ମୁମ୍ଵାଇ ୧୦।୦୯: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ନିର୍ବାଚନ ପ୍ରଚାର ସେତେ ଜୋର ଧରୁଛି । ଉପରାଷ୍ଟ୍ରପତି କମଲା ହାରିସଙ୍କ ଦଳ ବେଶ ସୃଜନାତ୍ମକ ଉପାୟରେ ନିର୍ବାଚନ ପ୍ରଚାର କରୁଛି । ପ୍ରତିଦିନ ନୂଆ ନୂଆ ଭିଡିଓ ସାମ୍ନାକୁ ଆସୁଛି, ଯାହା ଦର୍ଶାଉଛି ଯେ ତାଙ୍କ ନିର୍ବାଚନ ପ୍ରଚାର ଆମେରିକାର ପ୍ରତ୍ୟେକ ବର୍ଗଙ୍କୁ ଆକର୍ଷିକ କରିବାକୁ ଚେଷ୍ଟା କରୁଛି । ଏହି କ୍ରମରେ ଭାରତୀୟ-ଆମେରିକୀୟ ନେତା ଅଜୟ ଭୁଟୋରିଆ ହାରିସଙ୍କ ସମର୍ଥନରେ ଏକ ସ୍ୱତନ୍ତ୍ର ନିର୍ବାଚନୀ ଗୀତ ଲଞ୍ଚ୍ କରିଛନ୍ତି । ନାଁ ‘ନାଚୋ ନାଚୋ’ ।
Excited to share the release of our new music video, 'Nacho Nacho,' supporting @VP Kamala Harris for President! Let’s mobilize and turn out the South Asian vote in key battleground states @DNC @CNN @ABC @maddow @aajtak @ndtvindia @IndiaToday @republic pic.twitter.com/x92vns4gH8
— Ajay Jain Bhutoria (@ajainb) September 8, 2024
ଏହା ଭାରତର ବ୍ଲକ୍ବଷ୍ଟର ଫିଲ୍ମ ‘ଆର୍ଆର୍ଆର୍’ର ଅସ୍କାର ବିଜେତା ଗୀତର ନୂଆ ରୂପ । ଏଥିରେ କମଲା ହାରିସଙ୍କ ସମର୍ଥନର ବାର୍ତ୍ତା ରହିଛି । ସୋସିଆଲ ମିଡିଆରେ ଏହାର ଏକ ଦୃଶ୍ୟ ଭାଇରାଲ ହେଉଛି, ଯେଉଁଥିରେ ଆମେରିକାରେ ରହୁଥିବା ଏନ୍ଆର୍ଆଇଙ୍କୁ ଆକର୍ଷିତ କରିବା ପାଇଁ ଭାରତୀୟ ଫିଲ୍ମ ଗୀତଗୁଡ଼ିକୁ ନିର୍ବାଚନ ପ୍ରଚାରରେ ପ୍ରୟୋଗ କରାଯାଉଛି । ୧.୫ ମିନିଟ୍ର ଭିଡିଓରେ ହାରିସଙ୍କ ନିର୍ବାଚନ ପ୍ରଚାରର ଝଲକ୍ ରହିଛି । ଏଥିରେ ‘ହମାରୀ ୟେ କମଲା ହାରିସ’ ବୋଲି ମଧ୍ୟ ରହିଛି । ଏହି ଭିଡିଓ ଜରିଆରେ ଭାରତୀୟ ସମୁଦାୟକୁ ଯୋଡ଼ିବାକୁ ଚେଷ୍ଟା କରାଯାଇଛି । ଭୁଟୋରିଆ ହାରିସ ଫର୍ ପ୍ରେସିଡେଣ୍ଟ୍ର ଜାତୀୟ ଫାଇନାନ୍ସ କମିଟିର ସଦସ୍ୟ ଅଛନ୍ତି । ଏହି ଗୀତ ଜରିଆରେ ୫୦ ଲକ୍ଷ ଦକ୍ଷିଣ ଏସୀୟ ଭୋଟରଙ୍କୁ ଆକର୍ଷିତ କରିବା ତାଙ୍କର ଲକ୍ଷ୍ୟ । ଖାସ୍କରି ମିଶିଗାନ, ପେନ୍ସିଲଭାନିଆ, ୱିସ୍କନ୍ସିସ୍, ଜର୍ଜିଆ, ନେବାଦା ଓ ଏରିଜୋନା ଭଳି ପ୍ରମୁଖ ରାଜ୍ୟରେ ଏହି ଗୀତର ଜୋରଦାର ପ୍ରଚାର ହେଉଛି ।
ଭାରତ ଓ ବଲିଉଡ୍ ସହ ହାରିସଙ୍କ ସମ୍ପର୍କକୁ ଦର୍ଶାଇ ଭୋଟରଙ୍କୁ ଭାବନାତ୍ମକ ରୂପରେ ଯୋଡ଼ିବାକୁ ଏହି ନିର୍ବାଚନ ଗୀତ ଚେଷ୍ଟା କରିଛି । ଦକ୍ଷିଣ ଭାରତୀୟ ସମୁଦାୟର ସମର୍ଥନ ହାସଲ କରିବା ପାଇଁ ସଙ୍ଗୀତକୁ ହାରିସଙ୍କ ନିର୍ବାଚନ ପ୍ରଚାରରେ ରଣନୀତିର ଅଂଶ ବୋଲି ମନେକରାଯାଉଛି । ନାଚୋ ନାଚୋ ଗୀତ ଆମେରିକା ନିର୍ବାଚନରେ କେତେ ପ୍ରଭାବ ପକାଇବ, ତାହା ଦେଖିବା ବାକି ରହିଲା । ଆମେରିକାରେ ଆସନ୍ତା ନଭେମ୍ବର ୫ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ୧୫ କୋଟି ପଞ୍ଜୀକୃତ ଭୋଟର ଆମେରିକାର ୬୦ତମ ରାଷ୍ଟ୍ରପତିଙ୍କୁ ଚୟନ କରିବେ ।