ନୂଆଦିଲ୍ଲୀ: ଭାରତର ପାରା ଜୁଡୋ ଖେଳାଳି କପିଲ ପରମାର ଚମତ୍କାର ପ୍ରଦର୍ଶନ କରି ପଦକ ନିଜ ନାଁରେ କରିଛନ୍ତି । କପିଲ ପୁରୁଷ ୬୦ କେଜି ଜେ୧ ପ୍ରତିଯୋଗିତାରେ କାଂସ୍ୟ ପଦକ ମୁକାବିଲାରେ ବ୍ରାଜିଲର ଏଲିନଲଟନ୍ ଡି ଓଲୋଭେରାଙ୍କୁ ୧୦-୦ରେ ପରାସ୍ତ କରିଛନ୍ତି । କପିଲ୍ ଏହି ପଦକ ଜିତିବା ସହ ଇତିହାସ ରଚିଛନ୍ତି । ପାରାଅଲିମ୍ପିକ୍ସ ଏବଂ ଅଲିମ୍ପିକ୍ସ ଇତିହାସରେ ଜୁଡୋରେ ପଦକ ଜିତିବାରେ ପ୍ରଥମ ଭାରତୀୟ ହୋଇଛନ୍ତି । ୨୦୨୨ ଏସିଆନ୍ ଖେଳରେ ପରମାର ଏହି ବର୍ଗରେ ରୌପ୍ୟ ଜିତିଥିଲେ ।
ପରମାରଙ୍କ ବିଜୟ ସହ ପ୍ୟାରିସ ପାରାଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୨୫ରେ ପହଞ୍ଚିଛି । ଭାରତ ପାଖରେ ୫ ସ୍ୱର୍ଣ୍ଣ, ୯ ରୌପ୍ୟ ଏବଂ ୧୧ କାଂସ୍ୟ ପଦକ ରହିଛି । ଅଷ୍ଟମ ଦିନରେ ପଦକ ସଂଖ୍ୟା ଆହୁରି ବଢିବା ଏକ ପ୍ରକାର ନିଶ୍ଚିତ । ଭାରତ ଟୋକିଓରେ ହୋଇଥିବା ଗତ ପାରାଅଲିମ୍ପିକ୍ସ ତୁଳନାରେ ଚଳିତ ଥର ଭଲ ପ୍ରଦର୍ଶନ ଜାରି ରଖିଛି । ଟୋକିଓ ପାରାଅଲିମ୍ପିକ୍ସରେ ଭାରତ ମୋଟ ୧୯ ପଦକ ଜିତିଥିଲା । ଭାରତ ପ୍ୟାରିସ୍ ପାରାଅଲିମ୍ପିକ୍ସରେ ତୀରନ୍ଦାଜି, ପାରା ଆଥଲିଟ୍, ସୁଟିଂ, ପାରା ବ୍ୟାଡମିଣ୍ଟନ ଏବଂ ପାରା ଜୁଡୋରେ ପଦକ ଜିତିବାରେ ସଫଳ ହୋଇଛି ।