ଲଗାଣ ବର୍ଷା ଯୋଗୁଁ ସ୍ଥିତି ବେହାଲ୍: ରାସ୍ତାରେ ଉପୁଡିପଡିଲା ଗଛ, ବହୁ ଅଂଚଳକୁ ଯୋଗାଯୋଗ ବିଛିନ୍ନ
19/08/2022 at 11:41 AM

କନ୍ଧମାଳ ୧୯/୦୮: ପୁଣି ଲଘୁଚାପ ଜନିତ ବର୍ଷା ହେବା ଯୋଗୁ କନ୍ଧମାଳ ଜିଲା ଏବେ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବିଭିନ୍ନ ସ୍ଥାନରେ ଘରେ ପାଣି ପଶିଥିବା ବେଳେ ବଡ଼ ବଡ଼ ଗଛ ପଡ଼ି ରାସ୍ତା ଅବରୋଧ ହେବାର ଦେଖିବାକୁ ମିଳିଛି । ଗତରାତିଠୁ ଲଗାଣ ବର୍ଷା ହେବା ଯୋଗୁ ଫୁଲବାଣୀର ଢିପାସାହିର ରାସ୍ତା ଉପରେ ତିନି ଫୁଟ୍ର ପାଣି ଚାଲୁଥିବା ବେଳେ ଘରେ ଲୋକଙ୍କର ପାଣି ପଶିଥିବାର ଦେଖିବାକୁ ମିଳିଛି ।
ନିଜ ନିଜ କାର୍ଯ୍ୟ କରିବାପାଇଁ ବାହାରକୁ ବାହାରିବା କଷ୍ଟ ଦାୟକ ହୋଇପଡିଛି । ଛାତ୍ର ଛାତ୍ରୀ ମାନେ ସ୍କୁଲକୁ ଯାଇ ପାରୁନାହାନ୍ତି । ନାଳରେ ପାଣି ଆସିବା ଯୋଗୁ ଫୁଲବାଣୀ ଠାରୁ କୁମ୍ଭାରପଡାକୁ ଯାତାୟତ ଏକ ପ୍ରକାର୍ ବିଛିନ୍ନ ହୋଇଛି । ସେହିଭଳି ସଲୁଙ୍କି ନଦୀରେ ଜଳସ୍ତର ବଢିବା ଯୋଗୁ ନଦୀଖଣ୍ଡି ଏବଂ ଡାକପାଲା ଡ୍ୟାମ୍ ଉପରେ ତିନି ଫୁଟର ପାଣି ଯିବା ଯୋଗୁ ଡାକପାଲା, ଦାମିଗାଁ ଯାତାୟତ ବିଛିନ୍ନ ହୋଇଛି ।
ଲଗାଣ ବର୍ଷା ଯୋଗୁଁ ମାଦିକୁନ୍ଦା ଛକରେ ଗୋଟିଏ ବଡ଼ ଗଛ ପଡ଼ିବା ଦ୍ଵାରା ପାଞ୍ଚଟି ଦୋକାନ ଘର ସହ ରାସ୍ତା ଅବରୋଧ ହୋଇଛି । ଦୋକାନ ଘର ଉପରେ ଗଛ ପଡ଼ିବା ଦ୍ଵାରା ଦୋକାନର ଜିନିଷ ଗୁଡିକ ନଷ୍ଟ ହୋଇଛି । ସେହିଭଳି ଚକାପାଦ ବ୍ଲକର ପୋଡ଼ାମାହା ଘାଟିରେ ପାହାଡରୁ ମାଟି ଅତଡା ଖାସି ରାସ୍ତା ଉପରେ ବଡ଼ ବଡ଼ ପଥର ଏବଂ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି । ଚକାପାଦ, ବେହେରାଗାଁ, ପୋଡ଼ାମାହା, ଟିକାବାଲିକୁ ଯାତାୟତ ଠପ୍ ରହିଛି ।