ମୁମ୍ବାଇରେ ନିର୍ମାତାଙ୍କ ଡ୍ରାଇଭର ଥିଲେ ‘କାନ୍ତାରା’ ଷ୍ଟାର ଋଷଭ ସେଟ୍ଟୀ, ସୁଯୋଗ ନମିଳିବାରୁ ଗାଁକୁ ଫେରି ଆସିଲେ

Published By : Prameya-News7 Bureau | October 16, 2022 IST

ମୁମ୍ବାଇ: କନ୍ନଡ ସିନେମାରେ ଆଜି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ସାରିଛନ୍ତି ଋଷଭ ସେଟ୍ଟୀ। ୨୦୧୮ରେ ରିଲିଜ୍ ହୋଇଥିବା ତାଙ୍କ ଚଳଚ୍ଚିତ୍ର  ‘ରାମନ୍ନା ରାୟ’କୁ ଶ୍ରେଷ୍ଠ ଶିଶୁ ଫିଲ୍ମର ଜାତୀୟ ପୁରସ୍କାର ମିଳିଛି। ଏହା ପୂର୍ବରୁ ୨୦୧୬ରେ ତାଙ୍କ ଫିଲ୍ମ ‘କିରିକ ପାର୍ଟି’କୁ ରାଜ୍ୟ ପୁରସ୍କାର ମିଳିଥିଲା। ମାତ୍ର ସଂପ୍ରତି ଋଷଭ ସେଟ୍ଟୀ ନିଜର ଫିଲ୍ମ ‘କାନ୍ତାରା’ ପାଇଁ ସବୁଠୁ ଅଧିକ ଚର୍ଚ୍ଚାରେ ଅଛନ୍ତି।

କନ୍ନଡରେ ନିର୍ମିତ ଫିଲ୍ମ ‘କାନ୍ତାରା’ର ନିର୍ଦ୍ଦେଶନା ଦେବା ସହିତ ଋଷଭ ଏହାର ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ଫିଲ୍ମର ଖୁବ୍ ପ୍ରଶଂସା କରାଯାଉଛି। ଫିଲ୍ମ ଦେଖି ଫେରୁଥିବା ପ୍ରତିଟି ବ୍ୟକ୍ତି ଋଷଭଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି। ‘କାନ୍ତାରା’ ମୂଳତଃ କନ୍ନଡ ଫିଲ୍ମ ଏବଂ ସେପ୍ଟେମ୍ବର ୩୦ରେ ସିନେମାଘରେ ରିଲିଜ୍ ହୋଇଥିଲା। ଗତ ୧୫ ଦିନରୁ ଫିଲ୍ମଟି ଖୁବ୍ ଆୟ କରୁଛି। ନିଜ ରାଜ୍ୟ କର୍ଣ୍ଣାଟକରେ ଦ୍ଵିତୀୟ ସପ୍ତାହରେ ଫିଲ୍ମର ଆୟ କେଜିଏଫ-୨ ପରି ବ୍ଲକବଷ୍ଟର ରହିଛି। ଏବେ ଫିଲ୍ମଟି କେବଳ କନ୍ନଡରେ ସୀମିତ ରହିନାହିଁ।

‘କାନ୍ତାରା’ର ଟ୍ରେଲର ଦେଖିବା ପରଠୁ ହିନ୍ଦୀ ଭାଷାଭାଷି ଜନତା ବି ଫିଲ୍ମକୁ ନେଇ ବେଶ ଉତ୍ସାହିତ ଥିଲେ। ଫିଲ୍ମକୁ ହିନ୍ଦୀରେ ରିଲିଜ୍ କରାଯାଉ ବୋଲି ଦାବି ଉଠିଥିଲା। ନିର୍ମାତା ଜନତାଙ୍କ ପ୍ରତିକ୍ରିୟାକୁ ଗୁରୁତର ସହ ନେଇ ଅକ୍ଟୋବର ୧୪ରେ ହିନ୍ଦୀ ଡବିଂ ସହିତ ହଲ୍‌ରେ ‘କାନ୍ତାରା’କୁ ରିଲିଜ୍ କରାଇଛନ୍ତି। ପ୍ରଥମ ଦିନରେ କାମଚଳା ଆରମ୍ଭ ପରେ ଦ୍ଵିତୀୟ ଦିନରେ ଫିଲ୍ମର ଆୟ ଦୁଇ ଗୁଣ ବଢିଛି। ଫିଲ୍ମର ହିନ୍ଦୀ ଭର୍ସନକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି।

