆମୀର ମୋହିଉଦ୍ଦିନ ବାନୀ ଏକ ୟୁଟ୍ୟୁବ ଭିଡିଓ କରି ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦେବା ଲାଗି ଗିରଫ ହୋଇଛନ୍ତି। ଛାତ୍ରଙ୍କ ରାଷ୍ଟ୍ରବିରୋଧୀ କାର୍ଯ୍ୟଲାଗି କୌଣସି ଓକିଲ ସେମାନଙ୍କ କେସ୍ ଲଢିବେନି ବୋଲି ଏକ ପ୍ରସ୍ତାବ ଗୃହୀତ କରିଥିଲେ। ତେବେ ହାଇକୋର୍ଟ ଓକିଲଙ୍କ ପ୍ରସ୍ତାବ ସମ୍ପର୍କରେ ଜାଣିବା ପରେ ସୁପ୍ରିମକୋର୍ଟଙ୍କ ଏକ ରାୟର ଉଦାହରଣ ଦେଇ ଏଭଳି ଲୋକଙ୍କୁ ବିଚାର ପ୍ରକ୍ରିୟାରେ ସହଯୋଗ କରିବାକୁ କହିଥିଲେ ହେଁ ଓକିଲମାନେ ସେମାନଙ୍କ କେସ୍ ନେଉ ନଥିବାରୁ ଜାମିନ ସୁଣାଣି ହୋଇପାରୁନି। ତେବେ ଅମୂଲ୍ୟା ଲାଗି କିଛି ମହିଳା ଓକିଲ ରାଜି ହୋଇଥିଲେ ହେଲେ ଅନ୍ୟ ଓକିଲମାନେ ବିରୋଧ କରିବାରୁ ସେମାନେ ମଧ୍ୟ ଓହରି ଯାଇଛନ୍ତି। ଏଣୁ ସେମାନଙ୍କ ଜାମିନ ନିବେଦନ ଶୁଣାଣିରେ ବାଧା ଉପୁଜିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.