‘ଯଦି ଅଶ୍ଵିନଙ୍କୁ ଟେଷ୍ଟରୁ ବାଦ୍ ଦିଆଯାଉଛି ତେବେ ବିରାଟ କୋହଲିଙ୍କୁ ଟି-୨୦ରୁ କାହିଁକି ନୁହେଁ’

Published By : Prameya-News7 Bureau | July 08, 2022 IST

ନୂଆଦିଲ୍ଲୀ: ଯଦି ରବିଚନ୍ଦ୍ରନ ଅଶ୍ଵିନଙ୍କ ପରି ପ୍ରତିଭାଶାଳୀ ବୋଲରଙ୍କୁ ଟେଷ୍ଟ ଦଳର ଚୂଡାନ୍ତ ଏକାଦଶରୁ ବାହାର କରାଯାଇ ପାରୁଛି ତେବେ ଦୀର୍ଘ ସମୟ ଧରି ଫର୍ମରେ ନଥିବା ବିରାଟ କୋହଲିଙ୍କୁ ମଧ୍ୟ ଟି-୨୦ରୁ ବାହାର କରାଯାଇ ପାରିବ। ଏଥିପାଇଁ ଏହା ବଡ ପ୍ରସଙ୍ଗ ହେବା ଉଚିତ୍ ନୁହେଁ। ଏହା କହିଛନ୍ତି ଭାରତର ପୂର୍ବତନ ବିଶ୍ଵ କପ୍ ବିଜେତା ଦଳର ଅଧିନାୟକ କପିଲ୍ ଦେବ। ଦମଦାର ଲୟରେ ଥିବା ଖେଳାଳିଙ୍କୁ ଯଦି ଦଳ ପ୍ରବନ୍ଧକ ସୁଯୋଗ ଦେବେନି ତେବେ ଏହା ସେମାନଙ୍କ ସହ ଅନ୍ୟାୟ ହେବ ବୋଲି କପିଲ୍ କହିଛନ୍ତି।

କପିଲ୍ ଦେବ ଏବିପି ନ୍ୟୁଜ୍ ସହ ଆଲୋଚନା ବେଳେ କହିଛନ୍ତି, ଯଦି ଆପଣ ଦ୍ଵିତୀୟ ସର୍ବଶ୍ରେଷ୍ଠ ବୋଲର ଅଶ୍ଵିନଙ୍କୁ ଦଳରୁ ବାହାରେ ବସାଇ ପାରନ୍ତି ତେବେ ବିଶ୍ଵର ନମ୍ବର ଏକ ଖେଳାଳିଙ୍କୁ ମଧ୍ୟ ବାହାରେ ବସାଇ ପାରିବେ। ମୁଁ ଚାହୁଁଛି କୋହଲି ରନ କରନ୍ତୁ। ମାତ୍ର ସଂପ୍ରତି କୋହଲି ସେହି ସ୍ତରର କ୍ରିକେଟ୍ ଖେଳୁ ନାହାନ୍ତି ଯେଉଁଥିପାଇଁ ସେ ପରିଚିତ। ସେ ନିଜ ଦମରେ ନାମ କମାଇଛନ୍ତି ଏବଂ ଯଦି ସେ ପ୍ରଦର୍ଶନ କରିବେ ନାହିଁ ତେବେ ଆପଣ ନୂଆଁ ଖେଳାଳିଙ୍କୁ ବାହାରେ ବସାଇ ପାରିବେ ନାହିଁ।

ଭାରତର ପୂର୍ବତନ ଅଧିନାୟକ କହିଛନ୍ତି, ମୋ ମତରେ ଦଳରେ ସ୍ଥାନ ପାଇବା ପାଇଁ କୋହଲି ଏବଂ ଯୁବ ଖେଳାଳିଙ୍କ ମଧ୍ୟରେ କଡା ପ୍ରତିଦ୍ଵନ୍ଦ୍ଵିତା ହେଉ। ନୂତନ ଖେଳାଳି ଏମିତି ପ୍ରଦର୍ଶନ କରନ୍ତୁ ଯେ, ବିରାଟଙ୍କ ପାଇଁ ଦଳରେ ସ୍ଥାନ ପାଇବା ମୁସ୍କିଲ ହୋଇଯିବ। ଆଉ ବିରାଟ କୋହଲି ଏମିତି ପ୍ରତ୍ୟାବର୍ତ୍ତନ କରନ୍ତୁ ଯେ, ନୂତନ ଖେଳାଳିଙ୍କୁ ନିଜର ସ୍ତର ଆହୁରି ଉଚ୍ଚା କରିବାକୁ ପଡିବ। ଦୁହିଁଙ୍କ ମଧ୍ୟରେ ଏହି ପରି ଭଲ ପ୍ରତିଯୋଗିତା ହେଉ। ବିରାଟଙ୍କୁ ଚିନ୍ତା କରିବା ଦରକାର ଯେ, ସେ ଗୋଟିଏ ସମୟ ଦଳର ଏକ ନମ୍ବର ବ୍ୟାଟସମ୍ୟାନ ଥିଲେ ଏବଂ ବର୍ତ୍ତମାନ ତାଙ୍କୁ ଏହା କରିବା ଉଚିତ୍।

କପିଲ୍ ଦେବ କହିଛନ୍ତି, ଚୂଡାନ୍ତ ଏକାଦଶର ଚୟନ ବର୍ତ୍ତମାନର ଫର୍ମକୁ ଦେଖି କରିବା ଉଚିତ୍ ନା ଅତୀତର ପ୍ରଦର୍ଶନକୁ ଦେଖି। ଯଦି ଆପଣଙ୍କ ପାଖରେ ବହୁତ ବିକଳ୍ପ ରହିଛି ତେବେ ଫର୍ମରେ ଥିବା ଖେଳାଳିଙ୍କୁ ସୁଯୋଗ ଦିଅନ୍ତୁ। ଆପଣ କେବଳ ପ୍ରତିଷ୍ଠା ଆଧାରରେ ଦଳ ଚୟନ କରି ପାରିବେ ନାହିଁ। ଆପଣଙ୍କୁ ବର୍ତ୍ତମାନର ଫର୍ମ ଦେଖି ଦଳ ଚୟନ କରିବା ଉଚିତ୍। ଆପଣ ଜଣେ ସ୍ଥାପିତ ଖେଳାଳି ହୋଇ ପାରନ୍ତି, ମାତ୍ର ଏହାର ଅର୍ଥ ଏହା ନୁହେଁ ଯେ, ଲଗାତାର ପାଞ୍ଚ ମ୍ୟାଚ୍ ଖରାପ ପ୍ରଦର୍ଶନ ପରେ ବି ଆପଣଙ୍କୁ ସୁଯୋଗ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.