ଦିଲ୍ଲୀ କଞ୍ଝାଓ୍ଵଲା କେସ୍: ମୃତ ଅଞ୍ଜଳିଙ୍କ ଘରୁ ଚୋରି, ଅଭିଯୁକ୍ତ ଏବଂ ସାଙ୍ଗ ନିଧି ଉପରେ ସନ୍ଦେହ କଲେ ପରିବାର ଲୋକେ
9/01/2023 at 10:32 PM

ନୂଆଦିଲ୍ଲୀ: କଞ୍ଝାଓ୍ଵଲା କେସ୍ ପୂରା ଦେଶକୁ ସ୍ତବ୍ଧ କରି ଦେଇଛି। ଦିନକୁ ଦିନ ମାମଲାରେ ଚାଞ୍ଚଲ୍ୟକର ଖୁଲାସା ହେବାରେ ଲାଗିଛି। ଅଞ୍ଜଳିଙ୍କ ପରିବାର ଝିଅର ଯନ୍ତ୍ରଣାଦାୟକ ମୃତ୍ୟୁର ଯନ୍ତ୍ରଣାରୁ ବାହାରିନଥିବା ବେଳେ ଆଉ ଏକ ବିପଦ ପରିବାର ଉପରେ ମାଡି ବସିଛି। ନିକଟରେ ଅଞ୍ଜଳିଙ୍କ ଘରେ ବଡ ଧରଣର ଚୋଟି ଘଟଣା ଘଟିଛି। ଅଞ୍ଜଳିଙ୍କ ଘରୁ ସେହି ସମୟରେ ଚୋରି ହୋଇଛି ଯେତେବେଳେ ପୂରା ପରିବାର ମାମୁଁ ଘରକୁ ଯାଇଥିଲେ। ପରିବାର ଲୋକଙ୍କ ଅନୁଯାୟୀ, ଚୋରମାନେ ପ୍ରଥମେ ତାଲା ଭାଙ୍ଗି ଘର ଭିତରେ ପଶି ଏଲସିଡି ଟିଭି ସମେତ ବହୁମୂଲ୍ୟ ସାମଗ୍ରୀ ଚୋରି କରିଛନ୍ତି। ଅଞ୍ଜଳିଙ୍କ ପରିବାର ଦିଲ୍ଲୀର ରୋହିଣୀ ଅଞ୍ଚଳରେ ରହୁଛନ୍ତି। ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଛି।

ପୋଲିସ୍ ଅନୁଯାୟୀ, ପୀଡିତାଙ୍କ ପରିବାରର ସଦସ୍ୟଙ୍କୁ ସୋମବାର ତାଙ୍କ ପଡୋଶୀ ଚୋରି ବିଷୟରେ ସୂଚନା ଦେଇଥିଲେ। ଅଞ୍ଜଳିଙ୍କ ମୃତ୍ୟୁ ପରଠୁ ପରିବାର ଲୋକେ ତାଙ୍କ ସଂପର୍କୀୟ ଘରେ ରହୁଛନ୍ତି। ପରିବାର ଲୋକେ ଆଶଙ୍କା କରୁଛନ୍ତି ଯେ, ଦୁର୍ଘଟଣା ସମମୟରେ ଅଞ୍ଜଳିଙ୍କ ସ୍କୁଟିରେ ବସିଥିବା ନିଧି ଏବଂ ମାମଲାର ଅଭିଯୁକ୍ତ ଏହି ଘଟଣା ପଛରେ ଥାଇ ପାରନ୍ତି।
ସିଂଙ୍କ ପରିବାର ସୋମବାର ସକାଳେ ୮ଟା ୩୦ରେ ଅମନ ବିହାର ଥାନାରେ ଚୋରି ଅଭିଯୋଗ କରିଛନ୍ତି। ତୁରନ୍ତ ପୋଲିସର ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ଘରର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଛନ୍ତି। ଅଭିଯୋଗ ଅନୁଯାୟୀ, ଘରୁ ଗୋଟିଏ ଏଲଇଡି ଟିଭି, କିଛି ପୋଷାକ ଏବଂ କଂସାବାସନ ଚୋରି ହୋଇଛି। ଆଇପିସିରିର ବିଭିନ୍ନା ଧାରା ଅନୁସାରେ ମାମଲା ରୁଜୁ କରାଯାଇଛି। ପରିବାର ଦ୍ଵାରା ଅଣାଯାଇଥିବା ଅଭିଯୋଗ ଉପରେ ପୋଲିସ୍ ସମସ୍ତ ଦିଗରୁ ତଦନ୍ତ ଚଳାଇଛି।
ଅଞ୍ଜଳିଙ୍କ ସଂପର୍କୀୟ ଅନୁ କହିଛନ୍ତି, ଆମେ ନିଧି ଉପରେ ସନ୍ଦେହ କରୁଛୁ। ନିଧି ଧରା ପଡିବା ଭୟରେ ତାରି ଜିନିଷ ଆମ ଘରେ ରଖିବାକୁ ଚେଷ୍ଟା କରୁଛି। ସେ ପୋଲିସ ଉପରେ ମଧ୍ୟ ଆଙ୍ଗୁଠି ଉଠାଇଛନ୍ତି। ପୋଲିସ୍ ଗତ ଆଠ ଦିନ ଧରି ଏଠାରେ ଡ୍ୟୁଟି କରୁଥିଲା, କିନ୍ତୁ ଚୋରି ଦିନ ରାତିରେ ନଥିଲା।
ସୂଚନାଯୋଗ୍ୟ, ଜାନୁଆରୀ ୧ରେ ଅଞ୍ଜଳି ଏବଂ ନିଧି ରୋହିଣୀରେ ଏକ ହୋଟେଲ୍ରେ ନୂଆ ବର୍ଷ ପାର୍ଟି ପରେ ଘରକୁ ଫେରୁଥିଲେ। ସେହି ସମୟରେ ମାରୁତି ବାଲେନୋ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ସାମାନ୍ୟ ଆହତ ଲାଗିଥିବା ନିଧି ଘଟଣାସ୍ଥଳରୁ ଫେରାର ମାରିଥିବା ବେଳେ କାରଟି ଅଞ୍ଜଳିକୁ ୧୨ କିମି ଘୋଷାଡି ନେଇଥିଲା। ପରବର୍ତ୍ତୀ ସମୟରେ ପୋଲିସ ସିଆରପିସି ଧାରା ୧୬୪ ଆଧାରରେ ଏକ ମାତ୍ର ସାକ୍ଷୀ ନିଧିଙ୍କ ବୟାନ ରେକର୍ଡ କରିଥିଲା। ଅଦ୍ୟାବଧି ପୋଲିସ ମାମଲାରେ ସାତ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସାରିଛି।