କଟକ ୧୨।୦୫ : ନିଖୋଜ ଥିବା କାଳିଆ ବେହେରାଙ୍କୁ ଦୁଇମାସ ପରେ ଖୋଜି ପାଇଲେ ତାଙ୍କର ପରିବାର ଲୋକେ । ପାଇବାର ଆଶା ଛାଡି ଦେଇଥିବା ପରିବାର ଲୋକେ ଆସି କଟକ ବଡ଼ ମେଡ଼ିକାଲରେ କାଳିଆଙ୍କୁ ଭେଟିବା ସହ ଘରକୁ ନେଇଛନ୍ତି। ପରିବାର ମଧ୍ୟରେ ବେଶ୍ ଖୁସିର ମାହୋଲ ଦେଖିବାକୁ ମିଳିଛି ।
କଟକ ଭୁବନ ଅଞ୍ଚଳର ୫୫ ବର୍ଷୀୟ କାଳିଆ ବେହେରା ପେଶାରେ ଜଣେ ଆଇସକ୍ରିମ ବ୍ୟବସାୟୀ । ପତ୍ନୀ ଓ ଦୁଇ ପୁଅ ଝିଅଙ୍କୁ ନେଇ ତାଙ୍କର ସଂସାର। ଗତ ମାର୍ଚ୍ଚ ମାସଠାରୁ ହଠାତ୍ ନିଖୋଜ ହୋଇଯାଆନ୍ତି କାଳିଆ । ପରିବାର ଲୋକେ ଅନେକ ଖୋଜାଖୋଜି କରନ୍ତି ହେଲେ କାଳିଆଙ୍କ କୌଣସି ପତ୍ତା ମିଳେ ନାହିଁ । ଯାହା ପରେ ପରିବାର ଲୋକେ ଏକ ପ୍ରକାରର ମିଳିବାର ଆଶା ଛାଡି ବସନ୍ତି । କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା। ଗତ କିଛି ଦିନ ତଳେ ତାଳଚେର ଅଞ୍ଚଳର ସମାଜସେବୀ ବାପି ମହାନ୍ତି କଟକ ଜଣେ ରୋଗୀଙ୍କୁ ଚିକିତ୍ସା କରାଇବା ପାଇଁ ଆସିବା ବେଳେ ଅସହାୟ ରୋଗୀଙ୍କ ବିଭାଗରେ ଥିବା କାଳିଆଙ୍କ ସମ୍ପର୍କରେ ଜାଣିବାକୁ ପାଆନ୍ତି।
କାଳିଆ ଯାଜପୁର ଜିଲ୍ଲା ଡୁବୁରୀ ଠାରେ ଦୁର୍ଘଟଣାର ଶିକାର ହେବା ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ମେଡିକାଲ୍ ସ୍ଥାନାନ୍ତର କରାଯାଇଥିଲା। ଗୋଟେ ପଟରେ କାଳିଆଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ତାଙ୍କର ସମ୍ପର୍କୀୟଙ୍କର ସହ ଯୋଗାଯୋଗ ହୋଇ ପାରୁନଥିଲା । ଏମିତିକି କାଳିଆ ମଧ୍ୟ ସ୍ମରଣ ଶକ୍ତି ହରାଇଥିଲେ । ହେଲେ ଅସହାୟ ରୋଗୀଙ୍କ ୱାର୍ଡରେ ତାଙ୍କର ଚିକିତ୍ସା ଚାଲିଥିଲା । ଦୁର୍ଘଟଣାରେ କାଳିଆ ତାଙ୍କର ଗୋଟିଏ ହାତ ହରାଇଥିଲେ। ଏହାପରେ କାଳିଆଙ୍କ ପରିବାର ସମ୍ପର୍କରେ ସ୍ଵେଚ୍ଛାସେବୀ ବାପି ମହାନ୍ତି ଖୋଜା ଖୋଜି କରିବା ପରେ ଶେଷରେ ସମସ୍ତେ କାଳିଆଙ୍କୁ ଭେଟିବା ସହ ନେବା ପାଇଁ ଆସି ପହଞ୍ଚିଥିଲେ।
କାଳିଆଙ୍କ ନିଖୋଜ ହେବା ପରେ ଚିନ୍ତାରେ ଥିଲେ ପରିବାର ଲୋକେ । ଏଣେ ତେଣେ ସବୁ ଆଡ଼େ ଖୋଜିଥିଲେ ସୁଦ୍ଧା ଯେତେବେଳେ ନପାଇଥିଲେ ଟିକିଏ ମନରେ ଭୟ ରହିଥିଲା। ହେଲେ ଶେଷରେ କଟକରେ ମେଡିକାଲକୁ ଆସି ଯେତେବେଳେ ପରିବାର ଲୋକେ ତାଙ୍କୁ ଦେଖିଥିଲେ । ସେତେବେଳେ ଖୁସି ନାହିଁରେ ନଥିବା ଦେଖିବାକୁ ମିଳିଥିଲା । ହେଲେ ଦୁର୍ଘଟଣାରେ ହାତ ହରାଇ ଥିବା ଏକ ବଡ଼ ଦୁଃଖ ସବୁଦିନ ପାଇଁ ରହିଗଲା ବୋଲି କହିଛନ୍ତି କାଳିଆଙ୍କ ପତ୍ନୀ ସଞ୍ଜୁ ବେହେରା।