ହସ୍ପିଟାଲରୁ ଡିସଚାର୍ଜ ହେଲେ କାନ୍ତା ପ୍ରସାଦ: ପୋଲିସକୁ କହିଲେ ଆତ୍ମହତ୍ୟା ଉଦ୍ୟମର କାରଣ, ଅନେକ ୟୁଟ୍ୟୁବର୍ସଙ୍କ ଉପରେ ଲଗାଇଲେ ଗମ୍ଭୀର ଆରୋପ

Published By : Prameya-News7 Bureau | June 25, 2021 IST

ନୂଆଦିଲ୍ଲୀ ୨୫/୦୬ : ବାବା କା ଢାବା ମାଲିକ କାନ୍ତା ପ୍ରସାଦଙ୍କ ଅବସ୍ଥା ସୁଧାରିବା ପରେ ସଫଦରଜଙ୍ଗ ଡାକ୍ତରଖାନାରୁ ଡିସଚାର୍ଜ ହୋଇ ସେ ନିଜ ଘରକୁ ଫେରିଛନ୍ତି। ବାବା ଘରକୁ ଫେରିବା ପରେ ପୋଲିସକୁ ନିଜ ବୟାନ ଦେଇଛନ୍ତି। କାନ୍ତା ପ୍ରସାଦଙ୍କ ବୟାନ ଏକ ନୂଆ ନାଟକୀୟ ରୂପ ନେଇଛି। ସେ କାହିଁକି ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ସେ ପୋଲିସକୁ କହିଛନ୍ତି।

ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ପୋଲିସ ପାଖରେ ନିଜର ବୟାନ ରେକର୍ଡ କରି କାନ୍ତା ପ୍ରସାଦ ଅଭିଯୋଗ କରିଛନ୍ତି ଯେ ଅନେକ ୟୁଟ୍ୟୁବର୍ ତାଙ୍କୁ ଗୌରଭ ଭାସନଙ୍କୁ କ୍ଷମା ମାଗିବାକୁ ଚାପ ପକାଇଥିଲେ ଏବଂ ଏହା ପରେ ସେ ଡିପ୍ରେସନକୁ ଚାଲିଯାଇଥିଲେ। ଏହି ମାମଲାରେ ଏପର୍ଯ୍ୟନ୍ତ କୌଣସି ଏଫ୍ଆଇଆର୍ ରୁଜ୍ଜୁ ହୋଇ ନାହିଁ। ପୋଲିସ ବର୍ତ୍ତମାନ ୟୁଟ୍ୟୁବଙ୍କ ଯାଞ୍ଚ କରୁଛି ଯେଉଁମାନେ କାନ୍ତା ପ୍ରସାଦଙ୍କୁ କଲ କରିଥିଲେ।

ଦି ଇଣ୍ଡିଆନ୍ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ, ଡିସିପି (ଦକ୍ଷିଣ ଜିଲ୍ଲା) ଅତୁଲ କୁମାର ଠାକୁର କହିଛନ୍ତି ଯେ ୮୧ ବର୍ଷିୟ କାନ୍ତା ପ୍ରସାଦଙ୍କ ଅବସ୍ଥା ସ୍ଥିର ଅଛି ଏବଂ ସେ ଘରକୁ ଫେରିଛନ୍ତି। ଗତ ସପ୍ତାହରେ ସେ ଆତ୍ମହତ୍ୟା ଉଦ୍ୟମ କରିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ପ୍ରଥମେ ସେ ଭେଣ୍ଟିଲେଟରରେ ଥିଲେ ଏବଂ ପରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା।

ସୂତ୍ରରୁ ପ୍ରକାଶ ଯେ ଗୁରୁବାର ଦିନ କାନ୍ତା ପ୍ରସାଦଙ୍କ ବୟାନ ରେକର୍ଡ କରାଯାଇଛି ଯେଉଁଥିରେ ସେ ଦାବି କରିଛନ୍ତି ଯେ ଅନେକ ୟୁଟ୍ୟୁବର୍ ତାଙ୍କୁ ଗୌରଭ ଭାସାନଙ୍କୁ କ୍ଷମା ମାଗିବାକୁ ଚାପ ପକାଇଥିଲେ।

ଏହାପୂର୍ବରୁ କାନ୍ତା ପ୍ରସାଦଙ୍କ ପୁଅ କରଣ ମଧ୍ୟ ପୋଲିସକୁ କହିଥିଲେ ଯେ ତାଙ୍କ ପିତା ମଦ୍ୟପାନ କରିବା ପରେ ନିଦ ବଟିକା ଖାଇଦେଇଥିଲେ। ବ୍ୟବସାୟକୁ ନେଇ ଗତ କିଛି ଦିନ ହେଲା ସେ ଚିନ୍ତିତ ଥିଲେ ବୋଲି ତାଙ୍କ ପତ୍ନୀ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.