‘କାନ୍ତାରା’ ର ସଫଳତା ପରେ ଋଷଭ ଏକ ନୂତନ ସାକ୍ଷାତକାର ଦେଇଛନ୍ତି। ସେ କାମଚଳା ହିନ୍ଦୀ କହି ପାରନ୍ତି। ତିନି ଚାରି ମାସ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରିବା ଉଦ୍ଦେଶ୍ୟରେ ସେ ମୁମ୍ବାଇ ଆସିଥିଲେ ଏବଂ ଏଥିପାଇଁ ସେ ଠିକ୍‌ରେ ହିନ୍ଦୀ କହି ପାରିଥିଲେ। ୨୦୦୬ରେ ରିଲିଜ୍ ହୋଇଥିବା କନ୍ନଡ ଫିଲ୍ମ ସାୟାନାଇଡ୍ ଋଷଭଙ୍କ ପ୍ରଥମ ଫିଲ୍ମ ଥିଲା, ଯେଉଁଥିରେ ସେ ସହାୟକ ନିର୍ଦ୍ଦେଶକ ଭାବେ କାମ କରିଥିଲେ। ପରେ ବଲିଉଡ ଫିଲ୍ମ ‘ମର୍ଡର’ର କନ୍ନଡ ରିମେକ ‘ଗଣ୍ଡା ହେଣ୍ଡଥୀ’ରେ କାମ କରିଥିଲେ। ମାତ୍ର କିଛି ଦିନ ପରେ ଋଷଭଙ୍କ ଅଞ୍ଚଳକୁ ଏକ ହିନ୍ଦୀ ଫିଲ୍ମ ୟୁନିଟ୍ ସୁଟିଂ ପାଇଁ ପହଞ୍ଚିଥିଲା। ଉକ୍ତ ଫିଲ୍ମରେ ଋଷଭ କୋର୍ଡିନେସନ କାମ କରିଥିଲେ।

ଫିଲ୍ମ ବିଷୟରେ ଆଲୋଚନା ସମୟରେ ସେ କହିଛନ୍ତି, ଭଲ କାମ କରୁଥିବା କହି ମୋତେ ମୁମ୍ବାଇ ନେଇକି ଆସିଲେ। ମାତ୍ର ମୋତେ ଅଫିସ ବୟର କାମ, ନିର୍ମାତାଙ୍କ ଡ୍ରାଇଭରର କାମ କରିବାକୁ ଦେଇଥିଲେ। ମୋତେ ଏଡିଟିଂର ବହୁତ ସଉକ ଥିଲା। କିନ୍ତୁ ମୋତେ ସୁଯୋଗ ଦେଲେନି। ଏହା ପରେ ସେ ବୁଝି ଯାଇଥିଲେ ଯେ, ତାଙ୍କ ସହିତ ଆଗକୁ କଣ ହେବାକୁ ଯାଉଛି। ମୁଁ ଜାଣି ନେଇଥିଲେ ଯେ, ମୋତେ ଏଠାରେ ଅଫିସ୍ ବୟ କାମ କରିବାକୁ ପଡିବ। ତଥାପି ପ୍ରତିଟି ସିନିୟର ଏଡିଟରଙ୍କ ସହିତ କାମ କଲି। କିନ୍ତୁ ମୋତେ ସେତିକି ଶିଖିବାକୁ ଦିଆ ଗଲାନି। ଏଠାରେ କିଛି ହେଉନଥିବା ଦେଖି ଶେଷରେ ବ୍ୟାଗ୍ ଧରି ଗାଁକୁ ଚାଲି ଆସିଲି ବୋଲି ଋଷଭ କହିଛନ୍ତି।

ଫିଲ୍ମ ‘କାନ୍ତାରା’ ବିଷୟରେ ଆଲୋଚନା କରି ଋଷଭ କହିଛନ୍ତି, ଫିଲ୍ମର ସୁଟ୍‌ ନିଜ ଗାଁରେ ହୋଇଛି। ଗାଁରେ ଯେଉଁ ପୁରା ସେଟ୍ ଲାଗିଛି ତାହା ତାଙ୍କ ଘରଠୁ ୨ ମିନିଟ୍‌ର ପାଦଚଲା ବାଟ। ସେ ପୂର୍ବରୁ ନିର୍ମାଣ କାମ ବି  କରିଛନ୍ତି। ତେଣୁ ତାଙ୍କର ଏହି ଅନୁଭବ ଫିଲ୍ମର ସେଟ୍ ତିଆରିରେ ବେଶ କାମରେ ଆସିଥିଲା। ତାଙ୍କ ଭାଇମାନେ ଏବଂ ପରିଚିତ ଲୋକେ ଫିଲ୍ମ ନିର୍ମାଣରେ ବହୁତ ସାହାଯ୍ୟ କରିଥିବା ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.