ବିଗ୍ ବିଙ୍କ ନୀରବତାକୁ ନେଇ ପ୍ରଶ୍ନ କଲେ କଙ୍ଗନା

Published By : Prameya-News7 Bureau | August 20, 2020 IST

ମୁମ୍ବାଇ ୨୦/୦୮ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ବିଗ ବି ଅମିତାଭ ବଚ୍ଚନଙ୍କ ନୀରବତାକୁ ନେଇ କଙ୍ଗନା ରଣାୱତ ପ୍ରଶ୍ନ କରିଛନ୍ତି | ରାମ ମନ୍ଦିର ଭୂମିପୂଜନ ପାଇଁ ମଧ୍ୟ ସେ ଶୁଭେଚ୍ଛା ଦେଇନଥିବାରୁ ମଧ୍ୟ କଙ୍ଗନା ପ୍ରଶ୍ନ କରିଛନ୍ତି | ବୁଧବାର ରାତିରେ କଙ୍ଗନା ରିପବ୍ଲିକ ଚାନେଲ ସହ ସୁଶାନ୍ତ ସିଂହ ମାମଲାରେ ସୁପ୍ରିମକୋର୍ଟଙ୍କ ଫଇସଲା ଉପରେ କଥାବାର୍ତ୍ତା କରୁଥିଲେ | ସେତେବେଳେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଆରମ୍ଭ ହୋଇଥିବା ଅଭିଯାନରେ ଅମିତାଭ କାହିଁକି ଅଂଶଗ୍ରହଣ କରିନଥିଲେ |

କଙ୍ଗନା କହିଥିଲେ, ଅମିତାଭ ଫିଲ୍ମ ଇଣ୍ଡଷ୍ଟ୍ରିର ମହାନାୟକ | ସେ ରାମ ମନ୍ଦିର ଭୂମିପୂଜନରେ ମଧ୍ୟ ଶୁଭେଚ୍ଛା ଦେଇ ନାହାନ୍ତି |

ସେ ମାଫିଆକୁ ଭୟ କରୁଛନ୍ତି | ତେବେ ତାଙ୍କୁ କିଛି କହିବାର ଅଧିକାର ତାଙ୍କର ନାହିଁ ବୋଲି ମଧ୍ୟ କଙ୍ଗନା କହିଥିଲେ |

ଆଗକୁ କଙ୍ଗନା କହିଥିଲେ, 'ସେ ସୁଶାନ୍ତଙ୍କ ପାଇଁ ନ୍ୟାୟ ମାଗିପାରିବେ ନି ? ଆପଣ ଭାବନ୍ତୁ କାହିଁକି | ଯଦି ବିଗ ବି ଏତେ ଡରୁଛନ୍ତି ତାହେଲେ ଅନ୍ୟମାନେ କଣ କରିବେ ? ତାଙ୍କ ମୃତ୍ୟୁରେ କଣ ଅମିତାଭଙ୍କ ହୃଦୟ କାନ୍ଦିନଥିବ ? ନିଶ୍ଚୟ କାନ୍ଦିଥିବ, ତଥାପି ସେ କିଛି କହିନଥିଲେ | '

ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଅଯୋଧ୍ୟା ରାମ ମନ୍ଦିର ଭୂମିପୂଜନ କରିଥିଲେ | ସେତେବେଳେ ଅକ୍ଷୟ କୁମାର, ବରୁଣ ଧୱନ, କଙ୍ଗନାଙ୍କ ସମେତ ଅନେକ ସେଲିବ୍ରିଟି ଟ୍ୱିଟ କରି ଶୁଭେଚ୍ଛା ଦେଇଥିଲେ | କିନ୍ତୁ ବିଗ ବି ଟ୍ୱିଟ କରିନଥିଲେ | ଏହାପରେ ତାଙ୍କୁ ଟ୍ରୋଲ୍ କରାଯାଇଥିଲା | ଅନେକ ଲୋକ ତାଙ୍କୁ ଅନଫଲୋ ମଧ୍ୟ କରିଥିଲେ |

ଜୁନ ୧୪ ତାରିଖରେ ସୁଶାନ୍ତ ସିଂହଙ୍କ ମୃତ୍ୟୁ ପରେ ଅମିତାଭ ନିଜ ବ୍ଲଗରେ ସୁଶାନ୍ତଙ୍କ ନିଧନକୁ ନେଇ ଶୋକ ପ୍ରକାଶ କରିଥିଲେ | କିନ୍ତୁ ବର୍ତ୍ତମାନ ଯେତେବେଳେ ସୁଶାନ୍ତ ସିଂହଙ୍କ ପରିବାର ଓ ଦୁନିଆରେ ଥିବା କୋଟି କୋଟି ପ୍ରଶଂସକ ତାଙ୍କ ପାଇଁ ସିବିଆଇ ତଦନ୍ତ ଦାବି କରିଥିଲେ, ସେତେବେଳେ ଅମିତାଭ ବଚ୍ଚନ ଥରେ ହେଲେ ଏହାକୁ ସମର୍ଥନ କରି ଟ୍ୱିଟ କରିନାହାନ୍ତି | ଏହାକୁ ନେଇ ସୋସିଆଲ ମିଡ଼ିଆ ୟୁଜର୍ସ ମଧ୍ୟ ତାଙ୍କୁ ଟାର୍ଗେଟ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.