ପାକିସ୍ତାନରେ ପୁଣି ଚୀନ ନାଗରିକଙ୍କ ଉପରେ ଆକ୍ରମଣ, ଦୁଇ ଶ୍ରମିକଙ୍କୁ ଗୁଳି କଲେ ବାଇକ୍‌ ଆରୋହୀ ଦୁର୍ବୃତ୍ତ

Published By : Prameya-News7 Bureau | July 28, 2021 IST

କରାଚି ୨୮/୭: ନିକଟରେ ପାକିସ୍ତାନରେ ଚୀନ ଇଞ୍ଜିନିୟରଙ୍କୁ ହତ୍ୟା କରାଯିବା ପରେ ରାଗରେ ଗର ଗର ହେଉଛି ଡ୍ରାଗନ୍‌। ଏପରିକି ନିଜ ତଦନ୍ତ ଅଧିକାରୀଙ୍କ ଦ୍ବାରା ମାମଲାର ଯାଞ୍ଚ କରୁଛି । ଏହାରି ଭିତରେ ପୁଣି ଥରେ ଦୁଇ ଚୀନ ନାଗରିକଙ୍କୁ ପାକିସ୍ତାନରେ ମରଣାନ୍ତକ ଆକ୍ରମଣ କରାଯାଇଛି। କରାଚିରେ ଫ୍ୟାକ୍ଟ୍ରିରେ କାମ କରୁଥିବା ଦୁଇ ଶ୍ରମିକଙ୍କୁ ଗୁଳି କରାଯାଇଛି। ମୋଟର ସାଇକେଲ୍‌ରେ ଆସିଥିବା ଦୁର୍ବୃତ୍ତ କାରରେ ଯାଉଥିବା ଦୁଇ ଚୀନ ନାଗରିକଙ୍କୁ ଗୁଳି କରିଥିବା ପୋଲିସ କହିଛି।

ଏଥିରେ ଜଣେ ଗୁରୁତର ହୋଇଛନ୍ତି। ବରିଷ୍ଠ ଅଧିକାରୀ ଜାଭେଦ ଆକବର କହିଛନ୍ତି ଏହି ଆକ୍ରମଣ ପଛରେ କାହାର ହାତ ଅଛି ସେନେଇ ଜଣାପଡ଼ିନାହିଁ । କରାଚିରେ ଏବେ ଚୀନ ଦ୍ବାରା ଆର୍ଥିକ ସହାୟତାରେ ଅନେକ ପ୍ରୋଜେକ୍ଟ ଉପରେ କାମ ଚାଲିଛି। କିଛି ସପ୍ତାହ ପୂର୍ବରୁ ପଶ୍ଚିମ ପାକିସ୍ତାନରେ ଆତଙ୍କବାଦୀଙ୍କ ଆକ୍ରମଣରେ ଚୀନର ୯ ନାଗରିକ ଏବଂ ୪ ଜଣ ପାକିସ୍ତାନୀଙ୍କ ମୃତ୍ୟୁ ହୋଇଥିଲା।

ପ୍ରଥମେ ଏହାକୁ ସଡ଼କ ଦୁର୍ଘଟଣା ବୋଲି ପାକିସ୍ତାନ କହିଥିଲା। କିନ୍ତୁ ପରେ ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି ଜଣାପଡ଼ିଥିଲା। ଏନେଇ ଚୀନ ପାକିସ୍ତାନ ଉପରେ କ୍ଷୁବ୍ଧ ହୋଇଥିବା ବେଳେ ପାକିସ୍ତାନ ସେନା ମୁଖ୍ୟ କମର ଜାଭେଦ ପାକିସ୍ତାନରେ କାମ କରୁଥିବା ସମସ୍ତ ଚୀନ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ନେଇ ଆଶ୍ବସନା ଦେଇଥି​‌ଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.