ବେଙ୍ଗାଲୁରୁ, ୩୦/୦୯: କନ୍ନଡ଼ର ଟିଭି ସିରିଏଲ୍ ଅଭିନେତ୍ରୀ ସୌଜନ୍ୟାଙ୍କର ସନ୍ଦେହ ଜନକ ଭାବେ ମୃତଦେହ ଉଦ୍ଧାର ହୋଇଛି । ସେ ବେଙ୍ଗାଲୁରୁର କୁମ୍ୱଲଗୁଡ଼ୁ ସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ଅନୁସାରେ ସେ ନିଜ ଆପାର୍ଟମେଣ୍ଟରେ ଝୁଲି ପଡ଼ିଛନ୍ତି । ପୋଲିସ୍ ତାଙ୍କ ମୃତଦେହ ଆଜି ସକାଳେ ତାଙ୍କ ରୁମ୍ରୁ ଜବତ କରିଛି । ଏ ନେଇ ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି ।
ସୌଜନ୍ୟାଙ୍କ ରୁମ୍ରୁ ଏକ ହାତ ଲେଖା ସୁଇସାଇଡ୍ ନୋଟ୍ ଜବତ କରାଯାଇଛି । ଏଥିରେ ସେ ଭାବ ବିହ୍ୱଳ ହୋଇ ପରିବାର ପ୍ରତି ତାଙ୍କ ମନର ବ୍ୟଥାକୁ କାଗଜରେ ଲେଖିଛନ୍ତି । “ବାପା ମୁଁ ଆପଣଙ୍କୁ ଖୁବ୍ ଭଲପାଏ...। ମା' ମୋତେ କ୍ଷମା କରିଦେବୁ। ମୁଁ ବାଧ୍ୟ ହୋଇ ଏମିତି ପଦକ୍ଷେପ ନେଲି..। ଆଇ ଆମ୍ ରିୟଲି ସୋ ସରି...”
ଆଜି ସକାଳୁ ସୌଜନ୍ୟାଙ୍କ ମୃତ ଖବର ଶୁଣିବା ପରେ କାନାଡ଼ା ଟେଲିଭିଜନ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଥିଲା। ମାତ୍ର ୨୫ ବର୍ଷ ବୟରେ ସେ ଟେଲିଭିଜନ ଇଣ୍ଡଷ୍ଟ୍ରୀ ଖୁବ୍ ନାଁ କରିଥିଲେ। କର୍ଣ୍ଣାଟକ କୋଡଗୁ ଜିଲ୍ଲା କୁଶାଲନଗର ଜନ୍ମଗ୍ରହଣ କରିଥିବା ସୌଜନ୍ୟା ଅଭିନୟକୁ ନିଜ କ୍ୟାରୟର ଭାବରେ ବାଛିବା ପରେ କାମ ପାଇଁ ରାଜଧାନୀ ବେଙ୍ଗାଲୁରୁକୁ ଚାଲିଆସିଥିଲେ। ସେ କେତେକ ଧାରାବାହିକରେ ଅଭିନୟ କରିଥିବା ବେଳେ କିଛି ଫିଲ୍ମ ମଧ୍ୟ ଅଭିନୟ କରିଛନ୍ତି। ହେଲେ ହଠାତ୍ ଏଭଳି ଘଟଣା ଘଟିଯିବ କେହି ବିଶ୍ୱାସ କରିପାରି ନଥିଲେ। ସୌଜନ୍ୟାଙ୍କ ବିୟୋଗରେ ପୂରା କାନାଡ଼ା ଟେଲିଭିଜନ ଇଣ୍ଡଷ୍ଟ୍ରୀ ଚମକି ପଡ଼ିଛି।
ପୁଲିସ ଉଦ୍ଧାର କରିଥିବା ସୁଇସାଇଡ୍ ନୋଟ୍ରୁ ଜାଣିବାକୁ ପାଇଛି ଯେ ସୌଜନ୍ୟା ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ଓ ଟେଲିଭିଜନ ଇଣ୍ଡଷ୍ଟ୍ରୀରେ ଥିବା ସମସ୍ୟା ଯୋଗୁ ମାନସିକ ଚାପରେ ଥିଲେ। ଏଥିପାଇଁ ସେ ଏଭଳି ପଦକ୍ଷେପ ନେଇଛନ୍ତି। ଉଦ୍ଧାର ହୋଇଥିବା ୩ ପୃଷ୍ଠା ସମ୍ଭଳିତ ସୁଇସାଇଡ୍ ନୋଟ୍ରେ ସେ ତିନୋଟି ତାରିଖ ସେପ୍ଟମ୍ବର ୨୭,୨୮,୩୦ ଲେଖିଛନ୍ତି। ତେଣୁ ତିନି ଦିନ ଆଗରୁ ସେ ଆତ୍ମହତ୍ୟା କରିବା ନେଇ ନିଷ୍ପତ୍ତି ନେଇସାରିଥିବା ପୁଲିସ ସନ୍ଦେହ କରିଛି।