ନୂଆଦିଲ୍ଲୀ ୨୫।୯: ମଣ୍ଡି ବିଜେପି ସାଂସଦ କଙ୍ଗନା ରଣାଓତ ନିରସ୍ତ ହୋଇଥିବା ୩ କୃଷି ଆଇନକୁ ପୁଣି ଲାଗୁ କରିବା ଲାଗି ଟିପ୍ପଣୀ କରିଥିଲେ। ଏହା ପରେ ତାଙ୍କୁ ତାଙ୍କ ପାର୍ଟିରୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଛି। କଙ୍ଗନାଙ୍କ ବୟାନରୁ ବିଜେପି ନିଜକୁ ଅଲଗା କରିନେଇଛି। ଏହା ପରେ କଙ୍ଗାନା ବୁଧବାର ଆଗକୁ ଆସି ସ୍ପଷ୍ଟିକରଣ ଦେଇଛନ୍ତି। ସେ କହିଛନ୍ତି ଏହା ତାଙ୍କର ବ୍ୟକ୍ତିଗତ ବିଚାର। ସେ ପାର୍ଟି ନିଷ୍ପତ୍ତିର ପ୍ରତିନିଧିତ୍ୱ କରନ୍ତିନି। ସେ ଭିଡିଓ ଜାରି କରି ତାଙ୍କ ଶବ୍ଦ ପ୍ରତ୍ୟାହାର କରୁଥିବା କହିଛନ୍ତି। ତେବେ ଚାଷୀଙ୍କ ପ୍ରସଙ୍ଗରେ ସେ ପାର୍ଟି ସହିତ ଛିଡା ହୋଇଥିବା କହିଛନ୍ତି।
ବିଜେପି ନେତା ଗୌରବ ଭାଟ୍ଟିଆ କଙ୍ଗନାଙ୍କ ସୋସିଆଲ ମିଡିଆ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ କହିଥିଲେ ଯେ ‘କଙ୍ଗନାଙ୍କ ପକ୍ଷରୁ କୃଷି ଆଇନକୁ ନେଇ ଦିଆଯାଇଥିବା ବୟାନ ତାଙ୍କର ବ୍ୟକ୍ତିଗତ ବିଚାର। ସେ ଏପରି ବୟାନ ଦେବା ପାଇଁ ବିଜେପି ପକ୍ଷରୁ ଅଧିକୃତ ନୁହନ୍ତି’। ଏହା ଉପରେ ବି କଙ୍ଗନା ସଫେଇ ଦେଇଛନ୍ତି। କଙ୍ଗନା ରଣାଓତ କହିଥିଲେ ‘ମୋତେ ଜଣା ଏହା ବିବାଦସ୍ପଦ ହେବ..କିନ୍ତୁ ମୋତେ ଲାଗୁଛି ନିରସ୍ତ ହୋଇଥିବା କୃଷି ଆଇନ ଫେରସ୍ତ ଅଣାଯିବା ଦରକାର। ଏଥି ପାଇଁ ନିଜେ ଚାଷୀମାନେ ଦାବି କରିବା ଉଚିତ, ସେମାନେ ଦେଶର ବିକାଶ ସ୍ତମ୍ବ। ଏଣୁ ମୋର ସେମାନଙ୍କୁ ଅପିଲ ଏହା ଯେ ନିଜର ଭଲ ନିମନ୍ତେ ଆଇନର ଫେରସ୍ତ ଦାବି କରନ୍ତୁ.. ଏହା ମୋର ବ୍ୟକ୍ତିଗତ ବିଚାର’।
Do listen to this, I stand with my party regarding Farmers Law. Jai Hind 🇮🇳 pic.twitter.com/wMcc88nlK2
— Kangana Ranaut (@KanganaTeam) September 25, 2024
ଗୌରବ ଭାଟିଆଙ୍କ ଏକ୍ସ ପୋଷ୍ଟକୁ କୋଟ କରି କଙ୍ଗନା ଲେଖିଛନ୍ତି ଯେ ‘ବାସ୍ତବିକ କୃଷି ଆଇନ ଉପରେ ମୋର ବିଚାର ବ୍ୟକ୍ତିଗତ। ସେ ଏହି ବିଧେୟକ ଉପରେ ପାର୍ଟି ନିଷ୍ପତ୍ତିର ପ୍ରତିନିଧିତ୍ୱ କରନ୍ତିନି’। କଙ୍ଗନାଙ୍କୁ ଚାଷୀଙ୍କ ବିରୋଧ ଯୋଗୁ ପୂର୍ବରୁ କରିଥିବା ଟିପ୍ପଣୀ ପାଇଁ ଗତମାସରେ ବିଜେପି ତାଗିଦ କରିଥିଲା। ସାଂସଦ କହିଥିଲେ ଯଦି କେନ୍ଦ୍ର ଦ୍ୱାରା କଡା ପଦକ୍ଷେପ ନିଆଯାଇ ନଥାନ୍ତା ତେବେ ଚାଷୀଙ୍କ ବିରୋଧ କାଳରେ ଭାରତରେ ବି ବାଂଲାଦେଶ ପରିସ୍ଥିତି ଉପୁଜି ଥାନ୍ତା।
ତେବେ ପାର୍ଟି ଲାଇନରୁ ଅଲଗା ଯାଇ ବୟାନ ବାଜୀ କରିବା ପାଇଁ କଙ୍ଗନା ଏବେ ବିରୋଧୀଙ୍କ ଟାର୍ଗେଟକୁ ଆସି ଯାଇଛନ୍ତି। କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ କହିଥିଲେ ୭୫୦ ଚାଷୀ ଶହିଦ ହେବା ପରେ କେନ୍ଦ୍ରର ମୋଦି ସରକାରର ନିଦ ଭାଙ୍ଗିଥିଲା ଓ ଏହି କଳାଆଇନ ଗୁଡିକୁ ପ୍ରତ୍ୟାହାର କରାଯାଇଥିଲା। ଏବେ ବିଜେପି ସାଂସଦ ସେହି ଆଇନଗୁଡିକୁ ପୁଣି ଆଣିବାକୁ ଯୋଜନା କରୁଛନ୍ତି। ତେବେ କଂଗ୍ରେସ ଚାଷୀଙ୍କ ସହିତ ଅଛି ବୋଲି ଶ୍ରୀନେତ କହିଛନ୍ତି।