ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ବିଜେପି ମଣ୍ଡି ଲୋକସଭା ଆସନରେ ପ୍ରାର୍ଥୀ କଙ୍ଗନା ରାଣାୱତଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ନେତା। ହିମାଚଳ ପ୍ରଦେଶ ପିଡବ୍ଲୁଡି ମନ୍ତ୍ରୀ ତଥା ମଣ୍ଡି ଲୋକସଭା ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂହ କଙ୍ଗନାଙ୍କୁ ବେଙ୍ଗ ସହ ତୁଳନା କରିଛନ୍ତି।
ଶ୍ରୀ ସିଂହ କହିଛନ୍ତି ଯେ କଙ୍ଗନା ଜଣେ ବେଙ୍ଗ। କିଛି ଦିନର ପ୍ରଚାର ପରେ ସେ ଗାୟବ ହୋଇଯିବେ। ଯେତେବେଳେ ପାଣିପାଗ ଭଲ ଥାଏ ସେତେବେଳେ କଙ୍ଗନା କେବଳ ଜଣେ ପର୍ଯ୍ୟଟକ ଭାବରେ ହିମାଚଳ ପ୍ରଦେଶକୁ ଆସନ୍ତି ବୋଲି ବିକ୍ରମାଦିତ୍ୟ କହିଛନ୍ତି।
ଏନେଇ ସେ କହିଛନ୍ତି “କଙ୍ଗନା ରାଣାୱତ ଆଜି ଏଠି ଅଛନ୍ତି କାଲି ଫେରିଯିବେ। ସେ ଏକ ବେଙ୍ଗ ଭଳି। ଯିଏ କେବଳ ବର୍ଷାଦିନରେ ହିଁ ବାହାରକୁ ଆସେ।” ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବିରଭଦ୍ର ସିଂହ ଓ ବର୍ତ୍ତମାନର କଂଗ୍ରେସ ମୁଖ୍ୟ ପ୍ରତିଭା ସିଂହଙ୍କ ପୁଅ ବିକ୍ରମାଦିତ୍ୟ ସିଂହ କଙ୍ଗନାଙ୍କ ପୋଷାକ ପରିଧାନକୁ ନେଇ ମଧ୍ୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି କଙ୍ଗନା ଯେମିତି ପୋଷାକ ପିନ୍ଧୁଛନ୍ତି ଲାଗୁଛି ସେ ଶୁଟିଂ କରିବାକୁ ଆସିଛନ୍ତି।
ପଢ଼ନ୍ତୁ-ପଶ୍ଚିମବଙ୍ଗରେ ରାମନବମୀ ଶୋଭାଯାତ୍ରା ବେଳେ ହିଂସା; ମୁର୍ଶିଦାବାଦରେ ୧୪୪ ଧାରା ଜାରି
ଶ୍ରୀ ସିଂହ କହିଛନ୍ତି “ ଗୋଟିଏ ନିର୍ଦ୍ଦିଷ୍ଟ ଶୈଳୀରେ ପୋଷାକ ପିନ୍ଧି ସେ ଲୋକଙ୍କ ମନ କିଣିପାରିବେ ନାହିଁ। ନା ହିଁ ସେ ଲୋକଙ୍କ ଯନ୍ତ୍ରଣା ବୁଝିପାରିବେ। ସେ କେବଳ ରାଜ୍ୟର ସୁନ୍ଦର ପରିବେଶକୁ ଉପଭୋଗ କରିବାକୁ ଆସିଛନ୍ତି। ଏବଂ ୨-୩ ମାସ ପରେ ସେ ଫେରିଯିବେ।” ସୂଚନା ଥାଉକି ଏପ୍ରିଲ ୧୫ ହିମାଚଳ ପ୍ରଦେଶ ଧର୍ମଶାଳା ଯାଇ କଙ୍ଗନା ତିବ୍ବତର ଧର୍ମଗୁରୁ ଦଲାଇଲାମାଙ୍କୁ ଭେଟିଥିଲେ। ଲାମାଙ୍କୁ ଭେଟିବା ପରେ ସେ ତାଙ୍କର ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ। ଚାମ୍ବା ଜିଲ୍ଲା ବ୍ରାହ୍ମୋର ଏରିଆକୁ ଯାଇ ପ୍ରଚାର କରିଥିଲେ।