ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡ଼ ଯାତ୍ରାରେ ସାମିଲ୍ ହେଲେ ସାଉଥ ଷ୍ଟାର୍ କମଲ ହସନ; କହିଲେ- ଜଣେ ଭାରତୀୟ ଭାବେ ଯୋଗ ଦେଇଛି

Published By : Prameya-News7 Bureau | December 24, 2022 IST

ନୂଆଦିଲ୍ଲୀ: ଶନିବାର କଂଗ୍ରେସର ଭାରତ ଯୋଡ ପଦଯାତ୍ରା ଦିଲ୍ଲୀରେ ପହଞ୍ଚିଛି। ଏଥିରେ ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଯୋଗ ଦେଇଛନ୍ତି। ତେବେ ସାଉଥ୍ ସୁପରଷ୍ଟାର୍ କମଲ ହସନ ମଧ୍ୟ ଏହି ପଦଯାତ୍ରାରେ ସାମିଲ୍ ହୋଇଛନ୍ତି।

କଂଗ୍ରେସର ଏହି ଯାତ୍ରା ୩୦୦୦ କିମି ଅତିକ୍ରମ କରିସାରିଲାଣି। ଆଉ ୫୭୦ କିମି ଗସ୍ତ କରି ଜାମ୍ମୁ-କାଶ୍ମୀରରେ ଯାତ୍ରା ଶେଷ କରିବେ। ଜାନୁଆରୀ ଶେଷ ବେଳକୁ କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଶେଷ ହେବ।

ଦିଲ୍ଲୀରେ ଭାରତ ଯୋଡ଼ ଯାତ୍ରାରେ ସାଉଥ ଷ୍ଟାର କମଲ ହସନ ଯୋଗ ଦେବା ପରେ ଚର୍ଚ୍ଚା ଜୋର ଧରିଛି। କମଲଙ୍କ କଂଗ୍ରେସ ପ୍ରୀତିକୁ ନେଇ ପ୍ରଶ୍ନ ହେବା ପରେ ଅଭିନେତା ତାଙ୍କ ଉତ୍ତର ରଖିଛନ୍ତି। ସେ କହିଛନ୍ତି  “ ମୁଁ ଏଠି କାହିଁକି ଯୋଗ ଦେଇଛି ବୋଲି ମୋତେ ଅନେକ ଲୋକେ ପଚାରୁଛନ୍ତି। ମୁଁ ଜଣେ ଭାରତୀୟ ହିସାବରେ ଏଠି ଯୋଗ ଦେଇଛି ବୋଲି କହିବାକୁ ଚାହେଁ। ମୋ ବାପା ଜଣେ କଂଗ୍ରେସ କର୍ମୀ ଥିଲେ। ହେଲେ ମୁଁ ଅନେକ ଦଳ ଦ୍ୱାରା ପ୍ରଭାବିତ ହୋଇ ନିଜେ ଦଳ ଗଠନ କରିଛି। ହେଲେ କଥା ଯେତେବେଳେ ଦେଶ ଉପରେ ଆସେ ସେତେବେଳେ ସବୁ ରାଜନୈତିକ ଦଳ ଫିକା ପଡ଼ିଯାଏ। ମୁଁ ସେଇ ଭାବନା ନେଇ ରାଜନୈତିକ ଦଳ କଥା ଭୁଲି ଏଠି ଯୋଗ ଦେଇଛି।” ଭାରତ ଯୋଡ଼ ଯାତ୍ରା ଆଜି ଲାଲ୍‌କିଲାରେ ପହଞ୍ଚିବା ପରେ ଏଭଳି କହିଛନ୍ତି କମଲ ହସନ।

କମଲ ଆହୁରି କହିଛନ୍ତି “ ମୁଁ ମିରର ସାମ୍ନାରେ ଛିଡ଼ା ହୋଇ ନିଜକୁ ପଚାରିଲି। ମୁଁ ଦେଶ ପାଇଁ କାମରେ ଆସିବାର ବର୍ତ୍ତମାନ ସମୟ ଆସିଯାଇଛି। ଏହାପରେ ମୋ ଭିତରୁ କେହି ଜଣେ କହିଲା ଭାରତକୁ ଭାଙ୍ଗିବାରେ ସହଯୋଗ କର ନାହଁ ଯୋଡ଼ିବାରେ ସହଯୋଗ କର।”

କମଲଙ୍କର ଏହି ବୟାନକୁ ନେଇ ବିରୋଧୀ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଆଜି ସକାଳେ ଗାନ୍ଧୀ ପରିବାର ସମସ୍ତେ ମିଶି ପଦଯାତ୍ରା କରିଥିଲେ। ଆଶ୍ରମ ଚୌକ ଦିଲ୍ଲୀରେ ଏହି ଯାତ୍ରା ଅଟକିଥିଲା। ଏହା ପୂର୍ବରୁ ପଦଯାତ୍ରା ଆରମ୍ଭ ସମୟର କନ୍ୟାକୁମାରୀରେ ମଧ୍ୟ ସୋନିଆ ଯୋଗ ଦେଇଥିଲେ। ଆଜି ଦ୍ୱିତୀୟ ଥର ପାଇଁ ସେ ଦିଲ୍ଲୀ ପଦଯାତ୍ରାରେ ଯୋଗ ଦେଇଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.