ବିଶ୍ୱକପ୍ ଫାଇନାଲ୍‌କୁ ମିଳିଲାନି ନିମନ୍ତ୍ରଣ; କପିଲ ଦେବ କହିଲେ-ଦୁଃଖ ନାହିଁ, ଭାରତ ଜିତିଲେ ହେଲା

Published By : Prameya-News7 Bureau | November 19, 2023 IST

ଅହମଦାବାଦ: ସରିଲା ବିଶ୍ୱକପ୍‌। ହାରିଲା ଭାରତ। ଭାଙ୍ଗିଲା ୧୨ ବର୍ଷର ସ୍ୱପ୍ନ। ଷଷ୍ଠ ଥର ପାଇଁ ବିଜୟ ମୁକୁଟ ପିନ୍ଧିଲା ଅଷ୍ଟ୍ରେଲିଆ।। ୨୦୨୩ ବିଶ୍ୱକପ୍‌ର ଆରମ୍ଭରୁ ଭଲ ପ୍ରଦର୍ଶନ କରି ଆସିଥିବା ଭାରତ ଫାଇନାଲ୍‌ରେ ଅଷ୍ଟ୍ରେଲିଆ ଠାରୁ ୬ ୱିକେଟ୍‌ରେ ପରାସ୍ତ ହୋଇଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ମାତ୍ର ୨୪୦ ରନ୍ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୪ ୱିକେଟ୍ ହରାଇ ୪୩ ଓଭରରେ ମ୍ୟାଚ୍ ଜିତି ନେଇଛି।

ତେବେ ଫାଇନାଲ୍ ମ୍ୟାଚ୍‌ ପୂର୍ବରୁ ବିସିସିଆଇ ଅନେକ କିଛି ଯୋଜନା କରିଥିଲା। ବିଶ୍ୱକପ୍ କ୍ୟାପ୍ଟେନ୍‌ଙ୍କୁ ଡାକି ସେମାନଙ୍କୁ ସମ୍ମାନିତ କରିବାର ଯୋଜନା ମଧ୍ୟ ହୋଇଥିଲା। ଏଥିପାଇଁ ସବୁ ବିଶ୍ୱକପ୍ ବିଜେତା କ୍ୟାପ୍ଟେନ୍‌କୁ ନିମନ୍ତ୍ରଣ କରାଯାଇଥିଲା ବୋଲି ଖବର ପ୍ରକାଶ ପାଇଥିଲା। ହେଲେ ଭାରତର ପ୍ରଥମ ବିଶ୍ୱକପ ବିଜୀୟ କ୍ୟାପ୍ଟେନ୍ କପିଲ ଦେବ କହୁଛନ୍ତି ତାଙ୍କୁ ଡକାଯାଇ ନାହିଁ। କୌଣସି ନିମନ୍ତ୍ରଣ ପତ୍ର ନାଁ ମେଲ୍ ତାଙ୍କୁ ପାଖକୁ ଆସି ନାହିଁ। ତେବେ ଏଥିପାଇଁ ସେ ମନ ଦୁଃଖ କରନ୍ତି ନାହିଁ ବୋଲି କପିଲ ଦେବ କହିଛନ୍ତି।

ପଢ଼ନ୍ତୁ-ଦୁର୍ବଳ ବ୍ୟାଟିଂ ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠାଇଲେ ଗାଭାସ୍କର; କହିଲେ- ରୋହିତଙ୍କୁ ଏମିତି କରିବାର ନଥିଲା

ଭାରତକୁ ୧୯୮୩ରେ ପ୍ରଥମ ବିଶ୍ୱକପ ଜିତାଇଥିବା ମହାନ ଖେଳାଳିଙ୍କୁ ଫାଇନାଲ୍ ମ୍ୟାଚ୍‌ରେ ନିମନ୍ତ୍ରଣ କରା ନଯିବାକୁ ନେଇ ଚାରିଆଡ଼ୁ ସମାଲୋଚନା କରାଯାଉଛି। ବିସିସିଆଇର ଖେଳୁଆଡ଼ ମନୋବୃତ୍ତି ବଦଳରେ ଅଧିକ ରାଜନୀତି ହେଉଛି ବୋଲି ଚର୍ଚ୍ଚା ହେଉଛି।

