ପାଟନା, ୧୩।୧୦: ଜେଏନୟୁର ପୂର୍ବତନ ଛାତ୍ର ସଂସଦ ସଭାପତି ତଥା ସିପିଆଇ ନେତା କହ୍ନେୟା କୁମାର ଏବେ ବିହାରରେ ପ୍ରଚାର ଅଭିଯାନ ଚଳାଇଛନ୍ତି । ସୋମବାର ବଖେରୀ ଓ ତେଘଡା ଆସନରୁ ସିପିଆଇର ପ୍ରାର୍ଥୀ ନାମାଙ୍କାନ ଦାଖଲ କରିଛନ୍ତି । ଏହି ସମୟରେ କହ୍ନେୟା କୁମାର ମଧ୍ୟ ଉପସ୍ଥିତ ଥିଲେ ।
ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ପରେ କହ୍ନେୟା ଏକ ଜନସଭାକୁ ସମ୍ବୋଧିତ କରିଥିଲେ । ସେ କହିଥିଲେ ଯେ, ୨୦୧୫ ବିଧାନସଭା ନିର୍ବାଚନରେ ଲୋକମାନେ ଆରଜେଡି, ଜେଡିୟୁ ଓ କଂଗ୍ରେସ ମେଣ୍ଟକୁ ଭୋଟ୍ ଦେଇଥିଲେ । ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହୋଇଛିଥିଲେ । କିନ୍ତୁ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ହ୍ୟାକ୍ କରିନେଇଥିଲା । ଏପରି ଲୋକଙ୍କୁ ଭୋଟ୍ ଦେବା ଉଚିତ୍ ଯିଏକି ପରେ ବଦଳି ଯିବ ନାହିଁ । ପୂର୍ବରୁ ଇଭିଏମ ହ୍ୟାକ୍ ହେଉଥିବା ଅଭିଯୋଗ ହେଉଥିଲା । ଏବେ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ହ୍ୟାକ୍ କରିନେଉଚି । ଯେତେବେଳେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରେ ଥିଲେ ତାଙ୍କୁ ବିଜେପି ଅପମାନ ଦେଉଥିଲା । ଏବେ ପ୍ରଶଂସାରେ ପୋତି ପକାଉଛି ।
ସେ ଆହୁରି କହିଛନ୍ତି ଯେ, ତାଙ୍କୁ ଅନେକ ଦେଶଦ୍ରୋହୀ କହୁଛନ୍ତି । ଏପରି କହିଲେ ସେ ବିଜେପିରେ ସାମିଲ ହେବେ ଓ ତାଙ୍କ ଉପରେ ଲାଗିଥିବା ସବୁ ଅଭିଯୋଗକୁ ଉଠାଇ ନିଆଯିବ । ଜନତା ଏବେ ବୁଝି ସାରିଛନ୍ତି । ଜନତା ବିକାଶକୁ ନେଇ ଭୋଟ୍ ଦେବେ ବୋଲି କହ୍ନେୟା କହିଛନ୍ତି ।
ସୂଚନାଯୋଗ୍ୟ, ବିହାରରେ ସିପିଆଇ ଆରଜେଡିର ନେତୃତ୍ୱରେ ମହାଗଠବନ୍ଧନରେ ସାମିଲ ହୋଇଛି ।