ନୂଆଦିଲ୍ଲୀ: ଅପରେସନ ସିନ୍ଦୂରରେ ଆତଙ୍କୀଙ୍କ ସହ ଧରାଶାୟୀ ହୋଇଛି ପାକିସ୍ତାନର ଶେୟାର ବଜାର। ଅପରେସନ ସିନ୍ଦୂର ଯୋଗୁ କରାଚୀ ଷ୍ଟକ୍ ଏକ୍ସଚେଞ୍ଜରେ ହାହାକାର। ଭୟରେ ପାକିସ୍ତାନୀ ନିବେଶକ। ଖରାପ ହୋଇଛି ପାକିସ୍ତାନର ଶେୟାର ବଜାର ସ୍ଥିତି । ଗୁରୁବାର ପାକିସ୍ତାନର ଶେୟାର ବଜାର ଗୁରୁତର ଭାବେ କ୍ରାସ ହୋଇଛି।
ମିଳିଥିବା ରିପୋର୍ଟ ଅନୁସାରେ, ପାକିସ୍ତାନରେ ଗୁରୁବାର କରାଚୀ ଷ୍ଟକ୍ ମାର୍କେଟରେ ବଡ଼ ହ୍ରାସ ହୋଇଛି। ଏହି ହ୍ରାସ ଏତେ ଭୟଙ୍କର ଯେ, ଏହା ଯୋଗୁ ପାକିସ୍ତାନ ଶେୟାର ମାର୍କେଟରେ ଲୋୟର ସର୍କିଟ୍ ଲାଗିଛି। ଅର୍ଥାତ ହ୍ରାସର ଲିମିଟ୍ ପାର୍ ହୋଇଛି। ଗୁରୁବାର କରାଚୀ ଷ୍ଟକ୍ ଏକ୍ସଚେଞ୍ଜର ବେଞ୍ଚମାର୍କ KSE 100 Index 103,060.30 ସ୍ତରର ଲୋୟର ସର୍କିଟରେ ପହଞ୍ଚିଛି। ଇଣ୍ଡେକ୍ସରେ ପ୍ରାୟ ୬.୩୨ ପ୍ରତିଶତର ହ୍ରାସ ଦେଖିବାକୁ ମିଳିଛି।ସେହିଭଳି KSE 30 ଇଣ୍ଡେକ୍ସ ୭.୨ % ଖସିଛି। ଫଳରେ ସେଠାରେ ଟ୍ରେଡିଂକୁ ସଂପୂର୍ଣ୍ଣ ଭାବରେ ବନ୍ଦ କରିଦିଆଯାଇଛି।
ବ୍ଲୁମବର୍ଗର ତଥ୍ୟ ଅନୁଯାୟୀ ୨୦୨୫ ଏପ୍ରିଲ ୨୨ରୁ ମେ ୮ ସୁଦ୍ଧା KSE 100 Indexରେ ୧୩ ପ୍ରତିଶତ ଏବଂ KSE 30 ଇଣ୍ଡେକ୍ସ ୧୪.୩ ପ୍ରତିଶତ ଖସିଛି। କେବଳ ଦୁଇ ଦିନରେ କରାଚୀ ଷ୍ଟକ୍ ଏକ୍ସଚେଞ୍ଜ ୧୦% ହ୍ରାସ ହୋଇଛି।
ବିଶେଷଜ୍ଞଙ୍କ ମତରେ ଭାରତ- ପାକିସ୍ତାନ ମଧ୍ୟରେ ଲାଗିରହିଥିବା ତିକ୍ତତା କାରଣରୁ ଏହି ହ୍ରାସ ଦେଖିବାକୁ ମିଳିଛି। ବିଦେଶୀ ନିବେଶକଙ୍କ ପୁଞ୍ଜି ପ୍ରତ୍ୟାହାର କାରଣରୁ ପାକିସ୍ତାନ ବଜାରରେ ଅସ୍ଥିରତା ଦେଖିବାକୁ ମିଳିଛି। ବ୍ୟାଙ୍କିଂ ରିୟଲ ଇଷ୍ଟେଟ ଏବଂ ଅଟୋ ସେକ୍ଟରର ଶେୟାର ସବୁଠୁ ଅଧିକ ପ୍ରଭାବିତ ହୋଇଛି। ତେଣୁ ଯଦି ଖୁବ୍ ଶୀଘ୍ର ସ୍ଥିତିରେ ସୁଧାର ନଆସେ ତେବେ ବଜାର ଆହୁରି ଖସିବ ବୋଲି କହିଛନ୍ତି ବିଶେଷଜ୍ଞ।
ସୂଚନାଥାଉକି, ଭାରତ ମେ ୭ରୁ ପିଓକେରେ ସାମରିକ ଅପରେସନ ସିନ୍ଦୂର ଆରମ୍ଭ କରିଛି। ଏଥିରେ ଭାରତ ୧୦୦ରୁ ଅଧିକ ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରିଥିବା କହିଛି। ସେହିଭଳି ପାକିସ୍ତାନ, ଚୀନ ନିର୍ମିତ ଜେ-୧୦ସି ଜେଟରୁ ଭାରତୀୟ ବିମାନକୁ ଟାର୍ଗେଟ କରିଥିବା ଦାବି କରିଆସୁଛି। ଏସବୁ ଭିତରେ ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନର ଛବି ଉପରେ ପ୍ରଭାବ ପଡ଼ିଛି। ନିବେଶକଙ୍କ ମଧ୍ୟରେ ଅନିଶ୍ଚିତତା ଦେଖିବାକୁ ମିଳିଛି। ଗୁରୁବାର ମଧ୍ୟ ଲାହୋର, କରାଚୀ, ରାଓ୍ବଲପିଣ୍ଡି ସମେତ ୧୨ ସ୍ଥାନରେ ଡ୍ରୋନ ମାଡ଼ କରିଛି ଭାରତ। ଯେଉଁ କାରଣରୁ ପାକିସ୍ତାନ ଶେୟାର ବଜାରରେ ବଡ଼ ହ୍ରାସ ଦେଖିବାକୁ ମିଳିଛି।