ଚେନ୍ନାଇ: ତାମିଲ ସୁପରଷ୍ଟାର କମଲ ହାସନ କରୋନା ପଜିଟିଭ୍ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ନିକଟରେ ସେ ଆମେରିକା ଯାଇ ଫେରିଥିଲେ। ଆମେରିକାର ସେ ନିଜର କପଡ଼ା ବ୍ରାଣ୍ଡ କମଲ୍ସ ହାଉସ୍ ଅଫ୍ ଖଦଡ଼ ଲଞ୍ଚ କରିବା ପରେ ସେ ଭାରତ ଫେରିଥିଲେ। ଏବେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ କମଲ ତାମିଲ୍ରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ସେ ଟ୍ୱିଟ୍ରେ ଲେଖିଛନ୍ତି ” ମୁଁ ଆମେରିକା ଫେରିବା ପରେ ମୋ ସାମାନ୍ୟ କାସ ହେଉଥିଲା। ଯେତେବେଳେ ମୁଁ କରୋନା ଟେଷ୍ଟ କରାଇଲି ସେତେବେଳେ ମୋ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଲା। ମୁଁ ଚେନ୍ନାଇରେ ଏକ ହସ୍ପିଟାଲ୍ରେ କ୍ୱାରେଣ୍ଟିନ୍ରେ ରହିଛି। ଲୋକମାନେ ଏହା ଅନୁଭବ କରିବା ଦରକାର ଯେ କୋଭିଡ୍ ଏପର୍ଯ୍ୟନ୍ତ ଯାଇନି। ତେଣୁ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବା ନିହାତି ଦରକାର।”
ଏପଟେ ଭାରତରେ କୋଭିଡ୍ ସଂକ୍ରମଣ ନିୟମିତ ଭାବରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୮,୪୮୮ ଜଣ ନୂଆ କୋଭିଡ ରୋଗୀ ଚିହ୍ନଟ ହୋଇଛନ୍ତି। ରବିବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ଠାରୁ ଆଜି ସଂକ୍ରମିତ ହାର ୧୯.୧% କମ୍ ରହିଛି। ୫୩୮ଦିନରେ ଆଜି ସବୁଠାରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜିର ସଂକ୍ରମିତଙ୍କୁ ମିଶାଇ ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୪୫,୧୮,୯୦୧ ହୋଇଥିବା ବେଳେ ବର୍ତ୍ତମାନ ପାଇଁ ଦେଶରେ ଆକ୍ଟିଭ ସଂଖ୍ୟା ୧,୧୮,୪୪୩ ରହିଛି। ୫୩୪ ଦିନ ଭିତରେ ଆଜି ଆକ୍ଟିଭ ସଂଖ୍ୟାରେ ସର୍ବାଧିକ ହ୍ରାସ ହୋଇଛି। ବର୍ତ୍ତମାନ ଆକ୍ଟିଭ୍ କେସ୍ ୦.୩୪% ପ୍ରତିଶତ ରହିଥିବା ବେଳେ ଏହା ଦେଶର ମୋଟ ଆକ୍ରାନ୍ତଙ୍କର ମାତ୍ର ୧ ପ୍ରତିଶତ ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି। ମାର୍ଚ୍ଚ ୨୦୨୦ ଠାରୁ ଏପର୍ଯ୍ୟନ୍ତ ଏହା ସବୁଠାରୁ କମ୍ ଆକ୍ଟିଭ୍ କେସ୍।
ଅନ୍ୟପଟେ ସୋମବାର ୧୨,୫୧୦ ଜଣ ସୁସ୍ଥ ହୋଇଥିବା ବେଳେ ୨୪୯ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୪,୬୫,୯୧୧ ହୋଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି।