ପୁଣି ଫେରିଲା ଚକଡ଼ା : କନ୍ଧମାଳ ଜିଲ୍ଲାରେ ଆତଂକିତ ଚାଷୀ କରୁଛନ୍ତି ପୂଜାର୍ଚ୍ଚନା
Published By : Prameya-News7 Bureau | September 25, 2018 IST
ଫୁଲବାଣୀ୨୫|୯: ପୁଣି ଫେରିଲା ଚକଡ଼ା । ବର୍ଷା ଛାଡ଼ିଯିବା ପରେ କନ୍ଧମାଳ ଜିଲ୍ଲାରେ ଏବେ ଚକଡ଼ାପୋକ ଆତଙ୍କ । ଏକର ଏକର ଧାନ ଜମିରେ ଚକଡ଼ାପୋକ ମାଡ଼ିଗଲାଣି । ନଷ୍ଟ ହେବାକୁ ବସିଲାଣି ଫସଲ । ଚାଷୀମାନେ ଏବେ ଭୟଭୀତ ଅବସ୍ଥାରେ । ଅଭିଯୋଗ ପରେ ବି ଶୁଣୁନାହାନ୍ତି କୃଷି ଅଧିକାରୀ । ଫଳରେ ଚକଡ଼ାପୋକ ଦାଉରୁ ଫସଲ ରକ୍ଷା ପାଇଁ ଲୋକେ ଆରମ୍ଭ କରିଦେଇଛନ୍ତି ପୂଜାର୍ଚ୍ଚନା ।
ବିଲହୁଡ଼ାରେ ଚାଲିଛି ମନ୍ତ୍ରପାଠ । ହୁଳୁହୁଳିରେ କମ୍ପୁଛି ସାରା ଅଂଚଳ । ଧାନକ୍ଷେତରେ ଏମିତି ପୂଜାର୍ଚ୍ଚନାର ଚିତ୍ର ହେଉଛି କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ମାହାସିଙ୍ଗ ପଞ୍ଚାୟତର । ଏଠି ଚାଷୀମାନେ ନିଜ ନିଜ ଜମିରେ ପୂଜାର୍ଚ୍ଚନା କରୁଛନ୍ତି। ପ୍ରଥମେ ଶଳପ ଗଛର ଡାଳ ଆଣି ଜମି ନିକଟରେ ରଖୁଛନ୍ତି । ଏହାପରେ ଦେହୁରୀ ଗ୍ରାମ ଦେବତାଙ୍କୁ ଆବାହନ କରି ଚାଉଳ ଉପରେ ଅଣ୍ଡା, ଫୁଲ, ଦୁବ ଆଦି ରଖି ଧୂପ, ଦୀପ ଲଗାଇ ପୂଜା କରୁଛନ୍ତି । ପୂଜାର୍ଚ୍ଚନା ପରେ ଶଳପ ଗଛର ଡାଳଗୁଡିକୁ ଜମିରେ ଧାନ ଗଛ ଉପରେ ଝାଡି ଦିଆଯାଉଛି । ପୂଜକ ମନ୍ତ୍ର ପଢ଼ି ମନ୍ତୁରା ପାଣିକୁ ଜମିରେ ଛିଞ୍ଚୁଛନ୍ତି । ଜମିରେ ଏମିତି ପୂଜା କରିବାର କାରଣ ହେଉଛି ଧାନ କ୍ଷେତରେ ମାଡ଼ି ଯାଇଛି ଚକଡ଼ା ପୋକ । ଆଉ ଚକଡ଼ା ପୋକ ଦାଉରୁ ନିଜ ଫସଲକୁ ରକ୍ଷା କରିବା ଲାଗି ଚାଷୀ ମାତିଛନ୍ତି ଏମିତି ପୂଜାପାଠରେ ।
କେବଳ କ.ନୂଆଗାଁ ବ୍ଲକ ନୁହେଁ ଜିଲ୍ଲାର କୋଟଗଡ ବ୍ଲକରେ ମଧ୍ୟ ଚକଡା ପୋକ ଯୋଗୁଁ ଧାନ ଫସଲ ନଷ୍ଟ ହୋଇଛି । ଅଭିଯୋଗ ପରେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କୃଷି ଅଧିକାରୀ ଦେଖିବାକୁ ଆସିନାହାନ୍ତି । ଫଳରେ ଋଣ କରି ଚାଷ କରିଥିବା ଚାଷୀ ମୁଣ୍ଡରେ ପଡ଼ିଛି ଚକଡ଼ା ଚଡ଼କ । ଯେଉଁଥରୁ ମୁକ୍ତି ପାଇଁ ଏବେ ପୂଜାପାଠର ସାହାରା ନେଇଛନ୍ତି ଚାଷୀ ।
ଚାଷୀଙ୍କ ଅଭିଯୋଗ ଏପର୍ଯ୍ୟନ୍ତ କୌଣସି କୃଷି ଅଧିକାରୀ ସେମାନଙ୍କ ପାଖକୁ ଆସିନାହାନ୍ତି । ହେଲେ ଏ ସମ୍ପର୍କରେ ଜିଲ୍ଲା କୃଷି ଉପନିର୍ଦେଶକଙ୍କୁ ପଚାରିଲେ ଉତ୍ତର ମିଳୁଛି ସବୁ ଠିକ୍ ଠାକ୍ ଚାଲିଛି ।
ଯଦି ଜିଲ୍ଲା କୃଷି ବିଭାଗ ଚକଡ଼ାପୋକ ଦାଉରୁ ଫସଲ ରକ୍ଷା କରବାକୁ ଚାଷୀଙ୍କୁ ଔଷଧ ଯୋଗାଇ ଦେଇଛି, ତାହେଲେ ଚାଷୀମାନେ ନିଜ ନିଜ ଜମିରେଏମିତି ପୂଜାପାଠ କରୁଛନ୍ତି କାହିଁକି ? ଜିଲ୍ଲା କୃଷି ଅଧିକାରୀମାନେ କେବଳ କାଗଜ କଲମରେ ଚକଡ଼ା ପୋକର ପ୍ରତିକାର ନକରି ସମୟ ଥାଉ ଥାଉ ଗ୍ରାଉଣ୍ଡକୁ ଓହ୍ଲାଇବା ଦରକାର । ନହେଲେ ଚକଡ଼ା ପୋକ ଯୋଗୁଁ କନ୍ଧମାଳ ଜିଲ୍ଲାରେ ବ୍ୟାପକ ଧାନ ଫସଲ ନଷ୍ଟ ହେବାକୁ ବେଶୀ ସମୟ ଲାଗିବନି ।