ଏବିପି ନ୍ୟୁଜ୍‌କୁ ପ୍ରତିକ୍ରିୟା ଦେଇ କପିଲ ଦେବ କହିଛନ୍ତି ଯେ ସେମାନେ ମୋତେ ଡାକିଲେ ନାହିଁ ତେଣୁ ମୁଁ ଗଲି ନାହିଁ। ମୁଁ ଚାହୁଁଥିଲି ଯେ ମୋର ପୂରା ୮୩ ମସିହାର ଟିମ୍‌କୁ ଡାକିଥିଲେ ଆହୁରି ଭଲ ହୋଇଥାନ୍ତା। ହେଲେ ଏତେ କାମ ହେଉଛି, ଏତେ ଲୋକ, ଏତେ ଦାୟିତ୍ୱ ଅଛି। କେବେ କେବେ ଲୋକ ଭୁଲି ଯାଆନ୍ତି।

ଏହାପରେ ରିପୋର୍ଟର ତାଙ୍କୁ ପଚାରିଲେ ଯେ ସାର୍ ଆପଣଙ୍କୁ କିଏ କେମିତି ଭୁଲି ପାରିବ? ଚର୍ଚ୍ଚା ହେଉଥିଲା ଡକାଯିବ। ଏହାପରେ କପିଲ କହିଥିଲେ ଯେ ମୁଁ ବି ଚର୍ଚ୍ଚା ଶୁଣିଥିଲି। ହେଲେ ଡାକିଥିଲେ କଥା ଅଲଗା ହୋଇଥାନ୍ତା। କିନ୍ତୁ ହେଲାନି। ଏଥିରେ ମୋତେ କୌଣସି ଦୁଃଖ ନାହିଁ। ବେଳେ ବେଳେ ଲୋକ ଛୋଟ ଛୋଟ କଥା ଭୁଲି ଯାଆନ୍ତି ବୋଲି କପିଲ ଦେବ କହିଛନ୍ତି। କପିଲ ବଡ଼ ଉଦାରତାର ସହ ଉତ୍ତର ଦେଇଥିଲେ ବି ତାଙ୍କ ପାଖରେ ବସିଥିବା କିର୍ତ୍ତୀ ଆଯାଦ ଏହାକୁ ନିନ୍ଦା କରିଥିଲେ। ଏହା ଛୋଟ କଥା ନୁହେଁ। ସବୁ କ୍ୟାପ୍ଟେନ୍ ସହିତ ଯଦି କପିଲ ଦେବ ସେଠାରେ ଥାନ୍ତେ ତେବେ ଆମ ପାଇଁ ସମ୍ମାନର କଥା ଥିଲା ବୋଲି ଆଜାଦ କହିଥିଲେ।

ପଢ଼ନ୍ତୁ-ସ୍ତବ୍ଧ…ନିରାଶ… ଭାରତର ବିଶ୍ଵକପ୍ ଜିତିବା ସ୍ଵପ୍ନ ଧୂଳିସାତ, ଷଷ୍ଠ ଥର ବିଶ୍ଵ ଚାମ୍ପିଅନ ଅଷ୍ଟ୍ରେଲିଆ

ଏହାପରେ ରିପୋର୍ଟର ପୁଣିଥରେ କପିଲଙ୍କୁ ଦେବ ନ ଡାକିବାର କାରଣ ପଚାରିଥିଲେ। ଉତ୍ତରରେ କପିଲ କହିଥିଲେ ଯେ ମୋତେ କେହି ଡାକି ନାହାନ୍ତି। ତେବେ ଏକଥାକୁ ନେଇ କୌଣସି ବଡ଼ କଥା ବନାଇବାକୁ ଚାହୁଁନି। ମୋତେ ଡାକନ୍ତୁ ବା ନ ଡାକନ୍ତୁ ଭାରତ ମ୍ୟାଚ୍ ଜିତୁ ଏହାହିଁ ଦରକାର ବୋଲି କପିଲ ଦେବ କହିଛନ୍ତି। ତେବେ କପିଲ ଦେବଙ୍କ ପ୍ରତି ବିସିସିଆଇର ଏଭଳି ଦୁର୍ବ୍ୟବହାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଫ୍ୟାନମାନେ କ୍ରିକେଟବୋର୍ଡଙ୍କୁ ସମାଲୋଚନା କରିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.