‘କଲକୀ ୨୮୯୮ ଏଡି’ର ଟ୍ରେଲର ରିଲିଜ୍, ଦେଖିବାକୁ ମିଳିଲା ଅମିତାଭ-ପ୍ରଭାସଙ୍କ ଦମ୍‌ଦାର ଆକ୍ସନ

Published By : Prameya-News7 Bureau | June 11, 2024 IST

ମୁମ୍ବାଇ ୧୧।୦୬: ଜୋରଦାର ଆକ୍ସନ୍‌... ଦମ୍‌ଦାର ସିନ୍‌ । ଐତିହାସିକ ଡ୍ରାମାରେ ସବୁ ପ୍ରକାର ମନୋରଞ୍ଜନର ଖୋରାକ ପାଇବେ ସିନେପ୍ରେମୀ । ଫିଲ୍ମ ‘କଲ୍‌କୀ ୨୮୯୮ ଏଡି’ର ଟ୍ରେଲର୍‌ରେ ଏହାର ଝଲକ୍‌ ସାମ୍ନାକୁ ଆସିଛି । ଅମିତାଭ ବଚ୍ଚନ, ପ୍ରଭାସ, ଦୀପିକା ପାଦୁକୋନଙ୍କ ଭଳି ଷ୍ଟାର୍‌ ଗୋଟିଏ ଫିଲ୍ମରେ ଏକାଠି ହୋଇଛନ୍ତି ଯେତେବେଳେ, ସିନେପ୍ରେମୀଙ୍କ ଉତ୍ସାହ ବହୁଗୁଣିତ ହେବା ସ୍ୱାଭାବିକ କଥା । ସଦ୍ୟ ମୁକ୍ତିପ୍ରାପ୍ତ ଟ୍ରେଲର୍‌ ଦେଖିବା ପରେ ସିନେପ୍ରେମୀଙ୍କଠାରେ ଏହି ଉତ୍ସାହ ଦେଖିବାକୁ ମିଳିଛି । ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କ ବହୁ ପ୍ରତିକ୍ଷୀତ ଏହ ଫିଲ୍ମର ଟ୍ରେଲର୍‌ ଫ୍ୟାନ୍‌ଙ୍କ ହୃଦୟ ଜିତିଛି । 

ଟ୍ରେଲର ଜରିଆରେ ଫିଲ୍ମ ‘କଲ୍‌କୀ ୨୮୯୮ ଏଡି’ର ନିର୍ମାତା ବିଶ୍ୱାସ ଜନ୍ମାଇବାରେ ସଫଳ ହୋଇଛନ୍ତି ଯେ ଶେଷ ପର୍ଯ୍ୟନ୍ତ ଫିଲ୍ମ ଦର୍ଶକଙ୍କୁ ବାନ୍ଧି ରଖିବ । ଟ୍ରେଲର୍‌ରେ ଜଟିଳ ସିକ୍ୱେନ୍ସ, ଏଡିଟିଂ, ବ୍ୟାକ୍‌ଗ୍ରାଉଣ୍ଡ ସ୍କୋର ସିନେପ୍ରେମୀଙ୍କ ଧ୍ୟାନ ଆକର୍ଷଣ କରିଛି । ପ୍ରଭାସଙ୍କୁ ବେଶ ଚମତ୍କାର ଢଙ୍ଗରେ ଉପସ୍ଥାପନ କରାଯାଇଛି । ଅନ୍ୟ ସମସ୍ତ ଫିଲ୍ମରେ ତାଙ୍କ ଚରିତ୍ରଠୁ ଏହି ଲୁକ୍‌ ସମ୍ପୂର୍ଣ୍ଣ ରୂପେ ନୂଆ ଓ ଭିନ୍ନ । ଫ୍ୟାନ୍‌ ଫିଲ୍ମରେ ତାଙ୍କ ଲୁକ୍‌କୁ ଖୁବ୍‌ ପସନ୍ଦ କରୁଛନ୍ତି । ‘ସାଲାର’ ପରେ ଦର୍ଶକ ପ୍ରଭାସଙ୍କୁ ବଡ଼ ପରଦାରେ ଦେଖିବାକୁ ଚାତକ ପରି ଚାହିଁଛନ୍ତି ସିନେପ୍ରେମୀ । ଫିଲ୍ମର ପ୍ରତ୍ୟେକ ଚରିତ୍ର ନିଆରା ଅନ୍ଦାଜ୍‌ରେ ପରଦାରେ ନଜର ଆସିଛି । ଟ୍ରେଲର୍‌କୁ ଲୋକେ ହଲିଉଡ୍‌ ଫିଲ୍ମ ‘ଡ୍ୟୁନ୍‌’ ସହ ତୁଳନା କରୁଛନ୍ତି । 

‘କଲ୍‌କୀ ୨୮୯୮ ଏଡି’ରେ ବିଜ୍ଞାନ ସମ୍ପର୍କିତ ଦିଗ ମଧ୍ୟ ଦେଖିବାକୁ ମିଳିବ । ଭୈରବ ଅର୍ଥାତ୍‌ ପ୍ରଭାସ ଫିଲ୍ମରେ ଜଣେ ଇଞ୍ଜିନିୟର ଭାବେ ନଜର ଆସିବେ । ଫିଲ୍ମରେ ହିନ୍ଦୁ ଧର୍ମଗ୍ରନ୍ଥ ମହାଭାରତରୁ କିଛି ଜରୁରି ତଥ୍ୟ ନିଆଯାଇଛି । ଏଥିରେ ଅଶ୍ୱତ୍ଥାମା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । 



ଏହି ଚରିତ୍ର ନିର୍ବାହ କରିଛନ୍ତି ଅମିତାଭ ବଚ୍ଚନ । ଫିଲ୍ମରେ ତାଙ୍କର ଯୁବା ସମୟ ମଧ୍ୟ ଦେଖିବାକୁ ମିଳିବ, ଯାହାକୁ ଏଆଇ ଜରିଆରେ ପ୍ରସ୍ତୁତ କରାଯାଇଛି । ତେବେ ଫିଲ୍ମରେ ଦୀପିକାଙ୍କ ଚରିତ୍ର ବିଷୟରେ କୌଣସି ତଥ୍ୟ ନିର୍ମାତାଙ୍କ ତରଫରୁ ଦିଆଯାଇ ନ ଥିଲା । ଟ୍ରେଲର୍‌ରେ ତାଙ୍କ ରହସ୍ୟ ଉପରୁ ପରଦା ହଟୁଥିବା ଦେଖିବାକୁ ମିଳିଛି । ଏହା ପୂର୍ବରୁ ତାଙ୍କ ଲୁକ୍‌ କେବଳ ଜାରି ହୋଇଥିଲା । ସିକ୍ରେଟ୍‌ ପ୍ୟାକେଜ୍‌ ଦୀପିକାଙ୍କ ଲୁକ୍‌ ଫ୍ୟାନ୍‌ଙ୍କ ମନ ଜିଣିଛି । ଫିଲ୍ମର ଟ୍ରେଲର୍‌କୁ ଦେଖିବା ପରେ ସିନେମାଘରେ ଫିଲ୍ମ ଦେଖିବାକୁ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି । ଆସନ୍ତା ୨୭ ତାରିଖରେ ଫିଲ୍ମଟି ମୁକ୍ତିଲାଭ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.