ଭାରତ ବିରୋଧରେ କହୁଥିବା ଲୋକଙ୍କୁ ‘ଦେଖିବା ମାତ୍ରେ ଗୁଳି’ ଆଇନ ଦରକାର: କର୍ଣ୍ଣାଟକ କୃଷିମନ୍ତ୍ରୀ
24/02/2020 at 6:09 PM

ବେଙ୍ଗାଲୁରୁ ୨୪।୨: ଅଲ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦୁଲ (ଏଆଇଏମଆଇଏମ) ସଭାରେ ପାକିସ୍ତାନ ସମର୍ଥିତ ସ୍ଲୋଗାନକୁ ଜୋର ଧରିଛି ରାଜନୀତି। ଏଭଳି ଦୁଃସାହାସ କରୁଥିବାଲୋକଙ୍କୁ ଦେଖିବାମାତ୍ରେ ଗୁଳି ଲାଗି ଆଇନ ନିମନ୍ତେ କର୍ଣ୍ଣାଟକ କୃଷିମନ୍ତ୍ରୀ ବି.ସି.ପାଟିଲ ସୋମବାର ଦାବି କରିଛନ୍ତି। ଚିତ୍ରଦୁର୍ଗାରେ ଗଣମାଧ୍ୟମ ସହ ଆଲୋଚନା ବେଳେ ଏଭଳି ଲୋକେ ଭାରତର ଖାଇ ପାକିସ୍ତାନର ଗୁଣ ଗାନ କରନ୍ତି। ଯଦି ପାକିସ୍ତାନ ଜିନ୍ଦାବାଦ ତେବେ ସେମାନେ ଏଠାରେ ରହୁଛନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ପାଟିଲ।
ଚୀନରେ ଲୋକେ ଦେଶ ବିରୋଧରେ ମନ୍ତବ୍ୟ ଦେବାକୁବି ସାହାସ କରନ୍ତିନି। ହେଲେ ଭାରତରେ ସେଭଳି କୌଣସି କଟକଣା ନଥିବାରୁ ଲୋକେ ସ୍ୱେଚ୍ଛାଚାର କରୁଥିବା ପାଟିଲ କହିଛନ୍ତି। ଏଣୁ ଏଭଳି ଲୋକଙ୍କ ଲାଗି ସ୍ୱତନ୍ତ୍ର ଆଇନ ଆଣିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଏହା ପୂର୍ବରୁ ଦକ୍ଷିଣପନ୍ଥି ସଙ୍ଗଠନ ଶ୍ରୀ ରାମ ସେନାର ଜନୈକ କାର୍ଯ୍ୟକର୍ତ୍ତା ପାକିସ୍ତାନ ଜିନ୍ଦାବାଦ ଧ୍ୱନୀ ଦେଇଥିବା ଅମୂଲ୍ୟାକୁ ହତ୍ୟା ଲାଗି ପୁରସ୍କାର ଘୋଷଣା କରିଥିଲେ।
ତେବେ ୱେବେସୀଙ୍କ ସିଏଏ ବିରୋଧୀ ସଭାରେ ପାକିସ୍ତାନ ଜିନ୍ଦାବାଦ ଧ୍ୱନୀ ଦେଇଥିବା ଯୁବତୀକୁ ପୋଲିସ ଗିରଫ କରିଥିବାବେଳେ କୋର୍ଟ ତାକୁ ୧୪ ଦିନ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଅମୂଲ୍ୟା ଲିୟୋନ ନାମ୍ନୀ ଏହି ଯୁବତୀ ସଭାରେ ପାକିସ୍ତାନ ସପକ୍ଷରେ ଏବଂ ସିଏଏ ଓ ଏନଆରସି ବିରୋଧରେ ନାରାବାଜୀ କରିଥିଲେ।